ବାଲେଶ୍ୱରରେ ଜବରଦଖଲ ଉଚ୍ଛେଦ: ୩୦ ବର୍ଷ ପୁରୁଣା ଲକ୍ଷ୍ମୀ ନାରାୟଣ ମନ୍ଦିରର କିଛି ଅଂଶ ଭଙ୍ଗାହେଲା

ଦୀର୍ଘ ସମୟ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ମନ୍ଦିର ପରିଚାଳନା କମିଟି ପାଖରେ ମୁଣ୍ଡ ନୁଆଇଁବା ସହ ନାଟ ମନ୍ଦିର ନିକଟରୁ ମନ୍ଦିରକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଥମେ ଏହାକୁ ଭାଙ୍ଗିବାକୁ ଚେଷ୍ଟା ହୋଇଥିଲା, ହେଲେ ସେମାନେ ବିଫଳ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଥିଲା ।

ବାଲେଶ୍ୱରରେ ଜବରଦଖଲ ଉଚ୍ଛେଦ: ୩୦ ବର୍ଷ ପୁରୁଣା ଲକ୍ଷ୍ମୀ ନାରାୟଣ ମନ୍ଦିରର କିଛି ଅଂଶ ଭଙ୍ଗାହେଲା
ଲକ୍ଷ୍ମୀ ନାରାୟଣ ମନ୍ଦିର ସାମନାରେ ପ୍ରଶାସନ ବିରୋଧରେ ଲୋକେ ପ୍ରଦର୍ଶନରେ ବସିଛନ୍ତି ।
  • News18 Odia
  • Last Updated: January 29, 2020, 11:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଉତ୍ତର ଓଡ଼ିଶାର ପ୍ରମଖ ସହର ବାଲେଶ୍ୱରକୁ ଜବରଦଖଲ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଜାରି ରଖିଥିବା ଅଭିଯାନ କ୍ରମରେ ଆଇଟିଆଇ ଛକରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଭାଙ୍ଗିବାକୁ ହୋଇଥିବା ଉଦ୍ୟମକୁ ସ୍ଥାନୀୟ ଲୋକେ ଭୀଷଣ ବିରୋଧ କରିଛନ୍ତି ।

ସେହିପରି ବାଲେଶ୍ୱର ଓଟି ରୋଡ ଅର୍ଥାତ ତାମୁଳିଆ ଗେଟ ଠାରୁ ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତ କରାଯିବା ପାଇଁ ରାସ୍ତା କଡରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉଛି ଏବଂ ଏହା ସହ ଏକ ମହାନାଳ ଖୋଳାଯିବାର ବ୍ୟବସ୍ଥା କରାଯାଉଛି । ତେବେ ଏହାରି ମଧ୍ୟରେ ବାଲେଶ୍ୱର ଆଇଟିଆଇ ଛକ ଠାରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ମଧ୍ୟ ଆସୁଛି ।

ତିରିଶି ବର୍ଷର ପୁରୁଣା ଏହି ମନ୍ଦିରର କିଛି ଅଂଶ ଜବରଦଖଲରେ ନିର୍ମିତ ବୋଲି କହିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରଟିକୁ ଉଚ୍ଛେଦ କରିବା ପାଇଁ ତିନି ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଙ୍ଗଳବାର ମନ୍ଦିର ନିକଟରେ ପହଞ୍ଚିଥିଲେ ।

ହେଲେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ସମୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ଏହାକୁ ପ୍ରବଳ ବିରୋଧ କରିଥିଲେ ଏବଂ ଭାଙ୍ଗିବାକୁ ଦେଇ ନଥିଲେ । ଲୋକେ ଧାରଣାରେ ବସି ରହିବା ସହ ଜିଲ୍ଲା ପ୍ରଶାସନକୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ । ତେଣୁ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିଲା । ଶେଷରେ କିଛି ଘଣ୍ଟାର ଆଲୋଚ଼ନା ପରେ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ମନ୍ଦିରକୁ ଆଂଶିକ ଭାଙ୍ଗି ଫେରି ଯାଇଥିଲେ ।

ପୂର୍ବରୁ ଏହି ମନ୍ଦିରର ପାଚେରୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ବେଳେ ରାସ୍ତା କଡରେ ନାଳ କରାଯିବା ପାଇଁ ମନ୍ଦିରର କିଛି ଅଂଶ ଭାଙ୍ଗିବା ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଥିଲା ଓ ମନ୍ଦିର ପ୍ରଶାସନକୁ ଏ ନେଇ ନୋଟିସ ମଧ୍ୟ ଦିଆଯାଇଥିଲା ।

ବାଲେଶ୍ୱର ସହରର ଓ.ଟି. ରୋଡକୁ ପ୍ରଶସ୍ତ କରାଯିବା ସହ ରାସ୍ତା କଡ଼ରେ ମହାନାଳ ତିଆରି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି । ଏ ନେଇ ରାସ୍ତା କଡରେ ସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦ କାର୍ଯ୍ୟ  ଜାରି ରହିଛି ।

ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ନେଇ ଉପୁଜିଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ । ତେବେ ରାସ୍ତା କଡ଼ରେ ଏହି ନାଳ ନିର୍ମାଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କିଛି ବାଟ ପୂର୍ବରୁ ନାଳକୁ ବୁଲେଇ ନେବା ପାଇଁ କୁହାଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ ତା’ର ଯେଉଁ ସ୍ଥାନ ପର୍ଯ୍ୟନ୍ତ ଜମି ରହିଛି ସେହି ସ୍ଥାନ ପର୍ଯ୍ୟନ୍ତ ଉଚ୍ଛେଦ ହେବ ବୋଲି ରୋକ ଠକ କହିଥିଲା । ଏହାକୁ ନେଇ ମନ୍ଦିର ପରିଚାଳନା କମିଟି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ କଥା କଟାକଟି ହୋଇଥିଲା ।

ଶେଷରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଶିଳ୍ପପତି ହିମାଂଶୁ ଦାସ, ଯୁଗଳ ରାଠୀ, ସଂଗ୍ରାମ ଦାସ ଓ ସଞ୍ଜୟ କୁମାର ଦାସ ପ୍ରମୁଖଙ୍କ ସହ ଶତାଧିକ ମହିଳା ଏବଂ ପୁରୁଷ ମନ୍ଦିର ସମ୍ମୁଖ ଭାଗରୁ ଉଚ୍ଛେଦ କରାଯିବା ସହ ମନ୍ଦିର ନିକଟରେ ନାଳ ଖୋଳାଯିବାକୁ ଅନୁରୋଧ କରିଥିଲେ । ଯଦି ମନ୍ଦିରର ମଧ୍ୟ ଭାଗରୁ ଏହାକୁ ଉଛେଦ କରାଯାଉଛି ତେବେ ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଥିଲା । ତେଣୁ ଲକ୍ଷ୍ମୀ ନାରାୟଣ ମନ୍ଦିରର ନାଟ ମନ୍ଦିର ସମ୍ମୁଖରୁ ଭଙ୍ଗା ହେବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏହାରି ତଳେ ନାଳ କରାଯିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା ।

ଦୀର୍ଘ ସମୟ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ମନ୍ଦିର ପରିଚାଳନା କମିଟି ପାଖରେ ମୁଣ୍ଡ ନୁଆଇଁବା ସହ ନାଟ ମନ୍ଦିର ନିକଟରୁ ମନ୍ଦିରକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଥମେ ଏହାକୁ ଭାଙ୍ଗିବାକୁ ଚେଷ୍ଟା ହୋଇଥିଲା, ହେଲେ ସେମାନେ ବିଫଳ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଥିଲା । ଜିଲ୍ଲା ପ୍ରଶାସନ ମନ୍ଦିର ପରିଚାଳନା କମିଟିର କଥା ରଖି ମହାନାଳଟିକୁ ତିନି ଫୁଟ ପର୍ଯ୍ୟନ୍ତ ଘୁଞ୍ଚାଇ ନେଇ ସେଠାରେ ନାଳ ଖୋଳିବା କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାଯାଇଛି ।

‘‘ସରକାରୀ ଜାଗାରେ ମନ୍ଦିରର ଯେଉଁ ଅଂଶ ରହିଛି ତାକୁ ଉଚ୍ଛେଦ କରାଯିବ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିରୋଧ କରାଯାଇଛି । ତେବେ ନିୟମ ଅନୁସାରେ ଏହି ଜବରଦଖଲ ଉଚ୍ଛେଦ କରାଯିବ,’’ କହିଛନ୍ତି ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ର ।

ଏହି ଉଚ୍ଚେଦ ଅଭିଜାନରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସଦର ଅତିରିକ୍ତ ତହସିଲଦାର ପଞ୍ଚାନନ ପାତ୍ର, ଅତିରିକ୍ତ ଏସପି ତପନ ପଟ୍ଟନାୟକ, ସିଟି ଡିଏସପି ମନୋଜ ରାଉତ, ଏସଡିପିଓ ପ୍ରଭାଶ ଚନ୍ଦ୍ର ପାଲ ଓ ସହଦେବଖୁଣ୍ଟା ଥାନା ଅଧିକାରୀ ପରେଶ ରାଉତ ଉପସ୍ଥିତ ଥିଲେ ।
First published: January 29, 2020, 11:40 PM IST
corona virus btn
corona virus btn
Loading