ଯୋବ୍ରା ନିକଟ ମହାନଦୀରେ ନିଖୋଜ ଥିବା ୨ ଜଣଙ୍କ ମଧ୍ୟରୁ ମିଳିଲା ଜଣଙ୍କ ମୃତଦେହ
News18 Odia Digital
କଟକ: ଡେଥ୍ ଜୋନ ପାଲଟିଥିବା କଟକର ଯୋବ୍ରା ବ୍ୟାରେଜ ଘାଟରେ ପୁଣି ଯାଇଛି ଜୀବନ। ଚୋରାବାଲି ଯୋଗୁଁ ନଦୀକୁ ଗାଧୋଇବା ପାଇଁ ଯାଇଥିବା ତିନି ବନ୍ଧୁଙ୍କ ମଧ୍ୟରୁ ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ନିଖୋଜ ଥିଲେ।
କଟକ ମହାନଦୀରେ ନିଖୋଜ ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଆୟୁର୍ ଖାନ୍। ରବିବାର ତିନି ସାଙ୍ଗ ଯୋବ୍ରା ବ୍ୟାରେଜ ନିକଟରେ ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ସାହିଲ ଖାନ୍।
ପ୍ରକାଶ ଥାଉକି ନଦୀରେ ବୁଡ଼ି ନିଖୋଜ ହେବାର ଗୋଟିଏ ଦିନ ପୂର୍ବରୁ ଆୟୁର ନିଜ ହ୍ବାଟ୍ସଆପରେ ଏକ ଷ୍ଟାଟସ ରଖିଥିଲେ। ଯେଉଁଥିରେ କି ଉଲ୍ଲେଖ ଥିଲା "ଦେଖ ମୁଝେ ସବ୍ ନେ ଛୋଡ୍ ଦିଆ ହେ। ତେରେ ପାସ ଆନେକା ୱକ୍ତ ହେ। ମୁଝେ ମୁଆଫ କର ଦେ। ମେନେ ତେରେ ବନ୍ଦୋ ସେ ସୁନା ହେ କେ ତୁ ବଡ଼ା ଗଫୁର ଔର ରହିମ୍ ହେ।’’
ମୁଖ୍ୟ କଥା ହେଲା ଯେ ଏହି ଉକ୍ତିଟି ହେଉଛି ପ୍ରସିଦ୍ଧ ଇସଲାମିକ ଧର୍ମଗୁରୁ ତଥା ଲେଖକ ମୌଲାନା ତାରିକ୍ ଜମିଲ୍ ଦୀର୍ଘ ବର୍ଷ ତଳର ଏକ ଧାର୍ମିକ ବକ୍ତବ୍ୟର କିଛି ଅଶଂ। ୟୁଟ୍ୟୁବରେ ଉପଲବ୍ଧ ଥିବା ଏହି ୪ ମିନିଟ ୧୧ ସେକେଣ୍ଡର ବକ୍ତବ୍ୟ ମଧ୍ୟରୁ ଆୟୁର ଷ୍ଟାଟସରେ ରଖିଥିବା ୧୦ ସେକେଣ୍ଡର ଏହି ଭାଗଟି ବେଶ ଲୋକପ୍ରିୟ।
ତେବେ ପବିତ୍ର ରମଜାନ ମାସରେ ରୋଜା ରଖିଥିବା ଆୟୁର ଜଣେ ଧର୍ମପରାୟଣ ଯୁବକ ଥିଲେ । ସ୍ଥାନୀୟ ଏକ ଗ୍ୟାରେଜରେ ୱଲ୍ଡିଂ କାମ ଶିଖୁଥିବା ଆୟୁର ରବିବାର ମଧ୍ୟାହ୍ନରେ ନମାଜ ପାଠ ଶେଷ ଭାଗ ପାଠ କରି କରିବା ପରେ ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ। ତେବେ ଆୟୁର ନିଖୋଜ ହେବା ପରେ ତାଙ୍କ ବନ୍ଧୁମାନେ ସେହି ଭଳି ଏକ ଷ୍ଟାଟସ୍ ୱାଟ୍ସଆପରେ ରଖିଥିବା ଦେଖିବାକୁ ପାଇଥିଲେ।
ସେପଟେ ମହାନଦୀର ବିଭିନ୍ନ ଘାଟରେ ଘଟୁଥିବା ନଦୀ ବୁଡ଼ି ଘଟଣାକୁ ଦେଖି ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି କଟକ ଜିଲ୍ଲା ପ୍ରଶାସନ । ପୂର୍ବରୁ ମଧ୍ୟ ଜୋବ୍ରା ଘାଟକୁ ନଦୀରେ ଗାଧୋଇବା ପାଇଁ ଆସି ଅନେକ ସମୟରେ ଅଘଟଣ ଘଟିଛି । କେବଳ ଜୋବ୍ରା ନୁହେଁ କଟକ ସହର ଦେଇ ଯାଇଥିବା ମହାନଦୀର ବିଭିନ୍ନ ଗାଧୁଆ ତୁଟରେ ବର୍ଷର ବିଭିନ୍ନ ସମୟରେ ବୁଡ଼ି ଘଟଣା ସାମନାକୁ ଆସିଥାଏ । କିନ୍ତୁ ଅଧିକାଶଂ ଘଟଣା ଖରାଦିନେ ହିଁ ଘଟିଥାଏ ।
"ନଦୀରେ ଘଟୁଥିବା ଏହି ଭଳି ଘଟଣାକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏଠାରେ ଏକ ସତର୍କ ଫଳକ ମଧ୍ୟ ଲଗାଯାଇଥିଲା। କିନ୍ତୁ ତାହା ନଦୀବୁଡ଼ିକୁ ରୋକିବା ଦିଗରେ ସହାୟକ ହେଲା ନାହିଁ। ତେଣୁ ଏବେ ଆମେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛି। ଏହି କ୍ରମରେ ନଦୀ ବିଭିନ୍ନ ଘାଟରେ ଅଧିକ ସଂଖ୍ୟକ ସତର୍କସୂଚନା ଲେଖାଥିବା ଫଳକ ଲଗାଇବା ସହ ସମୟ ସମୟରେ ସେଠାରେ ଘୋଷଣା ମଧ୍ୟ କରାଯିବ," କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।
Published by:Lipina Das
First published: