ଭୁବନେଶ୍ବରରେ ପୁଣି ଗୁଳି କାଣ୍ଡ: ବସ୍ ମାଲିକଙ୍କ ଉପରକୁ ଗୁଳି ଚ଼ଳେଇଲେ ଦୁର୍ବୃତ୍ତ; ଏମ୍ସ ହସପିଟାଲରେ ଭର୍ତ୍ତି

ଆଇଗଣିଆ ଦୁର୍ଗା ମଣ୍ଡପ ନିକଟରେ ହୋଇଥିବା ଗୁଳିକାଣ୍ଡରେ ଘରୋଇ ବସ୍ ‘ବାଲୁକେଶର’ର ମାଲିକ ଆହତ ହୋଇଛନ୍ତି । ତାଙ୍କୁ ୨୦ରୁ ୨୫ ଜଣ ଦୁର୍ବୃତ୍ତ ସଙ୍ଘବନ୍ଧ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରେ ପୁଣି ଗୁଳି କାଣ୍ଡ: ବସ୍ ମାଲିକଙ୍କ ଉପରକୁ ଗୁଳି ଚ଼ଳେଇଲେ ଦୁର୍ବୃତ୍ତ; ଏମ୍ସ ହସପିଟାଲରେ ଭର୍ତ୍ତି
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଭୁବନେଶ୍ବରରେ ଦୁର୍ବୃତ୍ତମାନଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗଣିଆ ଦୁର୍ଗା ମଣ୍ଡପ ନିକଟରେ ଗୁଳି କାଣ୍ଡ ଘଟିଥିବା ସୂଚନା ମିଳିଛି । ଜଣେ ବ୍ୟକ୍ତିଙ୍କୁ ୨୦ରୁ ୨୫ ଜଣ ଦୃବୃତ୍ତ ଆସି ମାରିପିଟ୍ କରିବା ସହ ଗୁଳି ଚଳାଇଥିବା ଅଭିଯୋଗ କରିଛନ୍ତି ଆହତଙ୍କ ସହଯୋଗୀ । ଅଭିଯୋଗ ପରେ ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ  ଆରମ୍ଭ କରିଛି ।

ଆହତ ବ୍ୟକ୍ତି ଜଣକ ହେଉଛନ୍ତି ଖଣ୍ଡିଗରି ଥାନା ଅଞ୍ଚଳର ବିମ୍ବାଧର ସୁନ୍ଦରରାୟ । ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଘରୋଇ ବସ୍ ‘ବାଲୁକେଶର’ର ମାଲିକ ବୋଲି ଜଣାପହିଛି ।

ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ଣ ୨ଟା ବେଳେ ବିମ୍ବାଧର ଖଣ୍ଡିଗରି ଥାନା ଅନ୍ତର୍ଗତ ଆଇଗଣିଆ ଦୁର୍ଗାମଣ୍ଡପ ପାଖରେ ଠିଆ ହୋଇଥିଲେ । ଏହି ସମୟରେ ପାଖାପାଖି ୨୦ରୁ ୨୫ ଜଣ ଯୁବକ ହକି ଷ୍ଟିକ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଆସିବା ସହ ସଙ୍ଘବଦ୍ଧ ଭାବ ତାଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ କେହି ଜଣେ ବିମ୍ବାଧରଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିବା ତାଙ୍କ ସହଯୋଗୀ ଅଭିଯୋଗ କରିଛନ୍ତି ।

ବିମ୍ବାଧରଙ୍କ ସହଯୋଗୀଙ୍କ କହିବା ଅନୁଯାୟୀ ରବିବାର ସକାଳେ ଆଣଗଣିଆ ଦୁର୍ଗାମଣ୍ଡପ ପାଖରେ ଥିବା ଏକ ଜିମରେ ବିମ୍ବାଧରଙ୍କ ସହ ସ୍ଥାନୀୟ ସୁଜୁଆ ଅଞ୍ଚଳର କିଛି ଯୁବକଙ୍କର ଯୁକ୍ତିତର୍କ ହୋଇଥିଲା । ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । କିନ୍ତୁ ମଧ୍ୟାନ୍ନରେ ସେମାନେ ଆସି ବିମ୍ବାଧରଙ୍କୁ ଆକ୍ରମଣ କରିବା ସହ ଜିମରେ ପଶି ଭଙ୍ଗାରୁଜା କରିଥିଲେ । ପରେ ସେମାନେ ଚାଲିଯାଇଥିଲେ । ତେବେ ସେମାନେ ଗୁଳି ଚଳାଇବା ବେଳେ ବିମ୍ବାଧର ନିଜକୁ ବଞ୍ଚାଇବାକୁ ଯାଇ ତାଙ୍କ ମୋବାଇଲକୁ ଦେଖାଇ ଦେଇଥିଲେ । ଫଳରେ ମୋବାଇଲରେ ଗୁଳି ବାଜି ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବାରୁ ଚେଷ୍ଟା ଚଳାଇଛି ।

ଗତ ସପ୍ତାହରେ କମିଶନରେଟ ପୋଲିସ ଅନ୍ତର୍ଗତ ଚନ୍ଦକା ଥାନା ଅଞ୍ଚଳରେ ଥିବା ଏକ ରାସ୍ତୋରାଁରେ ଜଣେ ଛାତ୍ରଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ଛାତ୍ର ଜଣକ ଉତ୍ତର ପ୍ରଦେଶ ଲକ୍ଷ୍ନୌର ବାସୀନ୍ଦା ହୋଇଥିବା ବେଳେ ସେ ଏଠାରେ ଏକ ଘରୋଇ କଲେଜରେ ପାଠ ପଢୁଛନ୍ତି । ଏହି ମାମଲାରେ ପୋଲିସ ଅଭିଯୁକ୍ତମାନଙ୍କ ଧରି ନ ଥିବା ବେଳେ ପୁଣି ଏକ ଗୁଳିକାଣ୍ଡ ଘଟିଛି ।

ଏହା ପୂର୍ବରୁ ଗତ ଫେବ୍ରୁଆରୀ ୧୧ତାରିଖରେ ଜଣେ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଗୁଳିମାଡ କରିଥିଲେ । ଶେଷ ଦୁଇ ଘଟଣାରେ ପୋଲିସ ବନ୍ଧୁକ ଜବତ କରି ପାରି ନ ଥିବା ବେଳେ ପୁଣି ଏକ ମାମଲା ପୋଲିସର ଚିନ୍ତା ବଢ଼ାଇଛି ।

ରାଜଧାନୀରେ ଏଭଳି ସଙ୍ଘବଦ୍ଧ ଆକ୍ରମଣ ଘଟଣା ଗୋଟିଏ ନୁହେଁ । ତିନି ମାସ ମଧ୍ୟରେ ଚ଼ାରିଟି ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ବରର କ୍ୟାପିଟାଲ ଥାନା ଅନ୍ତର୍ଗତ ମାର୍କେଟ ବିଲ୍ଡିଂରେ ମଧ୍ୟ ଏକ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା । କିଛି ଦିନ ପରେ ଜଣେ ଶିଖ୍ ବ୍ୟକ୍ତିଙ୍କୁ କିଛି ଯୁବକ ଲକ୍ଷ୍ମୀସାଗର ଅଞ୍ଚଳରେ ଆକ୍ରମଣ କରିଥିଲେ । ଏହା ପରେ ସହୀଦ ନଗର ଥାନା ଅନ୍ତର୍ଗତ ୟୁନିଟ୍-୯ ଅଞ୍ଚଳରେ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିଲା । ଏହା ପରେ ଚନ୍ଦକା ଅଞ୍ଚଳରେ ଆକ୍ରମଣ ହୋଇଥିଲା ।
First published: March 8, 2020, 4:08 PM IST
corona virus btn
corona virus btn
Loading