News18 Odia Digital
ସମ୍ବଲପୁର: ଅନୁଗୁଳ କହିଲେ ଆମେ ସମସ୍ତେ ଓଡ଼ିଶାର କେନ୍ଦ୍ର ସ୍ଥଳରେ ଥିବା ଜିଲ୍ଲା ଅନୁଗୁଳକୁ ବୁଝିଥାଉ। ତେବେ ଅନୁଗୁଳ ନାଁରେ ଓଡ଼ିଶା ଓ ଛତିଶଗଡ ସୀମାନ୍ତରେ ରହିଛି ଏହି ରାଜସ୍ୟ ଗ୍ରାମ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ମୁଖ୍ୟାଳୟରୁ ଡଭା ରାସ୍ତାରେ ୧୧ କିଲୋ ମିଟର ଗଲେ ପଡ଼େ ଅନୁଗୁଳ ରାଜସ୍ବ ଗ୍ରାମ।
ଶତାଧିକ ବର୍ଷ ପୂର୍ବରୁ ଏହି ଗାଁର ମୁଖିଆ ଶଗଡରେ ପୁରୀ ଜଗନ୍ନାଥ ମହାପଭୁଙ୍କୁ ଦର୍ଶନ କରିବା ପାଇଁ ଯାଉଥିବା ବେଳେ ବାଟରେ ଅନୁଗୁଳ ଗାଁରେ ରାତ୍ରୀ ଯାପନ କରିଥିଲେ। ଅନୁଗୁଳ ଗ୍ରାମବାସୀଙ୍କର ଆତିଥେୟତାରେ ମୁଗ୍ଧ ହୋଇଥିଲେ ସମସ୍ତେ। ପୁରୀରୁ ଫେରିବା ପରେ ନିଜ ଗାଁର ନା ତତ୍କାଳିନ ଗ୍ରାମ ମୁଖିଆ ବା ଗଅନ୍ତିଆ ଅନୁଗୁଳ ରଖିଥିଲେ। ଏହି ଗ୍ରାମ ଛତିଶଗଡ ରାଜ୍ୟ ନିକଟରେ ଥିବାରୁ ଗ୍ରାମବାସୀମାନେ ମୁଖ୍ୟତଃ ନିକଟସ୍ଥ ଛିତଶଗଡ ରାଜ୍ୟ ସାଙ୍ଗରା, ଜୋଙ୍କ ଓ ବସନା ଅଞ୍ଚଳରେ ଥିବା ବଜାର ଉପର କିଣାବିକା ପାଇଁ ନିର୍ଭର କରିଥାନ୍ତି।
‘‘ଶତାଧିକ ବର୍ଷ ପୂର୍ବରୁ ଗାଁର ମୁଖିଆ ଶଗଡରେ ପୁରୀର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ। ଯିବା ସମୟରେ ବାଟରେ ଅନୁଗୁଳ ଗାଁରେ ରହିଥିଲେ। ସେଠାରେ ଲୋକଙ୍କ ଆତିଥି ଚର୍ଚ୍ଚାରେ ଖୁସି ହୋଇ ଥିଲେ। ସେଠାରୁ ଫେରିବା ପରେ ଗାଁର ନାଁ ଅନୁଗୁଳ ରଖିଥିଲେ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଦଶରଥ ପ୍ରଧାନ।
ଏହି ଗାଁର ଜନ ସଂଖ୍ୟା ୧୫ ଶହରୁ ଉର୍ଦ୍ଧ୍ବ ହେବ। ଗାଁର ଲୋକ ଓଡ଼ିଆ, ସମ୍ବଲପୁରୀ, ହିନ୍ଦୀ ଭାଷ ସହିତ ଛତିଶଗଡି ଲରିଆ ଭାଷା କହିଥାନ୍ତି। ଗାଁର ଲୋକ ଦୁଆନ ଡୁଙ୍ଗୁରୀ ଓ ଠାକୁର ଦେବତାଙ୍କୁ ପୂଜା କରିଥାନ୍ତି। ଏଥି ସହିତ ଗ୍ରାମରେ ଲକ୍ଷ୍ମୀପୂଜା, ଦୂର୍ଗାପୂଜା ହେବା ସହ ନାମଯଜ୍ଞ, ସଂକୀର୍ତ୍ତନ ଭାଗବତ ପାଠ ଆଦି ଅନୁଷ୍ଠିତ ହୋଇଥାଏ। ଗ୍ରାମବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି। ଏଠାରେ ଧାନ, ରାଶି, ବାଦମ ଆଦି ଚାଷ କରାଯାଏ।
ଗାଁର ଲୋକ ପରିବାର ପୋଷଣ ଚାଷ ଉପରେ ନିର୍ଭର କରିବା ସହ ଧାନ, ରାଶି, ବାଦମ ଆଦି ଚାଷ କରନ୍ତି ବୋଲି ସ୍ଥାନୀୟ ବାସିନ୍ଦା ବାରାମ ପଟେଲ କହିଛନ୍ତି।
ଚାଷ ଉପରେ ନିର୍ଭଶୀଳ ଥିବା ଗ୍ରାମବାସୀଙ୍କ ପାଇଁ ଜଳ ସେଚନର ସୁବ୍ୟବସ୍ଥା କଲେ ଗାଁ ଲୋକେ ଅଧିକ ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଅନ୍ୟ ଗ୍ରାମବାସୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।