News18 Odia Digital
ଅନୁଗୁଳ: ଅନୁଗୁଳରେ ଗୋଠଛଡା ହାତୀର ତାଣ୍ଡବ। ଗୋଟିଏ ଦିନରେ ୪ଜଣଙ୍କୁ କଚାଡି ମାରିଲା ଅନୁଗୁଳରେ ବଣୁଆ ହାତୀର ତାଣ୍ଡବ। ଏକ ଗୋଟିକିଆ ଗୋଠ ଛଡା ହାତୀ ଗାଁକୁ ଗାଁ ବୁଲି ଆଜି ସକାଳେ ୪ଜଣଙ୍କୁ ମାରି ଦେଇଛି। ଯାହାକି ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟି ଥିବା ବେଳେ ହାତୀ ଉପଦ୍ରଵ ଗାଁ ଗୁଡିକରେ କକୁଆ ଭୟ ସୃଷ୍ଟି ହୋଇଛି। ବାଡ଼ି ବଗିଚାରେ କାମ କରି ଜୀବିକା ନିର୍ବାହ କରୁଥିବା ଲୋକେ କଣ କରିବେ ଚିନ୍ତାରେ ପଡ଼ି ଯାଇଛନ୍ତି। ହାତୀ ପଲ ଗାଁ ଛାଡି ଆଦୌ ଜଙ୍ଗଲକୁ ଯାଉ ନାହାନ୍ତି। ଆଜି ସକାଳେ ଅନୁଗୁଳରେ ହାତୀ ବିଭିନ୍ନ ଗାଁରେ ପସି ୪ଜଣଙ୍କୁ ମାରିବା ସହ ବ୍ୟାପକ ଫସଲ କ୍ଷୟକ୍ଷତି କରିଛି। ବଡ଼ି ଭୋର ସମୟରେ ଅଧିକାଂଶ ଚାଷୀ ନିଜ ନିଜ ବାଡ଼ି ବଗିଚାରେ କାମ କରୁଥିଲେ।
ହାତୀ ପଲରୁ ଅଲଗା ହୋଇ ବୁଲୁଥିବା ଏକ ମଖନା ହାତୀ ପ୍ରଥମେ ଛେଳିଆପଡା ଗାଁରେ ପସି ବଗିଚାରେ କାମ କରୁଥିବା ସୁବାସ ବିଶ୍ୱାଳଙ୍କୁ ଦଳି ଚକଟି ଦେଇଥିଲା। ସେଠାରେ କାମ କରୁଥିବା ଆଉ କିଛି ମହିଳା ପ୍ରାଣ ବିକଳରେ ଦୌଡ଼ି ପଳାଇ ଥିଲେ। ସୁବାଷ ମଧ୍ୟ ଦୌଡ଼ି ପଳାଉ ଥିବା ବେଳେ ତଳେ ପଡି ଯାଇଥିଲେ। ଫଳରେ ହାତୀଟି ତାଙ୍କୁ ଦଳି ମାଟିରେ ପୋତି ଦେଇଥିଲା। ଏହାପରେ ସେଠାରୁ ହାତୀଟି ଅଙ୍ଗାରବନ୍ଧ ଗାଁକୁ ଆସି ଅନୁଭୂତ ସାହୁ ନାମକ ଜଣେ ଚାଷୀ ବଗିଚାରେ କାମ କରୁଥିବା ସମୟରେ ଅତର୍କିତ ଭାବେ ମାରି ଦେଇଥିଲା। ସେଠାରେ ମଧ୍ୟ କାମ କରୁଥିବା ଅନ୍ୟ ମହିଳାମାନେ ଦୌଡ଼ି ଯାଇ ନିଜ ଜୀବନ ବଞ୍ଚାଇ ପାରିଥିଲେ। ସେଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ବାରସିଙ୍ଗା ଗାଁରେ ପସି ରମେଶ ସ୍ୱାଇଁ ନାମକ ଜଣେ ଚାଷୀଙ୍କୁ ଶୁଣ୍ଢରେ ଧରି ତଳେ କଚାଡି ଦେଇଥିଲା। ରମେଶ ନିଜ ବଗିଚାକୁ ଯାଇଥିଲେ। ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ସେଠାରୁ ହାତୀଟି ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଗାଁ ଭିତରେ ପଶି ଅଜୟ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ଅଜୟ ନିଜ ଘର ଆଗରେ ଠିଆ ହୋଇ ଦାନ୍ତ ଘଷୁଥିଲେ।
ପୋଲିସ ଓ ବନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହ ଆବଶ୍ୟକ କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି। ଗତ ପ୍ରାୟ ୨/୩ ମାସ ହେଲା ଅନୁଗୁଳ ବନଖଣ୍ଡର ବିଭିନ୍ନ ଗାଁରେ ହାତୀପଲ ଅତି ମାତ୍ରାରେ ଉପଦ୍ରଵ କରୁଛନ୍ତି। ଗତ ଦୁଇ ଦିନ ପୂର୍ବେ ବନ୍ତଳା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହାତୀ ମାରି ଦେଇଥିଲା। ଅଧିକାଂଶ ଗାଁରେ ଶତାଧିକ ଲୋକ ଚାଷବାସ ଓ ବାଡ଼ି ବଗିଚା କରି ଜୀବିକା ନିର୍ବାହ କରନ୍ତି। କିନ୍ତୁ ହାତୀ ଉପଦ୍ରଵ ଯୋଗୁ ଚାଷୀ ମାନେ ଭୟରେ ଆଉ ବଗିଚାକୁ ଯାଉ ନାହାଁନ୍ତି। ସନ୍ଧ୍ୟା ହେଲେ ଅଧିକାଂଶ ଗାଁରେ ଲୋକେ ଭୟରେ ତାଟି କବାଟ ପକାଇ ଘର ଭିତରେ ରହୁଛନ୍ତି।
ବନ ବିଭାଗ ସେହି ହାତୀକୁ ନିୟନ୍ତ୍ରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। “ହାତୀପଲ ଏବେ ସମସ୍ତଙ୍କ ପାଇଁ ଆତଙ୍କର କାରଣ ହୋଇ ପଡିଛି। ଲୋକେ ବାଡିବଗିଚାରେ କାମ କଲେ ଚୁଲି ଜଳୁଛି। ଏଭଳି ସ୍ଥିତିରେ ଭୟରେ ଲୋକେ ଆଉ ବାଡ଼ି ବଗିଚାକୁ ଯାଉ ନାହାଁନ୍ତି। ତେଣୁ କେମିତି ବଞ୍ଚିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନିହାତି ଆବଶ୍ୟକ।“ କହିଛନ୍ତି ହାତୀ ଉପଦ୍ରଵ ଅଞ୍ଚଳର ଜଣେ ଚାଷୀ ଅଗସ୍ତି ବେହେରା। “ଏବେ ଗାଁ ଗାଁରେ ହାତୀ ପସୁଛନ୍ତି। ମଣିଷ ମାରୁଛନ୍ତି। ହେଲେ ବନ ବିଭାଗ କଣ କରୁଛି। ହାତୀର ଗତିବିଧି ସମ୍ପର୍କରେ ଲୋକଙ୍କୁ ସୂଚନା ଦେଉ ନାହିଁ କାହିଁକି। ଆଉ କେତେ ମଣିଷ ମଲେ ବନ ବିଭାଗର ଚେତା ପଶିବ ବୋଲି ଉତେଜିତ ହୋଇ କହିଛନ୍ତି ଜଣେ ଚାଷୀ ନରେଶ ସାହୁ। “ଆମେ ଚେଷ୍ଟା କରୁଛୁ ହାତୀପଲ କିଭଳି ଗାଁ ଭିତରକୁ ନଆସିବେ। ଯେତେ ପ୍ରକାର କୌଶଳ ଅବଲମ୍ବନ କରା ଯାଇ ପାରିବ କରିବୁ। ଚେଷ୍ଟା କରିବୁ ଲୋକେ କେମିତି ସୁରକ୍ଷିତ ରହିବେ।“ କହିଛନ୍ତି ଅନୁଗୁଳ ସହକାରୀ ବନ ସଂରକ୍ଷକ ରଞ୍ଜନ କୁମାର ବେହେରା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।