News18 Odia Digital
କଟକ: ବଡ଼ମ୍ବାରୁ ନିୟମିତ ବ୍ୟବଧାନରେ ହାତୀ କଙ୍କାଳ ଜବତ ହେବା ଜାରି ରହିଛି। ଏହି କ୍ରମରେ ସୋମବାର ଦିନ ପୁଣି ଆଉ ଏକ ହାତୀର କଙ୍କାଳ ଠାବ ହୋଇଛି। ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ଗୋପପୁର ସେକ୍ସନ ମଣ୍ଡପ ସଂରକ୍ଷିତ ଜଙ୍ଗଲରୁ ଏହି ହାତୀର କଙ୍କାଳ ଉଦ୍ଧାର କରିଛି ବନ ବିଭାଗ।
ଆଠଗଡ଼ ବନଖଣ୍ଡରୁ ଏବେ ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ବାହାରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ନରସିଂହପୁର ବନାଞ୍ଚଳରୁ ହାତୀ କଙ୍କାଳ ଏସ.ଟି.ଏଫକୁ ମିଳିବା ପରେ ବଡ଼ମ୍ବା ବନାଞ୍ଚଳରେ ତିନୋଟି ହାତୀ କଙ୍କାଳ ମିଳିଥିଲା। ସୋମବାର ପୁଣି ଆଉ ଏକ ହାତୀର କଙ୍କାଳ ମିଳିବା ପରେ ଏହି ସଂଖ୍ୟା ଏବେ ୫ରେ ପହଁଚିଛି।
ମୁଖ୍ୟ କଥା ହେଲା କି ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା SIT ହିଁ ଏହି ପଞ୍ଚମ ହାତୀ କଙ୍କାଳକୁ ଠାବ କରିଛି।
ବଡମ୍ବା ରେଞ୍ଜର ଚନ୍ଦ୍ରଗିରି ଓ ଖାରୋଡ଼ ସଂରକ୍ଷିତ ଜଙ୍ଗଲରୁ ୩ଟି ହାତୀ ମୃତ୍ୟୁର ତଦନ୍ତ କରୁଥିବାର SITକୁ ମଣ୍ଡପ ସଂରକ୍ଷିତ ଜଙ୍ଗଲରେ ଏକ ହାତୀକୁ ମାରି ତା'ର କଙ୍କାଳ ପୋତା ଯାଇଥିବା ଖବର ମିଳିଥିଲା। ଏହା ପରେ ବନ ବିଭାଗର ଅଧିକାରୀ ସେହି ସ୍ଥାନର ପହଁଛିଥିଲେ । ମାଟି ଖୋଳାଯାଇ ହାତୀର କଙ୍କାଳଟିକୁ ବାହାରକୁ ବାହାର କରାଯାଇଥିଲା। ତେବେ ହାତୀଟି ପୁରୁଷ କି ମାଈ ହାତୀ ଓ କେବେ ଓ କେଉଁ କାରଣ ପାଇଁ ହାତୀର ମୃତ୍ୟୁ ଘଟିଥିଲା, ତାହା ଜାଣିବା ପାଇଁ କଙ୍କାଳ ଗୁଡ଼ିକୁ ଜବତ କରି ତା'ର ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି।
SIT ଟିମ ସହ ଘଟଣା ସ୍ଥଳକୁ ଯାଇଥିବା ଓ ଆଠଗଡ଼ ହାତୀ ମୃତ୍ୟୁ ଘଟଣା ଅନୁଧ୍ୟାନ କରୁଥିବା ବନ୍ୟଜନ୍ତୁ ବିଶେଷଜ୍ଞ ସୁଭେନ୍ଦୁ ମଲ୍ଲିକ କହିଛନ୍ତି, "କଙ୍କାଳ ଗୁଡ଼ିକର ସ୍ଥିତିକୁ ଦେଖି ହାତୀକୁ ପ୍ରାୟ ଦୁଇ ବର୍ଷ ତଳେ ହତ୍ୟା କରାଯାଇଥିବ ବୋଲି ଅନୁମାନ କରାଯାଉଛି। ତେବେ ଶିକାରୀମାନେ ହାତୀ ଶିକାର କରିବା ପରେ ବନ ବିଭଗର କର୍ମଚାରୀ ମାନେ ହିଁ ମାଟି ଖୋଳି ତାକୁ ପୋତିଥିଲେ। ଏବେ ସେଗୁଡ଼ିକୁ ଉଦ୍ଧାର କରାଯାଉଛି। ଏପର୍ଯ୍ୟନ୍ତ ୫ଟି ହାତୀର କଙ୍କାଳକୁ ଉଦ୍ଧାର କରାଗଲାଣି। କିନ୍ତୁ ଆମ ପାଖରେ ଥିବା ସୂଚନା ମୁତାବକ ଆଠଗଡ ବନଖଣ୍ଡ ଅଧିନରୁ ଆହୁରି ୧୫ଟି ଉର୍ଦ୍ଧ୍ବ ହାତୀ କଙ୍କାଳ ଉଦ୍ଧାର ହେବା ବାକି ରହିଛି। ହାତୀ ଶିକାରୀମାନଙ୍କ ସହ ମିଶି ବନବିଭାର ଅଧିକାରୀମାନେ ଏହି କାର୍ଯ୍ୟ କରିଛନ୍ତି।’’
ଏହି ହାତୀ ଶିକାର ଓ ମୃତ୍ୟୁ ପଛରେ ଡିଏଫଓମାନଙ୍କର ସିଧାସଳଖ ସମ୍ପୃକ୍ତ ନ ଥିବେ ତାହା ବି କୁହାଯାଇନପାରେ। ତେଣୁ ଆଠଗଡ଼ ବନଖଣ୍ଡରେ ଗତ କିଛି ବର୍ଷ ହେଲା କାର୍ଯ୍ୟ କରିଥିବା ଡିଏଫଓମାନଙ୍କୁ ବି ତଦନ୍ତ ପରିସର ଭୁକ୍ତ କରାଯିବା ଦରକାର ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ମୁତାବକ ଗତ କିଛି ବର୍ଷ ମଧ୍ୟରେ ଆଠଗଡ଼ ବନଖଣ୍ଡରେ ବହୁ ସଂଖ୍ୟକ ହାତୀ ମୃତ୍ୟୁ ଘଟିଛି। କିନ୍ତୁ ଏହି ହାତୀ ମଡକର ପ୍ରକୃତ କାରଣର ଅନୁସନ୍ଧାନ କରି ସରକାରୀ ଭାବେ ଦର୍ଶାଇବା ବଦଳରେ ହାତୀ ମୃତ୍ୟକୁ ଲୁଚାଇବା ପାଇଁ ଆଠଗଡ଼ ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ହାତୀମାନଙ୍କ ମୃତ ଦେହକୁ ଗାତ ଖୋଳି ପୋତି ଥିଲେ।
ଯାହାକି ଏହି ଘଟଣାକୁ ସଙ୍ଗନ ରୂପ ଦେଇଛି। ଗତ କିଛି ମାସ ମଧ୍ୟରେ ସିରିଜ ଭାବେ ହାତୀ କଙ୍କାଳ ଗୁଡ଼ିକ ମାଟି ତଳୁ ଉଦ୍ଧାର ହେବା ପରେ ଏହି ଘଟଣା ବନ ବିଭାଗ ଦୁଇ ଜଣ ରେଞ୍ଜରଙ୍କ ସହ ଛଅ ଜଣ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ସସପେଣ୍ଡ କରିଛି। ଏହା ବ୍ୟତୀତ ଏହି ମାମଲାରେ ଦୁଇ ଜଣ ଫରେଷ୍ଟ ଗାର୍ଡ ୫ ଜଣ ହାତୀ ସ୍ପାର୍ଡର ସଦସ୍ୟଙ୍କୁ ମଧ୍ୟ ବିଭାଗ ଗରିଫ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।