ପୁଣି ଯାଜପୁର, ପୁଣି ହତ୍ୟା: ରାସ୍ତା ଉପରେ ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ହାଣି ହତ୍ୟା; ପତି ଉପରେ ସନ୍ଦେହ

Jajpur woman teacher murder | ପ୍ରେମ ବିବାହର କିଛି ଦିନ ପରେ ସ୍ୱାମୀଙ୍କ ସହ ସମ୍ପର୍କ ଖରାପ ହେବାରୁ ଶିକ୍ଷୟତ୍ରୀ ତାଙ୍କ ଠାରୁ ଦୂରେଇ ନିଜ ଘର ଲୋକଙ୍କ ସହ ରହୁଥିଲେ । ସ୍ୱାମୀ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ ।

ପୁଣି ଯାଜପୁର, ପୁଣି ହତ୍ୟା: ରାସ୍ତା ଉପରେ ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ହାଣି ହତ୍ୟା; ପତି ଉପରେ ସନ୍ଦେହ
ରାସ୍ତା କଡ଼ରେ ପଡ଼ିଥିବା ଯୋଗମାୟାଙ୍କ ରକ୍ତାକ୍ତ ଶବ ପାଖରେ ଲୋକ ଜମା ହୋଇଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯାଜପୁର: ଦିନ ଦ୍ବିପ୍ରହରେ ବିଚ୍ ରାସ୍ତାରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ମିର୍ଜାପୁର ପରେ ଆଜି ପୁଣି ଆଉ ଜଣେ ଶିକ୍ଷୟିତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ (Jajpur woman teacher murder)। ଶିକ୍ଷୟିତ୍ରୀଙ୍କ ସାଥିରେ ଥିବା ଜଣେ ଶିକ୍ଷକ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶୀକାର ହୋଇଛନ୍ତି । ଶିକ୍ଷୟିତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆହତ ଶିକ୍ଷକ ଚିକିତ୍ସାଧୀନ ଅଛନ୍ତି ।

ଘଟଣା ଘଟିଛି ଯାଜପୁର ରୋଡ଼ ଥାନା ଅଞ୍ଚଳର ରାଛିପୁର ନୋହରା ଶାଳ ନିକଟରେ । ମୃତା ଯୁବତୀଙ୍କ ନାମ ଯୋଗମାୟା ଜେନା (Jogamaya Jena) । ସେ ନେଳିବାରୀ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତାଙ୍କ ସହ ଥିବା ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଯାଜପୁର ରୋଡ଼ ଡାକ୍ତରଖାନା ଓ ପରେ କଟକ ଏସ.ସି.ବି.କୁ ସ୍ଥାନାନ୍ତର କରାଯାଇଛି ।

ଯୋଗମାୟା ନେଳିବାରୀ ସ୍କୁଲରୁ ଫେରୁଥିଲେ । ଏବେ ସ୍କୁଲ ଛୁଟି ଥିବା ବେଳେ ଆଜି ଅଫିସ୍ ଡାକରାରେ ସେ ଜଣେ ସହକର୍ମୀ ଶିକ୍ଷକଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ରାସ୍ତାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ତାଙ୍କ ଜୀବନ ରକ୍ଷା କରିବାକୁ ଯାଇ ସାଥିରେ ଥିବା ସହକର୍ମୀ ଶିକ୍ଷକ ଦୁର୍ବୃତ୍ତଙ୍କ ଆକ୍ରମଣର ଶୀକାର ହେଲେ । ଯୋଗମାୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ରାସ୍ତାରେ ଯାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ଘଟଣା ଦେଖି ଚକିତ ହୋଇପଡ଼ିଥିଲେ ।

ଆକ୍ରମଣରେ ଆହତ ଶିକ୍ଷକ ମୋହିନୀ ମୋହନ ମୁଦୁଲି


ମିଳିଥିବା ସୂଚନା ଅନୁସାରେ ଯୋଗମାୟା ସ୍ଥାନୀୟ ନଟପଡ଼ା ଗ୍ରାମର ସୋମ୍ୟରଞ୍ଜନ ମଲ୍ଲିକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା ଓ ଯୋଗମାୟା ସ୍ବାମୀଙ୍କ ଠାରୁ ଦୂରେଇ ରହିବା ଆରମ୍ଭ କରିଥିଲେ । ସେ ନିଜ ଘର ଲୋକଙ୍କ ସହ ରହୁଥିଲେ । ସେଥି ପାଇଁ ଯୋଗମାୟାଙ୍କ ପରିବାର ଲୋକେ ତାଙ୍କ ସ୍ବାମୀଙ୍କୁ ହତ୍ୟାକାରୀ ଭାବେ ସନ୍ଦେହ କରୁଛନ୍ତି ।

‘‘ଏହି ହତ୍ୟାକାଣ୍ଡ ମୋ’ ଭିଣୋଇ କରିଥିବେ ବୋଲି ସନ୍ଦେହ ହେଉଛି । ଲଗାତର ମୋ’ ଭଉଣୀ ସହ ଝଗଡ଼ା କରୁଥିଲେ । ଅଳ୍ପ ଦିନ ତଳେ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତାକୁ (ଭିଣୋଇକୁ) ଧରି ଉଚିତ ଶାସ୍ତି ଦେବା ଉଚିତ । ମୋ’ ଭଉଣୀକୁ ନ୍ୟାୟ ମିଳିବା ଉଚିତ,’’ କହିଛନ୍ତି ମୃତା ଯୋଗମାୟାଙ୍କ ଭାଇ ଉତ୍କଳ କେଶରୀ ଜେନା ।

ଯାଜପୁର ଏସ୍‌.ପି. ଚରଣ ସିଂ ମୀନା ଥାନା (Jajpur SP Charan Singh Meena) ଇନ୍ସପେକ୍ଟରଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ‘‘ପୋଲିସ୍ ଏହି ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି । ଖୁବ୍ ଶୀଘ୍ର ଏହାର ପର୍ଦ୍ଦାଫାଶ ହେବ ଓ ଆସାମୀ ଧରାପଡ଼ିବେ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟ୍: ‘‘ସରକାରଙ୍କ ସହ ପଙ୍ଗା ନେଲେ ସେ ତୁମ ବଞ୍ଚିବା ମୁସ୍କିଲ୍ କରିଦେବେ’’

ପୋଲିସ୍ ଯୋଗମାୟାଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଯାଜପୁରରେ ଘଟିଚାଲିଛି ଅପରାଧ ପରେ ଅପରାଧ । ଜିଲ୍ଲାରେ ଗତ ଚାରି ଦିନ ଭିତରେ ଏହାକୁ ମିଶାଇ ତିନୋଟି ହତ୍ୟାକାଣ୍ଡ ଘଟିଲାଣି । ପୋଲିସ୍ ପାଇଁ ଏମିତି ସ୍ଥିତି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସମସ୍ତଙ୍କ ନଜର ଏବେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି ।
Published by: Anand Shankar Thankur Das
First published: July 9, 2020, 10:33 PM IST
corona virus btn
corona virus btn
Loading