News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି ଥାନା ଅଧୀନ ଗଙ୍ଗପାଟଣାରେ ଥିବା ଆଦ୍ୟନ୍ତ କଲେଜ ହଷ୍ଟେଲରେ ଘଟିଛି ଘଟଣା । ମୃତ ଛାତ୍ର ହେଲେ ସୂର୍ଯ୍ୟକାନ୍ତ ପଲେଇ। ତେବେ ମୃତ୍ୟୁ ପୂର୍ବରୁ ଛାଡି ଯାଇଛନ୍ତି ଏକ ହାତଲେଖା ଚିଠି। ଯେଉଁଥିରେ ସେ କହିଛନ୍ତି ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କରୁଛନ୍ତି ଜାଣି ନାହାଁନ୍ତି ।
ସୂର୍ଯ୍ୟକାନ୍ତ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ହେଲେ କାହିଁକି, ଆତ୍ମହତ୍ୟା କଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏତିକି ବେଳେ ସାମ୍ନାକୁ ଆସିଛି ମୃତ ସୂର୍ଯ୍ୟକାନ୍ତ ଙ୍କ ଏକ ହାତଲେଖା ଚିଠି । ଯେଉଁଥିରେ ସେ ଲେଖିଛନ୍ତି, "ପ୍ଲିଜ ବୋଉ ମୋତେ କ୍ଷମା କରିଦେବୁ । ତୋର ମୋ ପ୍ରତି ଥିବା ଆଶାକୁ ମୁଁ ପୁରା କରିପାରିଲି ନାହିଁ । ତୁ ଜନ୍ମ ଦେଇଥିବାରୁ ମୁଁ ଧନ୍ୟବାଦ ଦଉଛି , ହେଲେ ତୁ ଜମା ବି ମନ ଦୁଖ କରିବୁ ନାହିଁ । ନହଲେ ମୋତେ ଭଲ ଲାଗିବ ନାହିଁ। ମୋ ଆତ୍ମାକୁ ଶାନ୍ତି ମିଳିବ ନାହିଁ । ମୁଁ କାହିଁକି ମରୁଛି ମୁଁ ଜାଣିନି ବୋଉ । ଏଥିରେ କାହାର ଦୋଷ ନାହିଁ, କଲେଜ କତ୍ତୃପକ୍ଷଙ୍କ ବି ଦୋଷ ଦେବନି । ସବୁ ଦୋଷ ମୋର।" ଏମିତି ଏନେକ କିଛି ମନର ଅକୁହା କଥାକୁ କାଗଜ ଦେହରେ ଲେଖିଦେଇ ଝୁଲିପଡିଛନ୍ତି ସୂର୍ଯ୍ୟକାନ୍ତ ।

ସୂର୍ଯ୍ଯକାନ୍ତଙ୍କ ନୋଟ
ସୂର୍ଯ୍ୟକାନ୍ତଙ୍କ ଘର ପୁରୀ ଜିଲା ପାରିକୁଦ ଅଞ୍ଚଳରେ। ଦଶମ ପରୀକ୍ଷାରେ ଭଲ ମାର୍କ ରଖିଥିବାରୁ ଖୋର୍ଦ୍ଧା ଗଙ୍ଗପାଟଣାରେ ଥିବା ଆଦ୍ୟନ୍ତ କଲେଜରେ ନାମ ଲେଖାଇଥିଲେ ପରିବାର ଲୋକେ। ୨୧ଦିନ ତଳେ ସୂର୍ଯ୍ୟକାନ୍ତ ହଷ୍ଟେଲକୁ ଆସିଥିଲେ। ସବୁଦିନ ପରି ଗତକାଲି ମଧ୍ୟ କଲେଜ ଯାଇଥିଲେ, ସାଙ୍ଗମାନଙ୍କ ସହ ଖେଳିଥିଲେ। ସମୟ ସାଢ଼େ ୮ଟା ସମୟରେ ସବୁ ପିଲା ରାତ୍ରି ଭୋଜନ ପାଇଁ ଯାଇଥିବା ବେଳେ ଗାମୁଛା ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଥିଲେ ସୂର୍ଯ୍ୟକାନ୍ତ। ହଷ୍ଟେଲ କତ୍ତୃପକ୍ଷ ପୋଲିସକୁ ଖବର ଦେବାପରେ ପୋଲିସ ମୃତଦେହକୁ ଉଦ୍ଧାର କରି ଏମ୍ସ ପଠାଇଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ଆଜି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି ଇନ୍ଫୋଭ୍ୟାଲି ପୋଲିସ। ସେପଟେ କଲେଜ କତ୍ତୃପକ୍ଷ କହିଛନ୍ତି ସୂର୍ଯ୍ୟକାନ୍ତ ମାନସିକ ଚାପରେ ଥିଲେ । ଖବର ପାଇ ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ପହଞ୍ଚିଥିଲେ । ହେଲେ ପୁଅ ଆତ୍ମହତ୍ୟାକୁ ସହଜରେ ବିଶ୍ୱାସ କରୁ ନାହାନ୍ତି ପରିବାର। ପରିବାର ଅଭିଯୋଗ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି।
ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢିବା କଥା ସେଇ ବୟସରେ ଆତ୍ମହତ୍ୟା ଭଳି ଘୃଣ୍ୟ କାମ ବାଛିନେଲେ ସୂର୍ଯ୍ୟକାନ୍ତ । ହେଲେ ପ୍ରଶ୍ନ ଉଠୁଛି କାହିଁକି ଆତ୍ମହତ୍ୟା କଲେ ସୂର୍ଯ୍ୟକାନ୍ତ ? ଏମିତି କି ପ୍ରକାର ମାନସିକ ଚାପରେ ଥିଲେ ସୂର୍ଯ୍ୟକାନ୍ତ ? କଲେଜ କିମ୍ବା ହଷ୍ଟେଲରେ କିଛି ଚାପ ପଡୁଥିଲା କି ? ନାଁ ଆତ୍ମହତ୍ୟା ପଛରେ ଆଉ କିଛି କାରଣ ଅଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।