ପୁଣି ଘନେଇଲା ବିବାଦ: ବର୍ଷାଙ୍କ ବିରୁଦ୍ଧରେ ଇଡି ଓ ସାଇବର ଥାନାରେ ଅଭିଯୋଗ ପତ୍ର ଦାଖଲ କଲେ ଅନୁଭବ

ସରକାରୀ ଦସ୍ତାବିଜରେ କେଉଁଠି ଭର୍ଷା ପ୍ରିୟଦର୍ଶିନୀ ତ ଆଉ କେଉଁଠି ବର୍ଷା ପ୍ରିୟଦର୍ଶିନୀ ବୋଲି ଲେଖିଥିବା ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି।

ବର୍ଷାଙ୍କ ବିରୁଦ୍ଧରେ ଇଡି ଓ ସାଇବର ଥାନାରେ ଅଭିଯୋଗ ପତ୍ର ଦାଖଲ କଲେ ଅନୁଭବ

ବର୍ଷାଙ୍କ ବିରୁଦ୍ଧରେ ଇଡି ଓ ସାଇବର ଥାନାରେ ଅଭିଯୋଗ ପତ୍ର ଦାଖଲ କଲେ ଅନୁଭବ

  • Share this:
News18 Odia Digital

କଟକ: ବେଶ କିଛି ଦିନ ଶାନ୍ତ ପଡ଼ିବା ପରେ ଏବେ ପୁଣି ଥରେ ଘନେଇଛି ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବ ବିବାଦ। ଏବେ ବର୍ଷା ବିରୁଦ୍ଧରେ ଇଡିର ଦ୍ବାରସ୍ଥ ହୋଇଛନ୍ତି ଅନୁଭବ।

ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇଛନ୍ତି ଓ ଟିକସ ଫାଙ୍କିବା ତଥା କଳାଟଙ୍କା ରଖିବାକୁ ଯାଇ ବର୍ଷା ଏପରି କରିଥିବା ଇଡିରେ ଦାଖଲ କରିଥିବା ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।

ସରକାରୀ ଦସ୍ତାବିଜରେ କେଉଁଠି ଭର୍ଷା ପ୍ରିୟଦର୍ଶିନୀ ତ ଆଉ କେଉଁଠି ବର୍ଷା ପ୍ରିୟଦର୍ଶିନୀ ବୋଲି ଲେଖିଥିବା ଅଭିଯୋଗ କରିଛନ୍ତି। ସେହିପରି ମାଟ୍ରିକ୍ ସାର୍ଟିଫିକେଟ୍, ଜନ୍ମ ସାର୍ଟିଫିକେଟ୍, ଆଧାରକାର୍ଡ, ପାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ମଧ୍ୟ ନାମ, ମଝି ନାମ ଓ ସାଙ୍ଗିଆ ଭିନ୍ନ ରହିଛି । ଆକ୍ସିସ୍ ବ୍ୟାଙ୍କରେ ବର୍ଷାଙ୍କର ଏକାଧିକ ଆକାଉଣ୍ଟ ଥିବା ବେଳେ ସେଥିରେ ନାଁର ବନାନ ଭିନ୍ନ ଭିନ୍ନ ରହିଥିବା ଅନୁଭବ ଅଭିଯୋଗରେ ଦର୍ଶାଇଛନ୍ତି ।

ଏହା ସହିତ ଅନୁଭବ ଅଭିଯୋଗ କରିଛନ୍ତି କି ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟରେ ବର୍ଷା ତାଙ୍କ ନାଁର ବନାନ ୫ ରୁ ୬ ଥର ପରିବର୍ତ୍ତନ କରିଛନ୍ତି। ଏହା ବ୍ୟତୀତ ବର୍ଷା ବର୍ଷକୁ ପ୍ରାୟ ଦୁଇ କୋଟି ଟଙ୍କା ସିନେମାରେ ଅଭିନୟ କରି ରୋଜଗାର କରୁଥିବା ବେଳେ ଆୟକର ବାବଦରେ ସେ କେତେ ଟଙ୍କା ଦାଖଲ କରିଛନ୍ତି ସେ ନେଇ ମଧ୍ୟ ଅନୁସନ୍ଧାନ କରିବା ପାଇଁ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଅନୁଭବ।

କେବଳ ଇଡି ନୁହେଁ ବରଂ ଅନୁଭବ ବର୍ଷାଙ୍କ ନାଁରେ ସାଇବର ଥାନାରେ ମଧ୍ୟ ଫେରାଦ ହୋଇଛନ୍ତି। ସାଇବର ଥାନାରେ ଅନୁଭବ ପ୍ରଦାନ କରିଥିବା ନିଜ ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି କି ବର୍ଷା ବିଭିନ୍ନ ସୋସିଆଲ ମିଡ଼ିଆକୁ ଆକାଉଣ୍ଟକୁ ବ୍ୟବହାର କରି ତାଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ।

"ଅନୁଭବ ଇଡି ଓ ସାଇବର ଥାନାରେ ଦୁଇଟି ଭିନ୍ନ ଭିନ୍ନ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। କିନ୍ତୁ ଉଭୟ ବିଭାଗ ଅନୁଭବଙ୍କ ଅଭିଯୋଗ ପତ୍ର ଉପରେ କୌଣସି ପଦକ୍ଷେପ ଗ୍ରହଣ କରିଛନ୍ତି କି ନାହିଁ ତାହା ଜଣା ପଡ଼ିନାହିଁ," କହିଛନ୍ତି ଅନଭବଙ୍କ ଓକିଲ ଆଲୋକ ମହାପାତ୍ର।

ତେବେ ଅନୁଭବ ଗତ ସପ୍ତାହରେ ବର୍ଷାଙ୍କ ବିରୁଦ୍ଧରେ ଏହି ଦୁଇଟି ଅଭିଯୋଗ ପତ୍ର ଦାଖଲ କରିଥିବା ଜଣା ପଡ଼ିଛି। କିନ୍ତୁ ଏନେଇ ବର୍ଷାଙ୍କ ଓକିଲଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Published by:Lipina Das
First published: