News 18 Odia Digital
ଭୁବନେଶ୍ୱର; ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ନେଇ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଜେରା କରୁଥିବା ବେଳେ ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲୁ ନଥିବା ସୂଚନା ମିଳିଛି। ତେବେ କାହିଁକି ଅର୍ଚ୍ଚନା ଚୁପ ତାକୁ ନେଇ ଉଠିଛି ପ୍ରଶ୍ନ ।
ଡବଲ ଗେମ ଖେଳୁଛନ୍ତି ଲେଡି ବ୍ଲାକମେଲର । କିଛିଦିନ ତଳେ ଗଣମାଧ୍ୟମ ଆଗରେ ବେଶ୍ ଗର୍ଜିଥିଲେ, ହେଲେ ଇଡି ଆଗରେ ପୂରା ନରମି ଯାଇଛନ୍ତି ଅର୍ଚ୍ଚନା । କଳାଧନର କଳା କାହାଣୀ କହିବାକୁ ଅମଙ୍ଗ ହେଉଛନ୍ତି ଅର୍ଚ୍ଚନା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରକୁ ନେଇ ତଦନ୍ତ କରୁଥିବା ଇଡି ଏବେ ଅଡ଼ୁଆରେ । କାରଣ ରିମାଣ୍ଡରେ ଥିବା ଅର୍ଚ୍ଚନା ନାଗ ଇଡିକୁ ତଦନ୍ତରେ ସହଯୋଗ କରୁ ନାହାନ୍ତି ।
ସେପଟେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ଅର୍ଚ୍ଚନାଙ୍କ ଘରେ ରେଡ଼ ସମୟରେ ଯେଉଁ ସବୁ ତଥ୍ୟ ପୋଲିସକୁ ମିଳିଥିଲେ ତାହା ଇଡିକୁ ହସ୍ତାନ୍ତର କରିଛି । ଅକ୍ଟୋବର ୪ ତାରିଖରେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରେ ରେଡ଼ କରିଥିଲା ଇଡି । ରେଡ଼ ବେଳେ ଅର୍ଚ୍ଚନାଙ୍କ ୪ଟି ମୋବାଇଲ, ଦୁଇଟି ଟାବଲେଟ, ଗୋଟିଏ ପେନ୍ ଡ୍ରାଇଭ ଓ ଗୋଟିଏ ଲାପଟପ ଜବତ ହୋଇଥିଲା । ଆଉ ଏସବୁ ତଥ୍ୟକୁ ଆଜି କୋର୍ଟ ଅନୁମତି ପରେ ନିଜ ହେପାଜାତକୁ ନେଇଛି ଇଡି । ସବୁଥିରେ ତଥ୍ୟ ରହିଛି କି ନାହିଁ ତାହା ଏକ୍ସପର୍ଟ ଟିମ ସହାୟତାରେ ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ ।
ସେପଟେ ପୂର୍ବତନ ପୋଲିସ ଡ଼ିଜି ସଂଜୀବ ମାରିକ କହିଛନ୍ତି, "ବଡ଼ ବଡ଼ିଆଙ୍କ ସୁରାକ ପାଇବା ଇଡି ପାଇଁ ଏତେ ସହଜ ହେବ ନାହିଁ । କାରଣ ଅର୍ଚ୍ଚନା ଯଦି କୌଣସି ହାଇପ୍ରୋଫାଇଲଙ୍କ ନାଁ ବି ଇଡି ଆଗରେ କହିବେ ତେବେ ସେଥିପାଇଁ ପ୍ରମାଣ ମଧ୍ୟ ଦେବାକୁ ପଡିବ" । ସେପଟେ ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ ସିଂ କହିଛନ୍ତି, "ଅର୍ଚ୍ଚନା ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଛନ୍ତି " ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରାବର ଲିଙ୍କ ନେଇ ଖୋଳତାଡ଼ ଜାରି ରଖିଛି ଇଡି। ଏଥିପାଇଁ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ହେଉଛି ରିମାଣ୍ଡର ପଞ୍ଚମ ଦିନ। ସୋମବାର ରିମାଣ୍ଡ ସରୁଥିବାରୁ ଦ୍ୱିତୀୟ ପର୍ଯାୟ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ସେପଟେ ସୋମବର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।