ପୁରୀରେ ଦୁର୍ବୃତ୍ତ କେମିକାଲ ପକାଇ ଜାଳିଦେଲେ ୪୫ଟି ଗଛ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି

ଇକୋ-ସେନ୍ସିଟିଭ୍ ଜୋନରେ ବେଆଇନ ନିର୍ମାଣ ନେଇ ପୂର୍ବରୁ ସ୍ୱାମୀ ନାରାୟଣ ଆଶ୍ରମକୁ ବନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ସେହି ଆଶ୍ରମ ସମ୍ମୁଖରେ ଥିବା ୪୫ଟି ଗଛକୁ କେହି କେମିକାଲ ପକାଇ ନଷ୍ଟ କରିଦେଇଛି ।

ପୁରୀରେ ଦୁର୍ବୃତ୍ତ କେମିକାଲ ପକାଇ ଜାଳିଦେଲେ ୪୫ଟି ଗଛ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି
କେମିକାଲ ପକାଯିବା ଯୋଗୁଁ ଗଛ ତଳେ ଥିବା ଘାସ ମଧ୍ୟ ଜଳିଯାଇଛି ।
  • News18 Odia
  • Last Updated: July 31, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଉଜୁଡ଼ିଯାଇଥିବା ବାଲୁଖଣ୍ଡ ଅଭୟାରଣ୍ୟର ଆଖପାଖରେ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ଗଛଗୁଡ଼ିକ ମଧ୍ୟରୁ ୪୫ଟି ଗଛକୁ ଜାଳି ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତ । ଗଛଗୁଡ଼ିକ ଉପରେ କେମିକାଲ ଢାଳି ନଷ୍ଟ କରିଦିଆଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ପରିବେଶବିଦମାନେ ।

ଫନି ପରେ ବନ ବିଭାଗ ପକ୍ଷରୁ ରାସ୍ତାପାର୍ଶ୍ୱ ବନୀକରଣ କରାଯାଇଥିଲା । ବିଶେଷକରି ବାଲୁଖଣ୍ଡ ଅଭୟାରଣ୍ୟର ବେଶୀ କ୍ଷୟକ୍ଷତି ହୋଇଥିବା ଯୋଗୁଁ ସେଠାରେ ପୁଣି ସବୁଜିମା ବଢ଼ାଇବା ପାଇଁ ଲଗାଯାଇଥିଲା ଗଛ  । ଫନୀରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ର ପାର୍ଶ୍ୱରେ ଥିବା ଅନେକ ଗଛ ମଧ୍ୟ ଭାଙ୍ଗିଯାଇଥିଲା । ସେଠାରେ ବି ବନ ବିଭାଗ ପକ୍ଷରୁ ରାସ୍ତା ପାର୍ଶ୍ୱରେ ବନୀକରଣ କରାଯାଇଥିଲା ।

‘‘ପୁରୀ-କୋଣାର୍କ ବେଳାମାର୍ଗ ପେଣ୍ଠକଟା ମେରାଇନ ଥାନା ଅଧୀନ ବାଇଦାସ ନଗର ସ୍ଥିତ ସ୍ୱାମୀ ନାରାୟଣ ଆଶ୍ରମ ପ୍ରାଚୀର ପାର୍ଶ୍ୱରେ ଲଗାଯାଇଥିଲା ୪୫ଟି ଗଛ । ସେ ସବୁ ଗଛ ପାଞ୍ଚ ଫୁଟ ଉଞ୍ଚା ହୋଇଯାଇଥିଲା । ତାର ଜାଲି ଦେଇ ସୁରକ୍ଷିତ ରଖାଯାଇଥିଲା । ହେଲେ ଏବେ କେହି ସେହି ଗଛଗୁଡ଼ିକୁ ଜାଳି ଦେଇଛି,’’ କହିଛନ୍ତି ବାଲୁଖଣ୍ଡ ଚାର୍ଜରେ ଥିବା ବ୍ରହ୍ମଗିରି ରେଞ୍ଜ ଅଫିସର୍ ରଜତ ମହାପାତ୍ର ।

ଗଛଗୁଡ଼ିକ ପାଞ୍ଚ ଫୁଟ ଉଞ୍ଚା ହୋଇଯାଇଥିଲା ଓ ତାର ଜାଲି ଦେଇ ସୁରକ୍ଷିତ ରଖାଯାଇଥିଲା ।


ପୂର୍ବରୁ ଇକୋ-ସେନ୍ସିଟିଭ୍ ଜୋନରେ ବେଆଇନ ନିର୍ମାଣ ଅଭିଯୋଗ ଆସିବା ପରେ ସ୍ୱାମୀ ନାରାୟଣ ଆଶ୍ରମକୁ ବନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ସେହି ଆଶ୍ରମ ସମ୍ମୁଖରେ ଥିବା ଏହି ୪୫ଟି ଗଛକୁ କେମିକାଲ ପକାଇ ନଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟ କୌଣସି ଜାଗାରେ ଏପରି କରାଯାଇନି । ସେଥି ପାଇଁ ଆଶ୍ରମ ଉପରେ ଅନେକ ସନ୍ଦେହ କରୁଛନ୍ତି ।

‘‘କେମିକାଲ ପକାଯିବା ଯୋଗୁଁ ଗଛ ତଳେ ଥିବା ଘାସ ମଧ୍ୟ ଜଳିଯାଇଛି । ଆଶ୍ରମ ପକ୍ଷରୁ ଏଥିରେ ସମ୍ପୃକ୍ତି ରହିଛି ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ,’’ କହିଛନ୍ତି ପରିବେଶବିଦ୍ ଆକାଶ ନାୟକ ।

ବନ ବିଭାଗ ପକ୍ଷରୁ ଏ ନେଇ ଏକ ଟିମ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି  । ଗଛ ଉପରେ କେମିକାଲ ସିଞ୍ଚନ କରାଯାଇ ଜାଳି ଦିଆଯାଇଥିବା ଦେଖିବାକୁ ମିଳିଛି  । ଏ ନେଇ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରାଯାଇଥିଲା, ହେଲେ ତାଙ୍କ ସମ୍ପୃକ୍ତି ଅଭିଯୋଗକୁ ସେମାନେ ଅସ୍ୱୀକାର କରିଛନ୍ତି ।

‘‘ଆଶ୍ରମ କର୍ତ୍ତୃପକ୍ଷଙ୍କୁ ବନ କାର୍ଯ୍ୟାଳୟକୁ ଡକାଯାଇ ଜେରା କରାଯାଇଥିଲା । ଏ ବିଷୟରେ ଏକ ରିପୋର୍ଟ ଡିଏଫଓଙ୍କୁ ପ୍ରଦାନ କରାଯାଇଛି । ଏହା ଏକ ନନ୍ଦନୀୟ ଘଟଣା । ଯଦି ଆଶ୍ରମ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତିର ପ୍ରମାଣ ମିଳେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ବାଲୁଖଣ୍ଡ ଚାର୍ଜରେ ଥିବା ରେଞ୍ଜ ଅଫିସର ରଜତ ମହାପାତ୍ର ।

ଏହା ବି ପଢ଼ନ୍ତୁ: ଆଜି ଦେଶ ପାଇଁ ଐତିହାସିକ ଦିନ: ଦେଶର ପ୍ରଥମ ମୋବାଇଲ ଫୋନ୍ କଲ୍‌କୁ ପୂରିଲା ୨୫ ବର୍ଷ

ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଏହା ବି ପଢ଼ନ୍ତୁ: ଅନଲକ୍ ୩ରେ ଓଡି଼ଶାରେ ଅଗଷ୍ଟ ୩୧ ଯାଏଁ ରାତି କର୍ଫ୍ୟୁ ଜାରି ରହିବ; ମାସ୍କ ଫାଇନ୍ ବଢ଼ିଲା



ବୃକ୍ଷଟିଏ ଲଗାଇବା ମହାନତାର ପରିଚୟ, ଆଉ ବୃକ୍ଷଟିକୁ ନିଜ ସ୍ୱାର୍ଥ ପାଇଁ ନଷ୍ଟ କରିଦେବା ଏକ ଅପରାଧ । ଏ ଭଳି ଘୃଣ୍ୟ ମାନସିକତା ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବା ଉଚିତ ବୋଲି ସାଧାରଣରେ ଦାବୀ ହେଉଛି ।
Published by: Anand Shankar Thankur Das
First published: July 31, 2020, 11:56 PM IST
corona virus btn
corona virus btn
Loading