ସୌମ୍ୟ ପଟ୍ଟନାୟକ ଓ ଅନୁଭବ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ଦିନକୁ ଦିନ ଜଟିଳ ହେଉଛି ରାଜ୍ୟସଭା ଗଣିତ। ତାରିଖ ଯେତେ ଗଡୁଛି ଦିନକୁ ଦିନ ନୂଆ ନାମ ତାଲିକାରେ ଯୋଡ଼ି ହେଉଛି। ରେସରେ ୪-୫ ପ୍ରମୁଖ ଦାବିଦାର ଥିବା ବେଳେ ଏବେ କିଛି ନୂଆ ଦାବିଦାରଙ୍କ ନା ଚର୍ଚ୍ଚା ହେଉଛି। ଦକ୍ଷିଣ - ପଶ୍ଚିମ - ଉପକୂଳ ମଧ୍ୟରେ ସମନ୍ୱୟ ରଖି ନେତା ବାଛି ପାରନ୍ତି ନବୀନ। ଏହାରି ଭିତରେ ଉପକୂଳ ଓଡ଼ିଶାର ଦୁଇ ଚେହେରା ଅନୁଭବ ପଟ୍ଟନାୟକ ଓ ସୁଲତା ଦେଓଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି।
କିଏ ଯିବ ଦିଲ୍ଲୀ। କାହାକୁ ରାଜ୍ୟସଭା ଟିକେଟ ଦେବେ ନବୀନ। ଏଯାଏ କାର୍ଡ଼ ଖୋଲୁ ନାହାଁନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ସମୟ ଗଡୁଥିବା ବେଳେ ଦିଲ୍ଲୀ ଟିକେଟ ପାଇଁ ଆଶାୟୀ ଓ ଦାବିଦାରଙ୍କ ସଂଖ୍ୟା ବି ଲମ୍ବୁଛି। ବର୍ତ୍ତମାନ ଉପକୂଳରୁ ସସ୍ମିତ ପାତ୍ର,ସୁବାସ ସିଂ, ପଶ୍ଚିମରୁ ପ୍ରସନ୍ନ ଆଚାର୍ଯ୍ୟ ଓ ଦକ୍ଷିଣ ଓଡିଶାରୁ ଏନ ଭାସ୍କର ରାଓଙ୍କ ସିଟ ଖାଲି ହେଉଛି। ତେଣୁ ଆଞ୍ଚଳିକତା ଭିତ୍ତିରେ ସସ୍ମିତ ପାତ୍ର, ଅସିତ ତ୍ରିପାଠୀ, ପ୍ରଦୀପ ମାଝୀ, ମାନସ ମଙ୍ଗରାଜ, ଶ୍ରୀମୟୀ ମିଶ୍ରଙ୍କ ନାଁ କୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଚାଲିଥିବା ବେଳେ ଦୁଇ ନୂଆ ମୁହଁ ତାଲିକାରେ ଯୋଡ଼ି ହୋଇଛି। ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ମହିଳା ଓ ଶିଶୁ ବିକାଶ ବିଭାଗ ପରାମର୍ଶଦାତା ସୁଲତା ଦେଓଙ୍କ ନା ଆଲୋଚନା ହେଉଛି।
ବର୍ତ୍ତମାନ ଖଣ୍ଡପଡ଼ା ବିଧାୟକଙ୍କ ସହ ଦଳର ତୁ ତୁ ମେ ମେ ଚାଲିଥିବା ବେଳେ ତାଙ୍କୁ ଚେକ ଦେବା ସହ ସଂଗଠନ ସୁଦୃଢ଼ ପାଇଁ ଅନୁଭବଙ୍କୁ ପାୱାରଫୁଲ କରିପାରେ ଦଳ। କାରଣ ସୌମ୍ୟ ପଟ୍ଟନାୟକ ଦଳରେ ଥାଇ ଅନେକ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଯେଉଁଥି ପାଇଁ ଦଳ ତାଙ୍କ ଉପରେ ଖୁସ ନଥିବା ଚର୍ଚ୍ଚା ହେଉଛି।
ଉପକୂଳ ନେତ୍ରୀ ସୁଲତା ଦେଓ ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସୁପ୍ରିମୋଙ୍କ ଗୁଡ଼ବୁକରେ ରହିଛନ୍ତି। ମହିଳା କାର୍ଡ଼ ଖେଳି ଦିଲ୍ଲୀ ଟିକେଟ ଦେଇ ଦଳ ପୁରସ୍କୃତ କରିପାରନ୍ତି ବିଜେଡ଼ି ସୁପ୍ରିମୋ। ଏପଟେ ଦୁଇ ପୁରୁଖା ପ୍ରସନ୍ନ ପାଟଶାଣୀ ଓ ରମେଶ ଚାଉ ପଟ୍ଟନାୟକ ବି ଆଶା ବାନ୍ଧି ବସିଛନ୍ତି। ୨୦୧୯ ନିର୍ବାଚନ ବେଳେ ପ୍ରତିଶ୍ରୁତି ମିଳିଥିବାରୁ ନବୀନ ସେମାନଙ୍କୁ ରାଜ୍ୟସଭା ପଠାଇବେ ବୋଲି ଅନାଇ ବସିଛନ୍ତି।
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି,"ବିଭିନ୍ନ ଦିଗକୁ ବିଚାର କରି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ। ସେ କାହାକୁ ପଠାଇବେ କେବଳ ସେ ହିଁ ଜାଣିଥିବେ"।
ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି,"ମୁଣ୍ଡ ଉପରେ ୨୦୨୪ ନିର୍ବାଚନ। ଦକ୍ଷତା, ଆନୁଗତ୍ୟ, ଅଭିଜ୍ଞତା ସହ ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ନବୀନ"।
ମହିଳା, ଯୁବବର୍ଗ, ସଂଖ୍ୟାଲଘୁ ସହ ବିଭିନ୍ନ ବର୍ଗରୁ ପ୍ରତିନିଧିତ୍ଵ ନେଇ ଆଗାମୀ ଲଢେଇ ପାଇଁ ପ୍ରସ୍ତୁତି କରିବେ ବିଜେଡ଼ି ସୁପ୍ରିମୋ। ପ୍ରଦର୍ଶନ ଭିତ୍ତିରେ କିଛି ସଦସ୍ୟଙ୍କୁ ରିପିଟ କରିପାରେ ଦଳ। ଚର୍ଚ୍ଚା ଓ ଆକଳନକୁ ସବୁ ଭୁଲ ପ୍ରମାଣିତ ସଦାବେଳେ ସରପ୍ରାଇଜ ଦେଉଥିବା ନବୀନ ଏଥର ବି ଅଙ୍କ ଗୋଳମାଳ କରିପାରନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।