ଅନୁଗୁଳ: ନବମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ନାୟକଙ୍କ ଦ୍ବାରା ପ୍ରସ୍ତୁତ ଡ୍ରୋନ୍ 'ମାଭିକ୍' ଏକ ମିରାକ୍ଲ୍ ବୋଲି ଦର୍ଶାଇ ଆମେରିକାର ନାସା ସ୍ପେସ୍ ସେଟେଲମେଣ୍ଟ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ତାଙ୍କୁ ଡାକରା ଆସିଛି । ସାରା ବିଶ୍ବରୁ ମାତ୍ର 138 ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରୁଥିବା ବେଳେ ଭାରତରୁ ମାତ୍ର ଦୁଇ ଜଣ ମନୋନୀତ ହୋଇଛନ୍ତି । ସେହି ଦୁଇ ଜଣଙ୍କ ମଧ୍ୟରେ ଅନୁଗୁଳର ଶୁଭ୍ରାଂଶୁ ନାୟକ ଅନ୍ୟତମ । ଏହି ଗସ୍ତ ପାଇଁ ଭାରତ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଜଣା ପଡ଼ିଛି ।

ଶୁଭ୍ରାଂଶୁ ନାୟକଙ୍କ ଦ୍ବାରା ପ୍ରସ୍ତୁତ ଡ୍ରୋନ୍ 'ମାଭିକ୍'
ଶୁଭ୍ରାଂଶୁ ପ୍ରସ୍ତୁତ କରିଛନ୍ତି ଏକ ରୋବଟ୍ ଡ୍ରୋନ୍ ଯାହାକି ବେଶ୍ ନିଆରା । ଏଇ ଡ୍ରୋନ୍ ପ୍ରାୟ 25 କିମି ଦୁରତା ପର୍ଯ୍ୟନ୍ତ ଯାଇ ପାରିବ ଏବଂ ଦୀର୍ଘ ସମୟ ଆକାଶରେ ଉଡ଼ି ପାରିବ । ପ୍ରାୟ 15 କେଜି ଓଜନ ଜିନିଷ ବୋହି ପାରିବ । ଏହା ଦ୍ବାରା ଦୁର୍ଗମ ଅଞ୍ଚଳରେ ଯେଉଁଠି ଆମ୍ବୁଲାନସ ପହଞ୍ଚି ପାରିବ ନାହିଁ କିମ୍ବା ଡାକ୍ତର ପହଞ୍ଚି ପାରିବେ ନାହିଁ ସେହି ଅଞ୍ଚଳକୁ ଡ୍ରୋନ ଯାଇ ପାରିବ । ସେଥିରେ ଲାଗିଥିବା କ୍ୟାମେରାରେ ଡାକ୍ତର ରୋଗୀକୁ ଦେଖି ପାରିବେ ଏବଂ ରୋଗୀ ସହ କଥା ହୋଇ ପାରିବେ । ଆବଶ୍ୟକ ଔଷଧ ଡ୍ରୋନ୍ ଯୋଗେ ରୋଗୀ ପର୍ଯ୍ୟନ୍ତ ପଠାଇ ହେବ ।
ରାସ୍ତାରେ ଯେତେ ବଡ଼ ଗଛ, ଅଟାଳିକା କିମ୍ବା ପାହାଡ଼ ଆସିଲେ ମଧ୍ୟ ଶୁଭ୍ରାଂଶୁଙ୍କ ଡ୍ରୋନ୍ ଅଟକିବ ନାହିଁ । ସେଥିରେ ଲାଗିଥିବା ସେନସର୍ ଓ ଅନ୍ୟାନ୍ୟ ଟେକ୍ନଲୋଜି ବଳରେ ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚି ପାରିବ । ଏଭଳି ଏକ ଡ୍ରୋନ୍ ପ୍ରସ୍ତୁତ କରି ଶୁଭ୍ରାଂଶୁ ନାସାର ଔେବସାଇଟ୍କୁ ପଠାଇ ଥିଲେ । ସେଠାରେ ତାଙ୍କ ମଡ଼େଲ୍ ବେଶ୍ ଆଦୃତ ହୋଇଥିଲା ।
ଅନୁଗୁଳ ସହର ଉପକଣ୍ଠ ହୁଲୁରୁସିଂହାର ଏକ ବସ୍ତିରେ ବସବାସ କରୁଥିବା ଲକ୍ଷ୍ମଣ ନାୟକ ଓ ସୁଲୋଚନା ନାୟକଙ୍କର ଏକମାତ୍ର ପୁଅ ଶୁଭ୍ରାଂଶୁ । ସେ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ନବମ ଶ୍ରେଣୀରେ ପଢ଼ନ୍ତି । ବାପା ଲକ୍ଷ୍ମଣ ପୁରୁଣା ସିମେଣ୍ଟ୍ ବସ୍ତାରେ ବ୍ୟାଗ୍ ତିଆରି କରି ବିକ୍ରି କରି ପରିବାର ଚ଼ଳାନ୍ତି । ସେହି କାମରେ ସ୍ତ୍ରୀ ସୁଲୋଚନା ସହାୟତା କରନ୍ତି । ଏଭଳି ଏକ ଗରିବ ପରିବାର ତଥା ଅଖ୍ୟାତ ବସ୍ତିରୁ ଜନ୍ମ ହୋଇ ସାରା ଦେଶରେ ନାଁଆ କରିବାକୁ ଯାଉଛନ୍ତି ଶୁଭ୍ରାଂଶୁ ।

ବାପା ଓ ମାଙ୍କ ସହିତ ଶୁଭ୍ରାଂଶୁ ନାୟକ
ପିଲାଟି ଦିନରୁ ତାଙ୍କର ରହିଛି ବିଜ୍ଞାନ ପ୍ରତି ଅହେତୁକ ଆଗ୍ରହ । ଘରେ କିଛି ନା କିଛି ନୂଆ ନୂଆ ଜିନିଷ କରିବା ତାଙ୍କର ଅଭ୍ୟାସ । ସ୍କୁଲ ସ୍ତରରେ ହେଉଥିବା ବିଜ୍ଞାନ ପ୍ରତିଯୋଗିତାରେ ନୂଆ ନୂଆ ପ୍ରକଳ୍ପ ତିଆରି କରି ସବୁବେଳେ ପ୍ରଶଂସିତ ତଥା ପୁରସ୍କୃତ ହୋଇଚନ୍ତି ସେ । ଏଥର କିନ୍ତୁ ସେ ସେତିକିରେ ସୀମିତ ନରହି କିଛି ବଡ଼ ଜିନିଷ କରିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି ।
ଶୁଭ୍ରାଂଶୁଙ୍କ ଏହି କୃତୀତ୍ବ ପାଇଁ କେବଳ ତାଙ୍କ ପରିବାର କାହିଁକି ସାରା ବସ୍ତି ବାସିନ୍ଦା ଗର୍ବିତ । ବସ୍ତିରେ ଖୁସିର ଲହରୀ ଖେଳି ଯାଇଛି । ସେ ପଢୁଥିବା ସ୍କୁଲରେ ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସମସ୍ତେ ଗର୍ବିତ ଓ ଆନନ୍ଦିତ । ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ ।
ଆସନ୍ତା ନଭେମ୍ବର 27 ତାରିଖରେ ଶୁଭ୍ରାଂଶୁ ନାସା ଅଭିମୁଖେ ଯାତ୍ରା କରିବେ । ସେଥିପାଇଁ ସରକାରୀ ସ୍ତରରେ ତାଙ୍କୁ ସମସ୍ତ ସୂଚନା ଦିଆ ଯାଇଛି । ସେଠାରେ ଭାରତର ଜଣେ ପ୍ରତିଭାବାନ ଯୁବ ବୈଜ୍ଞାନିକ ଭାବେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।