ବେଙ୍ଗାଲୁରୁରେ ଚାକିରି ଛାଡ଼ି ଗାଁକୁ ଆସି ଚାଷ କଲେ ଅନୁଗୁଳର ଯୁବକ; ଏବେ ଭଲ ଆୟ, ବହୁତ ଖୁସି

ନିଜର ପରିତ୍ୟକ୍ତ ହୋଇ ପଡ଼ିଥିବା ପ୍ରାୟ ଏକ ଏକର ଜମିକୁ ସଫା କରି ସେଥିରେ କଲରା ଚାଷ ଆରମ୍ଭ କରିଥିଲେ ଅମର । ସେହି ଦିନରୁ ଆଜି ଯାଏଁ ସେ ଆଉ ପଛକୁ ଫେରି ନାହାଁନ୍ତି । ମାସକୁ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରି ସେ ବେଶ୍ ଆରାମରେ ଅଛନ୍ତି ।

ବେଙ୍ଗାଲୁରୁରେ ଚାକିରି ଛାଡ଼ି ଗାଁକୁ ଆସି ଚାଷ କଲେ ଅନୁଗୁଳର ଯୁବକ; ଏବେ ଭଲ ଆୟ, ବହୁତ ଖୁସି
ନିଜ କଲରା ଖେତରେ ଅମର ବେହେରା
  • News18 Odia
  • Last Updated: November 12, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭିକାରି ମହାନ୍ତି | News18 Odia Digital

ଅନୁଗୁଳ: ପେଟ ପାଇଁ ସୁଦୂର ବେଙ୍ଗାଲୁରୁ ଯାଇ ଏକ ହୋଟେଲରେ ଦାଦନ ଖଟୁଥିଲେ ଅମର ବେହେରା । ଦୀର୍ଘ ଆଠ ବର୍ଷ ସେଠି କାମ କରି କେବଳ ଗଣ୍ଡେ ଭଲ ଖାଇବା ଛଡ଼ା ଟଙ୍କାଟିଏ ବି ସଞ୍ଚୟ କରି ପାରିଲେ ନାହିଁ ସେ । ଘରେ ବିଧବା ମା’ ପାଖକୁ କିଛି ପଠାଇ ବି ପାରିଲେ ନାହିଁ । ଏମିତି କେତେ ବର୍ଷ କରି ଥାଆନ୍ତେ? ବୟସ ୩୦ ଟପିଥିଲା । ବିବାହ କରି ଘର ସଂସାର କରିବାର ସମୟ ଆସିଯାଇଥିଲା । ତେଣୁ ଗୋଟେ କିଛି ଅଲଗା କରିବାକୁ ନିଷ୍ପତ୍ତି ନେଲେ ସେ । ମାର୍ଚ୍ଚ ମାସରେ ଲକଡାଉନ ବେଳେ ସରକାରଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ଟ୍ରେନ ଯୋଗେ ଗାଁକୁ ଫେରିଲେ ଆଉ ଚାଷ କାମରେ ପୂରା ଧ୍ୟାନ ଦେଲେ । ଆଉ ଏବେ ସେ ଗାଁ ଛାଡ଼ି କୁଆଡ଼େ ଯିବାକୁ ଚାହୁଁନାହାନ୍ତି ଅମର ।

ନିଜର ପରିତ୍ୟକ୍ତ ହୋଇ ପଡ଼ିଥିବା ପ୍ରାୟ ଏକ ଏକର ଜମିକୁ ସଫା କରି ସେଥିରେ କଲରା ଚାଷ ଆରମ୍ଭ କରିଥିଲେ ଅମର । ସେହି ଦିନରୁ ଆଜି ଯାଏଁ ସେ ଆଉ ପଛକୁ ଫେରି ନାହାଁନ୍ତି । ମାସକୁ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରି ସେ ବେଶ୍‌ ଆରାମରେ ନିଜ ମା’ଙ୍କ ସହ ରହୁଛନ୍ତି ।

ଏହା ବି ପଢ଼ନ୍ତୁ | Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେ

ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ନାକଚି ଗାଁର ଯୁବ ଚାଷୀ ଅମର ବେହେରା ଯୁକ୍ତ୨ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ପିଲାଟି ଦିନରୁ ବାପାଙ୍କୁ ହରାଇ ଥିଲେ । ଘରେ କେବଳ ବିଧବା ମା’ଙ୍କୁ ଛାଡ଼ିଦେଲେ ଆଉ କେହି ନାହାନ୍ତି । ଘୋର ଆର୍ଥିକ ଅନଟନ ଭିତରେ ଜୀବନ ବିତାଇବାକୁ ପଡ଼ିଥିଲା ତାଙ୍କୁ । ବାପାଙ୍କ ଅମଳର କିଛି ଜମି ଥିଲେ ବି ତାହା ଚାଷ ଉପଯୋଗୀ ନ ଥିଲା । ତେଣୁ ପେଟ ପୋଷିବା ପାଇଁ ବାଧ୍ୟ ହୋଇ ବେଙ୍ଗାଲୁରୁ ଚାଲିଯାଇଥିଲେ ସେ ।

ଅମର ବେହେରା କଲରା ଖେତରେ କୀଟନାଶକ ସ୍ପ୍ରେ କରୁଛନ୍ତି ।


‘‘ବେଙ୍ଗାଲୁରୁର ଏକ ହୋଟେଲରେ କାମ କରି କେବଳ ଗଣ୍ଡେ ଭଲ ଖାଇ ମାସିକ ଚାରିରୁ ପାଞ୍ଚ ହଜାର ଟଙ୍କା ବଞ୍ଚୁଥିଲା । ସେତିକିରେ ନିଜେ ଖର୍ଚ୍ଚ କରି ଘରକୁ ମା’ ପାଖକୁ ପଇସା ପଠାଇବା ସମ୍ଭବ ହୋଇ ପାରୁ ନ ଥିଲା । ଆଉ କୌଣସି ଉପାୟ ନ ଥିବାରୁ ବାଧ୍ୟ ହୋଇ ସେଠାରେ ପଡ଼ିରହିଥିଲି । ହେଲେ ନିଜ ଉଦ୍ୟମ ଯୋଗୁଁ ଆଜି ଜଣେ ଜଣେ ସଫଳ ଚାଷୀ ହୋଇ ପାରିଛି ବୋଲି ମୁଁ ଭାରି ଖୁସି,’’ କହିଛନ୍ତି ୩୦ ବର୍ଷୀୟ ଅମର ହେବେରା ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

ଗାଁକୁ ଫେରି ଅକ୍ଲାନ୍ତ ପରିଶ୍ରମ କରି ସେ ନିଜ ଜମିକୁ ଚାଷ ଉପଯୋଗୀ କରିଥିଲେ ଓ ସେଥିରେ କଲରା ଚାଷ ଆରମ୍ଭ କରିଥିଲେ । ଭଲ ଫଳିଲା । ବେଶ୍‌ ଭଲ ଦି’ ପଇସା ରୋଜଗାର କରି ପାରୁଛନ୍ତି ସେ । ସବୁ ଠାରୁ ବଡ଼ କଥା ହେଉଛି ସେ ଆଉ ବାହାରେ ଦାଦନ ଖଟୁ ନାହାନ୍ତି । ନିଜ ଜନ୍ମ ମାଟିରେ ନିଜ ମା’ ପାଖରେ ରହୁଛନ୍ତି। ପେଟ ପୋଷିବା ପାଇଁ ତାଙ୍କର ଆଉ ଚିନ୍ତା ନାହିଁ ।

“ମୋ ଜନ୍ମ ମାଟି, ମୋ ମା’ ଓ ମୋ’ ଘର ସବୁବେଳେ ମନେ ପଡୁଥିଲା । କେବେଳ ପେଟ ଚାଖଣ୍ଡେ ପାଇଁ ମୁଁ ବେଙ୍ଗାଲୁରୁରେ ପଡ଼ି ରହିଥିଲି । ଗାଁକୁ ଫେରି ବାପାଙ୍କ ଅମଳର ସେହି ଜମିରୁ କିଛି ରୋଜଗାର କରିବାକୁ ଚିନ୍ତା କଲି ଓ ଶେଷରେ ସଫଳ ହେଲି । ଆଜି ଦୈନିକ ବହୁ ପରିମାଣର କଲରା ଉତ୍ପାଦନ ହେଉଛି। ଏଠାକୁ ବାହାର ବେପାରୀ ଆସି ନେଉଛନ୍ତି। ଭଲ ଅର୍ଥ ରୋଜଗାର କରୁଛି,’’ କହିଛନ୍ତି ଅମର ।

ଏହା ବି ପଢ଼ନ୍ତୁ | ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’

ପିଲାଟି ଦିନରୁ ନିଜ ବାପାଙ୍କୁ ହରାଇ ବହୁତ କଷ୍ଟରେ ଦିନ କଟାଇଥିଲେ ଅମର । ତାଙ୍କ ମା’ ଜ୍ୟୋତ୍ସ୍ନା ଅଙ୍ଗନବାଡ଼ି କେନ୍ଦ୍ରରେ କାମ କରି ମାସକୁ ୧୦୦ ଟଙ୍କା ରୋଜଗାର କରି ତାଙ୍କୁ ବଡ଼ କରିଥିଲେ । ‘‘ତାକୁ ପାଠ ପଢ଼ାଇଲି। କିନ୍ତୁ ସେ ଯେତେବେଳେ ବାହାରକୁ ଚାଲିଗଲା ମୁଁ ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲି । ଏବେ ମୋ’ ପୁଅ ମୋ’ ପାଖରେ ରହି ଚାଷ କରି ଭଲ ଦି’ ପଇସା ରୋଜଗାର କରି ପାରୁଛି। ମୋ’ର ଚିନ୍ତା ଦୂର ହୋଇଛି,’’ ଲୁହ ଛଳ ଛଳ ଆଖିରେ କହିଛନ୍ତି ଜ୍ୟୋତ୍ସ୍ନା।

ଅମର ଗାଁକୁ ଫେରି ଚାଷ କାମରେ ମନ ଲଗାଇଥିବାରୁ ଗାଁ ଲୋକେ ବି ଭାରି ଖୁସି । ଗାଁର ଜଣେ ବରିଷ୍ଠ ବ୍ୟକ୍ତି ଅଲେଖ ପ୍ରଧାନ କହିଛନ୍ତି ଯେ ପିଲାଟି ଦିନରୁ ବହୁ କଷ୍ଟ ସ୍ୱୀକାର କରି ବଢ଼ିଥିବା ଅମରକୁ ଆଉ ରାଜ୍ୟ ବାହାରେ ଦାଦନ ଖଟିବାକୁ ପଡ଼ୁ ନ ଥିବା ଦେଖି ଅନେକ ଲୋକ ଖୁସି ହେଉଛନ୍ତି । ‘‘ଆଜି ସେ ନିଜ ଉଦ୍ୟମରେ କଲରା ଚାଷ କରି ସ୍ୱାବଲମ୍ବୀ ହୋଇଛି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି । ଏହା ଏକ ବହୁତ ବଡ଼ କଥା,’’ କହିଛନ୍ତି ପ୍ରଧାନ ।



ଅମର ଆଜି ଯାହା କରି ଦେଖାଇଛନ୍ତି ତାହା ଅନ୍ୟ ପ୍ରବାସୀ ଶ୍ରମିକମାନଙ୍କ ପ୍ରତି ଏକ ପ୍ରେରଣା ପାଲଟୁଛି । ପର ପାଖରେ ମୂଲ ଲାଗିବା ଅପେକ୍ଷା ନିଜେ ନିଜ ଜମି ଚଷି ରୋଜଗାର କରିବା ଓ ସେହି ରୋଜଗାରରେ ସୁଖି ରହିବାର ଆନନ୍ଦକୁ ବୁଝି ପାରିଛନ୍ତି ଅମର ।
Published by: Anand Shankar Thankur Das
First published: November 12, 2020, 11:56 PM IST
corona virus btn
corona virus btn
Loading