ଦାନା ବାନ୍ଧୁଛି ଆଉ ଏକ ବାତ୍ୟା; ୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା

ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଓଡିଶାକୁ ଆସୁଛି ଆଉ ଏକ ବାତ୍ୟା (ପ୍ରତୀକାତ୍ମକ ଛବି)

ଓଡିଶାକୁ ଆସୁଛି ଆଉ ଏକ ବାତ୍ୟା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏପରିକି ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।

୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହା ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ପହଞ୍ଚିବ। ସେଠାରେ କ୍ରମେ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଅର୍ଥାତ ଓଡିଶା ଆନ୍ଧ୍ରପ୍ରଦେଶ ଉପକୂଳ ଆଡେ ମୁଁହାଇବ। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ୨୬ ଶହ କିମି ଦକ୍ଷିଣ ପୂର୍ବ ଦିଗରେ ରହିଛି। ଡିସେମ୍ବର ୨ରେ ଅବପାତ ଓ ୩ ତାରିଖରେ ଗଭୀର ଅବପାତର ରୂପ ନେବ। ୩ ରାତି କିମ୍ବା ୪ ତାରିଖ ସକାଳୁ ବାତ୍ୟା ରେ ପରିଣତ ହୋଇପାରେ। ଫଳରେ ୩ ତାରିଖ ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୪ ତାରିଖ ସକାଳୁ ପୁରୀ, ଜଗତସିଂହପୁର, ଗଂଜାମ, ନୟାଗଡ଼, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବ। ଯାହା ୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ।

ଯଦି ଏହା ବାତ୍ୟାରେ ପରିଣତ ହୁଏ ତେବେ ୪ ତାରିଖରେ ଓଡିଶା ଆନ୍ଧ୍ରପ୍ରଦେଶ ସୀମାରେଖାରେ ସ୍ଥଳଭାଗ ଛୁଇଁବା ନେଇ ବିଶେଷଜ୍ଞ କହିଛନ୍ତି। ଯଦି ବାତ୍ୟା ହୁଏ ତେବେ ପବନର ବେଗ ୬୫ରୁ ୮୫ କିମି ସମ୍ଭାବନା ରହିଛି।

"ମଡେଲ ବାରମ୍ବାର ପରିବର୍ତ୍ତନ ହେଉଛି କିନ୍ତୁ ବର୍ତ୍ତମାନ ସାମ୍ଭାବ୍ୟ ବାତ୍ୟା ନେଇ ସୂଚନା ମିଳୁଛି। ଯଦି ଏହା ବାତ୍ୟା ହୁଏ ତେବେ ଓଡିଶା ଉପକୂଳ ଦେଇ ଗତି କରିବ। ଏଣୁ ରାଜ୍ୟରେ ଏହାର ପ୍ରଭାବ ପଡିବ। ଯଦି ବାତ୍ୟା ନ ହୁଏ ତେବେ ଗଭୀର ଅବପାତ ହେବ ଏବଂ ଏହା ଫଳରେ ମଧ୍ୟ ଭଲ ବର୍ଷା ହେବ," କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।

"ବର୍ତ୍ତମାନ ରାଜ୍ୟରେ ରାତିର ତାପମାତ୍ରା କମିବାରେ ଲାଗିଛି। ଆଗକୁ ୩ ଦିନ ଧରି ତାପମାତ୍ରା ରାଜ୍ୟରେ ସ୍ବଭାବିକ ରହିବ। ଏହା ପରେ କ୍ରମେ ପୁଣି ବଢିବ, ଫଳରେ ଶୀତ କମ ଅନୁଭୂତ ହେବ। ୨ ତାରିଖରେ ପାଣିପାଗରେ ପରିବର୍ତ୍ତନ ହେବା ସହ ଗଜପତି, ଗଂଜାମ ଓ ପୁରୀ ରେ ବର୍ଷା ହେବ," କହିଛନ୍ତି ଆଞ୍ଚଳିକ ପାଣିପାଗ ଵିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ।

ବାତ୍ୟା ହେଉ କି ଗଭୀର ଅବପାତ, ଉଭୟ ରେ ରାଜ୍ୟରେ ବର୍ଷା ହେବ। ତେବେ ଫସଲ ଅମଳ ସମୟରେ ବର୍ଷା ହେବା ନେଇ ଚିନ୍ତାରେ ଚାଷୀକୁଳ।
Published by:Soumya Das
First published:
)}