ଶୁଷ୍କ ଜମିରେ ବର୍ଷା ଜଳ ଅମଳ; ଧୁ ଧୁ ଖରା ଦିନେ ପୋଖରୀରେ ଲହଡ଼ି ଭାଙ୍ଗୁଛି ପାଣି

ଅନୁଗୁଳ ବ୍ଲକର ଜଙ୍ଗଲ ପାହାଡ଼ ଘେରା ଟାଇଁସି ପଞ୍ଚାୟତରେ ଲୋକେ ବର୍ଷା ଜଳକୁ ସଂରକ୍ଷଣ କରି ହୋଇପାରିଛନ୍ତି ଲାଭବାନ।

ଅନୁଗୁଳରେ ବର୍ଷା ଜଳକୁ ସଂରକ୍ଷଣ କରିବା ବ୍ୟବସ୍ଥା

ଅନୁଗୁଳରେ ବର୍ଷା ଜଳକୁ ସଂରକ୍ଷଣ କରିବା ବ୍ୟବସ୍ଥା

  • Share this:
News18 Odia Digital

ଅନୁଗୁଳ: ପାହାଡ଼ିଆ ଓ ଶୁଷ୍କ ଜମି। ବୁନ୍ଦାଏ ପାଣି ପାଇଁ କେବଳ ମଣିଷ କାହିଁକି ପଶୁପକ୍ଷୀ ମଧ୍ୟ ଡହଳବିକଳ ହୋଇଛନ୍ତି। ଶହ ଶହ ଏକର ଜମି ଥାଇ ମଧ୍ୟ ପାଣି ବିନା ପଡ଼ିଆ ପଡୁଛି। ହେଲେ ଏବେ ଆଉ ନୁହେଁ। ଡହଡହ ଖରାଦିନେ ପୋଖରୀରେ ପାଣି ଲହଡି ଭାଙ୍ଗୁଛି। ପ୍ରାୟ ସବୁ ପୋଖରୀରେ ୪/୫ଫୁଟ ପାଣି ରହୁଛି। ସେହି ପାଣିକୁ ବ୍ୟବହାର କରି ଚାଷୀ ସବୁ ପ୍ରକାର ଫସଲ କରିବା ସହ ମାଛ ଚାଷ କରି ଲାଭବାନ ହେଉଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ବ୍ଲକର ଜଙ୍ଗଲ ପାହାଡ଼ ଘେରା ଟାଇଁସି ପଞ୍ଚାୟତରେ ଲୋକେ ବର୍ଷା ଜଳକୁ ସଂରକ୍ଷଣ କରି ହୋଇପାରିଛନ୍ତି ଲାଭବାନ।

ଅନୁଗୁଳ ବ୍ଲକର ଟାଇଁସି ପଞ୍ଚାୟତ। ସାତକୋଶିଆ ଅଭୟାରଣ୍ୟ ଭିତରେ ଗାଁଟି ଥିବାରୁ ଚାରିପଟେ ଘଞ୍ଚ ଜଙ୍ଗଲ ଓ ପାହାଡ଼। ତେଣୁ ବର୍ଷ ସାରା ସେଠାରେ ପାଣିର ସମସ୍ୟା ଲାଗି ରହୁଛି। ବିଶେଷ କରି ଖରା ଦିନେ ଲୋକେ ଗାଧୋଇବା ଓ ନିଜ ନିଜର ଗୃହ ପାଳିତ ପଶୁମାନଙ୍କୁ ପାଣି ମୁନ୍ଦିଏ ଦେବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି। ଭୂତଳ ଜଳସ୍ତର ତଳକୁ ଖସି ଯାଇଥିବାରୁ ଯେତେ କୂଅ ନଳ କୂଅ ଖୋଳିଲେ କିଛି ଲାଭ ହେଉ ନାହିଁ।

ବର୍ଷା ଦିନେ ପାହାଡ଼ରୁ ପର୍ଯ୍ୟାପ୍ତ ପାଣି ବହି ଯାଉଛି। କୌଣସି କାମରେ ଲାଗି ପାରୁ ନାହିଁ। ଏହାକୁ ଦେଖି କିଛି ଲୋକ ଚିନ୍ତା କଲେ କିଭଳି ସେହି ଜଳକୁ ସଂରକ୍ଷଣ କରି ରଖିବେ। ସେମାନେ ସରକାରଙ୍କ ଜଳ ବିଭାଜିକା କାର୍ଯ୍ୟକ୍ରମ ଜରିଆରେ ବିଭାଗୀୟ ଅଧିକାରୀଙ୍କ ସହାୟତା ନେଇ ପାହାଡ଼ ତଳେ ବିଭିନ୍ନ ଜାଗାରେ ଛୋଟ ଛୋଟ ପୋଖରୀ ଖନନ କରି ସଫଳ ହେଲେ। ବହି ଯାଉଥିବା ବର୍ଷା ଜଳ ସେହି ପୋଖରୀରେ ସଂରକ୍ଷିତ ହୋଇ ରହିଲା।

ଚଳିତ ବର୍ଷ ଜିଲ୍ଲାରେ ଆଦୌ ବର୍ଷା ନାହିଁ। ତାପମାତ୍ରା ୪୫ ଡିଗ୍ରୀ ରହୁଛି। ଏଭଳି ସ୍ଥିତିରେ ମଧ୍ୟ ସେହି ପୋଖରୀ ଗୁଡିକରେ ଏବେ ୪/୫ ଫୁଟ ପାଣି ଅଛି। ସେହି ପାଣିକୁ ବ୍ୟବହାର କରି ଅନେକ ଚାଷୀ ଧାନ, ପନିପରିବା ଓ ଡାଲି ଜାତୀୟ ଫସଲ କରୁଛନ୍ତି। ଲୋକେ ଗାଧୁଆ ପାଧୁଆ କରି ପାରୁଛନ୍ତି। ବନ୍ୟଜନ୍ତୁ ଓ ଗୃହ ପାଳିତ ପଶୁମାନେ ସେଠାରୁ ପାଣି ତୃଷା ମେଣ୍ଟାଇ ପାରୁଛନ୍ତି। ମାଛ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି।

ଟାଇଁସି ପଞ୍ଚାୟତରେ ବର୍ତମାନ ସୁଦ୍ଧା ୧୭ଟି ପୋଖରୀ ଖନନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୧୦୦ ପୋଖରୀ ଖୋଳା ଯିବାର କାର୍ଯ୍ୟକ୍ରମ ରହିଛି। ବହୁ ଚାଷୀଙ୍କ ମନରେ ପୋଖରୀ ଖୋଳିବା ପାଇଁ ଆଗ୍ରହ ବଢୁଛି। ବିଗତ ଦୁଇ ବର୍ଷର ରେକର୍ଡ ଦେଖିଲେ ଜଣା ପଡୁଛି ଅନୁଗୁଳ ଜିଲ୍ଲାରେ ପ୍ରାୟ ୧୫୦୦ ପୋଖରୀ ଖୋଳା ଯାଇଛି।

ଗୋଟିଏ ପୋଖରୀରେ ପ୍ରାୟ ୧୨୦୦ ଘନ ମିଟର ପାଣି ସଂରକ୍ଷଣ କରାଯାଇ ପାରୁଛି। ତେଣୁ ସେହି ହିସାବରେ ଦେଖିବାକୁ ଗଲେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ଘନ ମିଟର ପାଣି ସଂରକ୍ଷଣ କରାଯାଇ ପାରିଛି। ୫୦୦ ହେକ୍ଟରରୁ ଅଧିକ ଜଳ ସେଚିତ ଜମି ସୃଷ୍ଟି କରାଯାଇ ପାରିଛି। ଦୁଇ ହଜାରରୁ ଅଧିକ ଚାଷୀ ଉପକୃତ ହୋଇ ପାରୁଛନ୍ତି। ଯେଉଁଠି ଦିନେ ଦୁବ କଅଁଳୁ ନଥିଲା ସେଠାରେ ବିଭିନ୍ନ ସମୟରେ ସବୁଜିମାରେ ପୁରି ଉଠୁଛି। ଏହା ନିଶ୍ଚିତ ଭାବେ ଏକ ଭଲ କଥା।
ଜଳ ବିଭାଜିକା ବିଭାଗୀୟ ଅଧିକାରୀଙ୍କ ସହାୟତା ଓ ଲୋକଙ୍କ ଆଗ୍ରହ ଓ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇ ପାରିଛି।

ଚାଷୀ ମୁହଁରେ ହସ ଫୁଟିଛି। କିଛି ବର୍ଷ ହେଲା ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ହେଉଛି। ଆବଶ୍ୟକ ନଥିବା ବେଳେ ପ୍ରବଳ ବର୍ଷା ହେଉଛି। ତେଣୁ ସେହି ବର୍ଷା ଜଳ କୌଣସି କାମରେ ନଲାଗି ବହି ଯାଉଛି। ଟାଇଁସି ପଞ୍ଚାୟତର ଚାଷୀମାନେ ବର୍ଷା ଜଳ ସଂରକ୍ଷଣ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।

“ଆମ ଅଞ୍ଚଳ ପାହାଡିଆ ହୋଇଥିବାରୁ ବର୍ଷ ସାରା ପାଣିର ଅଭାବ ହୁଏ। ଏକର ଏକର ଜମି ପଡ଼ିଆ ପଡ଼େ। ଏବେ କିନ୍ତୁ କିଛି ବର୍ଷ ହେଲା ଆମେ ଜଳଛାୟା କାର୍ଯ୍ୟକ୍ରମରେ ପୋଖରୀ ଖୋଲିଛୁ। ଗ୍ରୀଷ୍ମ ଋତୁରେ ମଧ୍ୟ ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଛି। ସେହି ପାଣିକୁ ବ୍ୟବହାର କରି ବାଡ଼ି ବଗିଚା, ମାଛ ଚାଷ କରି ଲାଭ ପାଇ ପାରୁଛୁ,’’ ଏମିତି କହିଛନ୍ତି ଜଣେ ଚାଷି ରୁଦ୍ର ପ୍ରଧାନ।

“ବର୍ଷା ହେଲେ ପାହାଡ଼ରୁ ସବୁ ପାଣି ତଳକୁ ବହି ଯାଉଥିଲା। ସେ ପାଣି କୌଣସି ବ୍ୟବହାରରେ ଲାଗି ପାରୁ ନଥିଲା। ତେଣୁ କେତେକ ଚାଷୀ ବର୍ଷା ଜଳକୁ ସଂରକ୍ଷଣ କରିବାକୁ ମନସ୍ଥ କଲେ। ସରକାରଙ୍କ ଜଳ ବିଭାଜିକା ଅଧିକାରୀମାନଙ୍କ ସହାୟତାରେ ପୋଖରୀ ଖୋଳିଲେ ଓ ସଫଳ ହୋଇ ପାରିଲେ। ଆଗକୁ ଆହୁରି ବହୁ ଚାଷୀ ଏଭଳି ପୋଖରୀ ଖୋଳିବାକୁ ଇଛା ପ୍ରକାଶ କରିଛନ୍ତି। ଯାହାକି ବର୍ତ୍ତମାନ ଭଳି ଜଳକ୍ଳିଷ୍ଟ ସମୟରେ ବହୁ ଉପଯୋଗୀ ହୋଇ ପାରିଛି,’’ କହିଛନ୍ତି ଜିଲ୍ଲା ଜଳ ଛାୟା କମିଟିର ସଦସ୍ୟ ସୁଶୀଲ ପ୍ରଧାନ।

“ଏହା ନିଶ୍ଚିତ ଭାବେ ଏକ ସଫଳ କାର୍ଯ୍ୟକ୍ରମ। ଅନୁଗୁଳ ଜିଲ୍ଲାର ଏ ପର୍ଯ୍ୟନ୍ତ ଜାହା ବି ହୋଇଛି ଆଗକୁ ଆହୁରି ଅଧିକ କରାଯିବ। ଏହାଦ୍ୱାରା ଚାଷୀମାନେ ଉପକୃତ ହୋଇ ପାରୁଛନ୍ତି। ବର୍ଷା ଜଳ ସଂରକ୍ଷଣ ହୋଇ ପାରୁଛି। ଭୂତଳ ଜଳ ସ୍ତର ବଢୁଛି। କେତେକ ସ୍ଥାନରେ ଜଳର ଅଭାବ ମଧ୍ୟ ଦୂର ହୋଇ ପାରୁଛି,’’ କହିଛନ୍ତି ଜଳ ଛାୟା ପ୍ରକଳ୍ପ ନିର୍ଦେଶକ ଶିବ ପ୍ରସାଦ ପାଢ଼ୀ।
Published by:Lipina Das
First published: