News 18 Odia Digital
ଭୁବନେଶ୍ୱର; କଳାହାଣ୍ଡିରୁ କ୍ୟାପିଟାଲକୁ ଆସି ହନିଟ୍ରାପ ମାମଲା ଚଳାଇଥିବା ଅଭିଯୋଗ ପରେ ଏବେ ଅର୍ଚ୍ଚନା ନାଗଙ୍କ ଖବର ସାରା ଓଡ଼ିଶାରେ ଚର୍ଚ୍ଚାରେ ରହିଛି । ଏଥିସହ ପିଆଜ ପାଖୁଡା ପରି ଗୋଟିଏ ପରେ ଆଉଗୋଟେ ଗୁମର ଖୋଲିବାରେ ଲାଗିଛି ।
ତେବେ ଅର୍ଚ୍ଚନା ଯେଉଁ କଳା ସାମ୍ରାଜ୍ୟ ଚଳାଉଥିଲେ ସେଥିରେ ପ୍ରଚ୍ଛଦପଟରେ ଆଉ କାହାର ହାତ ରହିଛି ସେନେଇ ତନାଘନା ମଧ୍ୟ ଆରମ୍ଭ କରିଛି ପୋଲିସ । ଜବତ ହୋଇଥିବା ପେନ ଡ୍ରାଇଭରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଭିଡିଓ ରହିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସେହି ରହସ୍ୟ ଖୁବ ଜଲଦି ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି । କମିଶନରେଟ ପୋଲିସ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କଲେ ଆହୁରୀ ଅନେକ ଗୁମର ବିଷୟରେ ସୂଚନା ମିଳିବ । ଏଥିପାଇଁ କୋର୍ଟରେ ପୋଲିସ ଆବେଦନ କରିବ ବୋଲି ସୂଚନା ରହିଛି ।
ସ୍ୱାମୀଙ୍କ ସହ ମିଶି ଅର୍ଚ୍ଚନା ଚଳାଇଥିବା ଏହି କଳା ସାମ୍ରାଜ୍ୟର ରହସ୍ୟ ଉପରୁ ସମ୍ପୂର୍ଣ୍ଣ ପରଦା ଉଠିବା ଉପରେ ରହିଛି ସମସ୍ତଙ୍କର ନଜର । ତେବେ ଦୁହେଁ ମିଶି କେଉଁ ବ୍ୟକ୍ତି ବିଶେଷଙ୍କଠାରୁ କେତେ ଟଙ୍କା ଲୁଟିଛନ୍ତି ତାହା ଉପରେ ଏବେ ପୋଲିସ ଅଧିକ ଖୋଳତାଡ କରୁଥିବା ଜଣାପଡ଼ିଛି ।
କେବଳ ସେତିକି ନୁହେଁ, ଓଲିଉଡର ଅନେକ କଳାକାର ଓ କିଛି ଗଣମାଧ୍ୟମର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ଅର୍ଚ୍ଚନାଙ୍କ ଫେସବୁକରେ ଫ୍ରେଣ୍ଡ୍ ଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କ ସହ କେବଳ ସୋସିଆଲ ମିଡିଆରେ ଲିଙ୍କ୍ ନା ବ୍ୟକ୍ତିଗତ ସମ୍ପର୍କ ରହିଛି ସେନେଇ ଏବେ ସବୁଠି ଚର୍ଚ୍ଚା । ଏଥିସହ, ଅର୍ଚ୍ଚନାଙ୍କ ଉପରେ ମାମଲା ରୁଜୁ ହେବା ପରେ କିଛି ବ୍ୟକ୍ତି ତାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।