ଆଠଗଡ଼ରେ ମାସକ ମଧ୍ୟରେ ଶିକାରୀଙ୍କ ଗୁଳିରେ ଦ୍ବିତୀୟ ହାତୀ ମୃତ୍ୟୁ

କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ଆଉ ଏକ ହାତୀର ମୃତ୍ୟୁ ଘଟିଛି । ଗୁଳିବିଦ୍ଧ ହୋଇଥିବା ହାତୀର ଚିକିତ୍ସା ଚାଲିଥିବା ବେଳେ ଆଖି ବୁଜିଛି ଦନ୍ତା ।

ଆଠଗଡ଼ରେ ପୁଣି ଏକ ହାତୀ ମୃତ୍ୟୁ,

ଆଠଗଡ଼ରେ ପୁଣି ଏକ ହାତୀ ମୃତ୍ୟୁ,

  • Share this:
News18 Odia Digital

କଟକ:  ହାତୀମାନଙ୍କର କବରସ୍ଥାନ ଭାବେ କୁଖ୍ୟାତି ଅର୍ଜନ କରିଥିବା କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ଆଉ ଏକ ହାତୀର ମୃତ୍ୟୁ ଘଟିଛି ।  ୫ ଦିନ ତଳେ ନରସିଂହପୁର ପୂର୍ବ ରେଞ୍ଜର ବ୍ରାହ୍ମଣୀ ବିଟ୍ ଅଞ୍ଚଳରେ ପ୍ରଥମେ ଏହି ହାତୀଟି ଆହତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହା ଜଣା ପଡ଼ିବା ପରେ ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନବିଭାଗ ଉଦ୍ୟମ କରିଥିଲା । କିନ୍ତୁ ୩୦ରୁ ୩୨ ବର୍ଷ ବୟସ୍କ ଏହି ହାତୀଟି ମସ୍ତ ଅବସ୍ଥାରେ ଥିବାରୁ ତାକୁ ଟ୍ରାଙ୍କୁଲାଇଜ କରିବା ସହଜ ହୋଇନଥିଲା । ଶେଷରେ ଗୁରୁବାର ଦିନ ହାତୀଟି ଚିକିତ୍ସା ପାଇଁ ତାକୁ ଟ୍ରାଙ୍କୁଲାଇଜ କରିବାରେ ବିଭାଗ ସଫଳ ହୋଇଲା।

ଏହା ପରେ ସାତକୋସିଆ ୱାଇଲ୍ଡ ଲାଇଫ୍ ଡିଭିଜନ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଆଠଗଡ ବନଖଣ୍ଡର ନରସିଂହପୁର ପଶ୍ଚିମ ରେଞ୍ଜର ଆରଏଫ ଅଞ୍ଚଳରେ ହାତୀର ଚିକିତ୍ସା କରାଯାଉଥିଲା । କିନ୍ତୁ ଦନ୍ତାର ମୁଣ୍ଡ ବା ଉଭୟ କାନକୁ ଲକ୍ଷ କରି ୫ ଟି ଛରାଗୁଳି ମାଡ଼ କରାଯାଇଥିବା ଏବଂ କ୍ଷତ ଗୁଡ଼ିକ ଅଧିକ ଗଭିର ଓ ଗୁରୁତର ଥିବାରୁ ଦନ୍ତାଟିକୁ ବଞ୍ଚାଯାଇ ପାରିଲା ନାହିଁ ବୋଲି କହିଛି ବନ ବିଭାଗ ।

ଏହାକୁ ମିଶାଇ ଗତ ମାସକ ମଧ୍ୟରେ ଶିକାରୀଙ୍କ ଗୁଳିର ଶିକାର ହୋଇ ଆଠଗଡ ବନଖଣ୍ଡ ଅଞ୍ଚଳରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଲାଣି । ଏବଂ ଗତ ୪ ମାସ ମଧ୍ୟରେ ଆଠଗଡ ବନଖଣ୍ଡ ଅଞ୍ଚଳରେ ୫ଟି ହାତୀଙ୍କ ମୃତ ଦେହକୁ ମାଟି ତଳେ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥଲା । ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଘଟିଥିବା ଏହି ହାତୀ ମଡକ ପଛରେ ବନକର୍ମଚାରୀଙ୍କ ହାତ ଥିବା ଜଣା ପଡ଼ିଛି । ଏନେଇ ୧୨ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଶଂ ହେଉଛନ୍ତି ବନ ବିଭାଗର କର୍ମଚାରୀ ।

ରାଜ୍ୟ ସରକାର ଏହି ଘଟଣା ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠିତ କରିଛନ୍ତି । ମାମଲା ହାଇକୋର୍ଟରେ ମଧ୍ୟ ପହଁଚିଛି । ଏବଂ କୋର୍ଟ ଏହି ପ୍ରସଙ୍ଗରେ ବିରକ୍ତି ପ୍ରକାଶ କରି ପିସିସିଏଫଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏତେ ସବୁ ପରେ ମଧ୍ୟ ଶିକାରୀ ମାନେ ଜଙ୍ଗଲ ମଧ୍ୟରେ ପଶି ନିର୍ଭୟରେ ହାତୀ ଶିକାର କରିବା ଉଦବେଗର ବିଷୟ ।
Published by:Soumyashree Mishra
First published: