ବିଧାନସଭାରେ ଅର୍ଚ୍ଚନା ନାଗ ଝଡ଼; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ବିଧାନସଭାରେ ଅର୍ଚ୍ଚନା ନାଗ ଝଡ଼। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ। ବିଜେଡି କହିଲା ବିଜେପି ନେତାଙ୍କ ଫଟୋ ବି ଘୁରିବୁଲୁଛି। ଇଡି ତଦନ୍ତ କରୁଛି, ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ।

ବିଧାନସଭାରେ ଅର୍ଚ୍ଚନା ନାଗ ଝଡ଼

ବିଧାନସଭାରେ ଅର୍ଚ୍ଚନା ନାଗ ଝଡ଼

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ କ୍ରିୟାଶୀଳ ହୋଇଛି ତଦନ୍ତ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କୁ ପଚରାଉଚୁରା କରୁଥିବା ବେଳେ ଗୁରୁବାର ବି ଜଣେ ରାଜନେତାଙ୍କ ସମ୍ପର୍କୀୟଙ୍କୁ ପଚରାଉଚୁରା କରାଯାଇଥିଲା।

ଗୋଟେପଟେ ତଦନ୍ତ କ୍ରିୟାଶୀଳ ହୋଇଥିବା ବେଳେ ଗୁରୁବାର ବିଧାନସଭାରେ ବି ଏହି ପ୍ରସଙ୍ଗକୁ ନେଇ ତୁମ୍ବି ତୋଫାନ ହୋଇଛି। ପୂର୍ବରୁ ବିଧାୟକ ଦଳ ବୈଠକରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇବାକୁ ଉଭୟ ବିଜେପି ଓ କଂଗ୍ରେସ ସ୍ଥିର କରିଥିବା ବେଳେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରାଯାଇଥିଲା।

ଅପରାହ୍ନ ଅଧିବେଶନରେ ୨୦୨୨-୨୩ ବର୍ଷର ବଜେଟ ଆଗତ ହେବା ପୂର୍ବରୁ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ନରସିଂହ ମିଶ୍ର କହିଥିଲେ, ‘‘ଏହି ମାମଲାରେ ବହୁ ନେତା, ଅଫିସର ସମ୍ପୃକ୍ତ ଅଛନ୍ତି। ଯେଉଁ ଅପରାଧୀଙ୍କୁ ପୋଲିସ ଛାଡ଼ିଥିଲା ତାଙ୍କୁ ଧରିଲା ଇଡି। ମୁଖ୍ୟମନ୍ତ୍ରୀ ତାଙ୍କ ଭୂମିକା ସଠିକ୍ ଭାବେ ନିର୍ବାହ କରିନାହାଁନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।’’

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବି ଅର୍ଚ୍ଚନା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ମୋହନ ମାଝୀ।

ବାଚସ୍ପତି ରୁଲିଁ ଦାବିରେ ଗୃହର ବିରୋଧୀ ସଦସ୍ୟଙ୍କ ହୋ-ହାଲ୍ଲା ନାରାବାଜି କରିବାପରେ ଗୃହ ଆଜି ପର୍ଯନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, "ବିଭତ୍ସ କାଣ୍ଡ ଓଡ଼ିଶାରେ ଘଟିଛି। ଆଗରୁ ଯୌନ ନିର୍ଯାତନା ଯୌନ ଶୋଷଣ ଓଡ଼ିଶାରେ ଦେଖା ଯାଇନଥିଲା। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଏସଆଇଟି ଏହାକୁ ନୋଟିସ କଲେଣି। ଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେଣି। ଇଡି ଏବେ ତଦନ୍ତ କରୁଛି। ପୋଲିସ ଯାହାଙ୍କୁ ଛାଡ଼ି ଦେଇଥିଲା ଇଡି ତାକୁ ଗିରଫ କରୁଛି ଏବଂ ତାଙ୍କ ନିକଟରରୁ ତଥ୍ୟ ବାହାର କରୁଥିବା ଗଣମାଧ୍ୟମରେ ବାହିରୁଛି। ସବୁଠୁ ହଟ୍ ଟପିକ ଏବେ ପାଲଟିଛି ଓଡ଼ିଶାର ସେକ୍ସ୍ ସ୍କାଣ୍ଡାଲ। ବିଭିନ୍ନ ପ୍ରକାର ସ୍ପେକୁଲେଶନ ହେଉଛି, ସରକାରୀ ଦଳର ନେତା, ମନ୍ତ୍ରୀ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି, ବିଭିନ୍ନ ପ୍ରକାର ଫଟୋ ବାହାରୁଛି ବ୍ୟବସାୟୀଙ୍କ ସହ ଫଟୋ। ବାହାରୁଥିଲେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି। କିଛି ପ୍ରତିକ୍ରିୟା ଦେଉନାହାଁନ୍ତି। ଏଥିରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଇବା ପାଇଁ ଚାହିଁଛନ୍ତି। ତାଙ୍କ ନିଜ ପୋଲିସ ମଧ୍ୟ ଠିକରେ ଅନୁସନ୍ଧାନ କରୁନି। ଜନସାଧାରଣ ଜାଣିବା ପାଇଁ ନା ପୋଲିସ କିଛି କହୁଛି ନା ଇଡି କିଛି କହୁଛି। ବର୍ତ୍ତମାନ ସୁଦ୍ଧା ଇଡି ଯାହା କରୁଛି ଠିକ୍ କଲାଭଳି ମୋତେ ଲାଗୁଛି। କିନ୍ତୁ ସନ୍ଦେହ ହେଉଛି ଚିଟଫଣ୍ଡ ମାମଲାରେ ସିବିଆଇ ଯେମିତି ମୁଖ୍ୟମନ୍ତ୍ରୀଙ୍କ ଗେଟରୁ ଫେରିଗଲା ସେମିତି ତଦନ୍ତ ନହେଉ। ଆମେ ଦାବି କରୁଛୁ ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବାର ନୈତିକତା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।’’

ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ଅନେକ ନେତାଙ୍କ ସହ ଆଇଏଏସ ଓ ଆଇପିଏସ ଅଛନ୍ତି। ବହୁ ଲୋକ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କ ପର୍ଦ୍ଦା ଫାସ ହେବା ଆବଶ୍ୟକ ରହିଛି। ଯେଉଁମାନେ ଏ ଅପକର୍ମ କରିଥିବେ ଯେଉଁ ଦଳରେ ହୁଅନ୍ତୁ ନାଁ କାହି କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ରହିଛି। ନେତାମାନେ ସମାଜକୁ ବାର୍ତ୍ତା ଦେବା କଥା। ସେମାନେ ଯଦି ଏପରି କରିବେ ଏହା ଗୁରୁତର ସାମାଜିକ ଅପରାଧ।

ସେପଟେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ବିଧାନସଭାରେ ଆଲୋଚନା କରିବା ପାଇଁ ଲୋକଙ୍କ ସମସ୍ୟାକୁ ନେଇ ଅନେକ ପ୍ରସଙ୍ଗ ଅଛି। ଅର୍ଚ୍ଚନା ନାଗ ପ୍ରସଙ୍ଗ ସାଧାରଣ ଲୋକଙ୍କ ସମସ୍ୟା ନୁହେଁ। କିନ୍ତୁ ବିରୋଧୀମାନେ ଅର୍ଚ୍ଚନା ନାଗ ଭଳି ଅଯଥା ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରୁଛନ୍ତି।’’

ଅର୍ଚ୍ଚନା ନାଗ ପ୍ରସଙ୍ଗ ଆଲୋଚନା ପାଇଁ ସଠିକ ଫୋରମରେ ଆସନ୍ତୁ। ସରକାର ଭୟ କରୁନାହାଁନ୍ତି। ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କାହାର ସମ୍ପୃକ୍ତି ଅଛି କାହାର ନାହିଁ ଇଡି ତଦନ୍ତ ସରିଲେ ଦଣ୍ଡ ପାଇବେ। ବିଧାନସଭା ସମୟରେ ସେମାନେ ଏଭଳି ପ୍ରସଙ୍ଗ ବାରମ୍ବାର ଉଠାଉଛନ୍ତି। ଇଡି ତଦନ୍ତ କରୁଛି, ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ। ବିଜେପି ନେତାଙ୍କ ଫଟୋ ବି ଘୁରି ବୁଲୁଛି ବୋଲି ସେ କହିଛନ୍ତି।
Published by:Lipina Das
First published: