ଭିକାରି ମହାନ୍ତିଅନୁଗୁଳ: ଅନୁଗୁଳର କୁନି ବୈଜ୍ଞାନିକ ଶୁଭ୍ରାଂଶୁ ନାୟକ ଠକାମୀର ଶିକାର ହୋଇଛନ୍ତି । ଆମେରିକାର ନାସା (NASA) କୁ ଯିବେ ବୋଲି ସୂଚନା ପାଇବା ପରେ ତାଙ୍କ ପାଦ ତଳେ ଲାଗୁ ନଥିଲା । ହେଲେ ଏବେ ସବୁ କିଛି ମିଛ ବୋଲି ଜାଣିବା ପରେ ସେ ସ୍ତବ୍ଧ ହୋଇଯାଇଛନ୍ତି।
ପୁଅ ବଡ଼ ଲୋକ ହେବ ଓ ସାରା ଦେଶର ନାଁ ରଖିବ ବୋଲି ଆଶା କରି ତାଙ୍କ ବାପା ଓ ମା ବି ଖୁସିରେ ଅଧିର ହୋଇ ପଡ଼ିଥିଲେ । ସାହି ପଡ଼ିଶା ଲୋକଙ୍କ ଛାତି ଗର୍ବରେ ଫାଟି ପଡ଼ୁଥିଲା । ସମସ୍ତଙ୍କ ଆଖିରେ ଥିଲା ଆଖିଏ ସ୍ବପ୍ନ । ମାତ୍ର ଏବେ କେବଳ ଶୁଭ୍ରାଂଶୁ କାହିଁକି, ତାଙ୍କ ବାପାମା’ ଓ ପରିବାର ସମସ୍ତଙ୍କ ଆଖିରୁ ଝରୁଛି ଅବିଶ୍ରାନ୍ତ ଲୁହ । ସାରା ଅନୁଗୁଳ ଏଥିପାଇଁ ଦୁଃଖିତ ଓ ମର୍ମାହତ ।

ଶୁଭ୍ରାଂଶୁ ନାୟକଙ୍କ ଦ୍ବାରା ପ୍ରସ୍ତୁତ ଡ୍ରୋନ୍ 'ମାଭିକ୍'
ଅନୁଗୁଳ ସହର ଉପକଣ୍ଠ ହୁଲୁରୁସିଂହାର ଏକ ବସ୍ତିରେ ବସବାସ କରୁଥିବା ଲକ୍ଷ୍ମଣ ନାୟକ ଓ ସୁଲୋଚନା ନାୟକଙ୍କର ଏକମାତ୍ର ପୁଅ ଶୁଭ୍ରାଂଶୁ । ସେ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି । ଲକ୍ଷ୍ମଣ ପୁରୁଣା ସିମେଣ୍ଟ ବସ୍ତାରେ ବ୍ୟାଗ୍ ତିଆରି କରି ବିକ୍ରି କରି ପରିବାର ଚଳାନ୍ତି । ସେହି କାମରେ ସ୍ତ୍ରୀ ସୁଲୋଚନା ସହାୟତା କରନ୍ତି । ଏଭଳି ଏକ ଗରିବ ପରିବାର ତଥା ଅଖ୍ୟାତ ବସ୍ତିରେ ଶୁଭ୍ରାଂଶୁଙ୍କ ଜନ୍ମ । ପିଲାଟି ଦିନରୁ ପାଠ ପଢାରେ ବେଶ୍ ଆଗରେ ସେ ।
ଗଣିତ, ଇଂରାଜି ଓ ବିଜ୍ଞାନ ବିଷୟରେ ତାଙ୍କର ଅସୀମ ଆଗ୍ରହ । ପ୍ରଥମ ଶ୍ରେଣୀରୁ ଆଜି ପର୍ଯ୍ୟନ୍ତ ପରୀକ୍ଷାରେ ଶତକଡ଼ା 95 ପ୍ରତିଶତରୁ ଅଧିକ ନମ୍ବର ରଖି ଆସୁଛନ୍ତି ସେ। କିନ୍ତୁ ବିଜ୍ଞାନ ପ୍ରତି ତାଙ୍କର ରହିଛି ଅହେତୁକ ଆଗ୍ରହ । ଘରେ କିଛି ନା କିଛି ନୁଆ ନୁଆ ଜିନିଷ ତିଆରି କରିବା ତାଙ୍କର ଅଭ୍ୟାସ । ସ୍କୁଲ ସ୍ତରରେ ହେଉଥିବା ବିଜ୍ଞାନ ପ୍ରତିଯୋଗିତାରେ ନୂଆ ନୂଆ ପ୍ରକଳ୍ପ ତିଆରି କରି ସବୁବେଳେ ପ୍ରଶଂସିତ ତଥା ପୁରସ୍କୃତ ହୋଇଚନ୍ତି ସେ।
ଏଥର କିନ୍ତୁ ସେ ସେତିକିରେ ସିମିତ ନରହି କିଛି ବଡ଼ ଜିନିଷ କରିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି ସେ। ସୁଭ୍ରାଂଶୁ ପ୍ରସ୍ତୁତ କରିଛନ୍ତି ଏକ ରୋବର୍ଟ ଡ୍ରୋନ୍ ଯାହା ବେଶ୍ ନିଆରା । ସେହି ଡ୍ରୋନ୍ ପ୍ରାୟ 25 କିମି ଦୂରତା ପର୍ଯ୍ୟନ୍ତ ଯାଇ ପାରିବ ଏବଂ ଦୀର୍ଘ ସମୟ ଆକାଶରେ ଉଡ଼ି ପାରିବ । ପ୍ରାୟ 15 କେଜି ଓଜନ ଜିନିଷ ବି ବୋହି ପାରିବ । ଏହା ଦ୍ବାରା ଦୁର୍ଗମ ଅଞ୍ଚଳରେ ଯେଉଁଠି ଆମ୍ବୁଲାନସ ପହଞ୍ଚି ପାରିବ ନାହିଁ କିମ୍ବା ଡାକ୍ତର ପହଞ୍ଚି ପାରିବେ ନାହିଁ ସେହି ଅଞ୍ଚଳକୁ ଏହି ଡ୍ରୋନ୍ ଦ୍ୱାରା ଔଷଧ ଆଦି ପଠା ଯାଇ ପାରିବ ।
ଡ୍ରୋନ୍ରେ ଲାଗିଥିବା କ୍ୟାମେରାରେ ଡାକ୍ତର ରୋଗିକୁ ଦେଖି ପାରିବେ ଏବଂ ରୋଗି ସହ କଥା ବି ହୋଇ ପାରିବେ । ରାସ୍ତାରେ ଯେତେ ବଡ଼ ଗଛ, ଅଟ୍ଟାଳିକା କିମ୍ବା ପାହାଡ଼ ଆସିଲେ ମଧ୍ୟ ଡ୍ରୋନ୍ ଅଟକିବ ନାହିଁ । ସେଥିରେ ଲାଗିଥିବା ସେନସର୍ ଓ ଅନ୍ୟାନ୍ୟ ଟେକ୍ନୋଲୋଜି ବଳରେ ନିର୍ଦ୍ଦିଷ୍ଟ ଜାଗାରେ ଏହା ପହଞ୍ଚି ପାରିବ ।
ଏଭଳି ଏକ ଡ୍ରୋନ୍ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ 65 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ଅଭାବ ସତ୍ବେ ବାପା ପୁଅର ଆଗ୍ରହ ଦେଖି ଧାର ଉଧାର କରି ଟଙ୍କା ଯୋଗାଇ ଦେଇଥିଲେ ।
ଏଭଳି ଏକ ଅଭିନବ ଡ୍ରୋନ ପ୍ରସ୍ତୁତ କରିବା ପରେ ତାକୁ କେବଳ ସ୍କୁଲ ସ୍ତରରେ ସୀମିତ ରଖିବାକୁ ଚାହିଁ ନଥିଲେ ଶୁଭ୍ରାଂଶୁ । ସେ ଶୁଣିଥିଲେ ବିଶ୍ବର ସର୍ବଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ ନାସାରେ ପ୍ରତି ବର୍ଷ ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତା ହୁଏ ଯେଉଁଠି ବିଶ୍ବର କୋଣ ଅନୁକୋଣରୁ ବୈଜ୍ଞାନିକ ମାନେ ନିଜର ମନୋନିତ ମଡ଼େଲ ନେଇ ଅଂଶ ଗ୍ରହଣ କରନ୍ତି । ସେହି ଆଶା ନେଇ ଶୁଭ୍ରାଂଶୁ ହାଇଦରାବାଦରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କ ସହ ଯୋଗାଯୋଗ କରିଥିଲେ । ବନ୍ଧୁ ଜଣକ ଶୁଭ୍ରାଂଶୁଙ୍କୁ ମେଲ୍ ଆଇଡି ଦେଇଥିଲେ । ସେହି ଆଇଡିରେ ମଡ଼େଲ୍ର ନକସା, ଛବି ଓ ନିଜ ସମ୍ପର୍କରେ ସବିଶେଷ ବିବରଣୀ ପଠାଇବାକୁ କହିଥିଲେ । ଶୁଭ୍ରାଂଶୁ ମଧ୍ୟ ସେଭଳି କରିଥିଲେ ।
କିଛି ଦିନ ପରେ ସ୍କୁଲ୍କୁ ମେଲ ଯୋଗେ ଖବର ଆସିଥିଲା ଯେଉଁଥିରେ ନାସାର ଅବିକଳ ଚିତ୍ର ଥିଲା । କେହି ଜାଣିବା କିମ୍ବା ସନ୍ଦେହ କରିବା ଆଦୈା ସମ୍ଭବ ନଥିଲା । ଚିଠିରେ ଉଳ୍ଲେଖ ଥିଲାଯେ ନାସା ଦ୍ବାରା ଆୟୋଜିତ ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତାରେ ସାରା ବିଶ୍ବରୁ 138ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ଭାରତରୁ ମାତ୍ର ଦୁଇ ଜଣ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଶୁଭ୍ରାଂଶୁ ଅନ୍ୟତମ । ନଭେମ୍ବର 27 ତାରିଖରେ ଆମେରିକା ଅଭିମୁଖେ ଯାତ୍ରା କରିବାକୁ ଚିଠିରେ କୁହା ଯାଇଥିଲା ।
ତା’ପରେ କେବଳ ଶୁଭ୍ରାଂଶୁ କାହିଁକି ତାଙ୍କ ପରିବାର ଲୋକେ, ସାହି ବାସିନ୍ଦା, ସ୍କୁଲ୍ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ଶୁଭ୍ରାଂଶୁଙ୍କୁ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଥିଲା । ଏକ ବର୍ଣ୍ଣାଢ୍ୟ ପରିବେଶରେ ସ୍କୁଲ୍ରେ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରା ଯାଇଥିଲା । ଶୁଭ୍ରାଂଶୁ ମଧ୍ୟ ନିଜକୁ ଆମେରିକା ଯିବାକୁ ପ୍ରସ୍ତୁତ କରୁଥିଲେ ।

ବାପା ଓ ମାଙ୍କ ସହିତ ଶୁଭ୍ରାଂଶୁ ନାୟକ
ସେ ତାଳଚେର ବିଧାୟକ, ଜିଲା ପ୍ରଶାସନ ଓ ଏସ୍ପିଙ୍କୁ ସହାୟତା ପାଇଁ ଗୁହାରି କରିଥିଲେ । ସବୁ ଆଡ଼ୁ ସହଯୋଗର ସୁଅ ଛୁଟିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରି ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ସବୁ କିଛି ଠିକ୍ ଥିଲା । କିନ୍ତୁ ଦିନ ପାଖେଇ ଆସୁଥିଲେ ମଧ୍ୟ ସରକାରୀ ଭାବେ କୈାଣସି ସୂଚନା ମିଳିଲାନି । ଫଳରେ ସମସ୍ତଙ୍କ ସନ୍ଦେହ ବଢିଲା । ଶୁଭ୍ରାଂଶୁଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍କୁ ଯାଇଥିଲେ ଓ କର୍ମଚାରୀଙ୍କୁ ନାସାର ସମସ୍ତ ଚିଠି ଦେଖାଇଥିଲେ । କିନ୍ତୁ ସେଭଳି କୈାଣସି ଚିଠି ଭାରତ ସରକାରଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍କୁ ଆସିନଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏବାଦଦରେ ସାକ୍ଷାତ କରି ପାରିବେ ନାହିଁ ବୋଲି କହି ଫେରାଇ ଦେଇଥିଲେ ।
ଏହାପରେ ସ୍କୁଲ୍ କର୍ତ୍ତୃପକ୍ଷ ଅନୁଗୁଳ ଏସପିଙ୍କୁ ଭେଟି ସବୁକିଛି ଜଣାଇଥିଲେ । ଏସ୍ପି ପ୍ରାଥମିକ ତଦନ୍ତ କରି ସମସ୍ତ ଚିଠି ନକଲି ବୋଲି କହିଥିଲେ । ଯେଉଁ ଫୋନ୍ରେ ଶୁଭ୍ରାଂଶୁ କଥାବାର୍ତ୍ତା ହେଉଛନ୍ତି ତାହା ରାଉରକେଲାର ବୋଲି ଜଣା ପଡ଼ିଥିଲା । ଏହା ପରେ ମଧ୍ୟ ଶୁଭ୍ରାଂଶୁ ସ୍କୁଲ୍ର ପ୍ରଧାନ ଶିକ୍ଷକଙ୍କ ସହ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଥିଲେ । ମନ୍ତ୍ରୀଙ୍କ ସହଯୋଗରେ ବିଦେଶ ମନ୍ତ୍ରଣାଳୟକୁ ଯାଇ ଚିଠି ଦେଖାଇ ଥିଲେ । ସେଠାରେ ସବୁ ଚିଠି ମିଛ ବୋଲି ଜଣା ପଡ଼ିଥିଲା । ଶୁଭ୍ରାଂଶୁଙ୍କ ଆଶା ମଉଳି ଗଲା । ହଠାତ ମୁଣ୍ଡ ଉପରେ ବଜ୍ର ପଡ଼ିଲା ପରି ଲାଗିଲା ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯିଏ ବି ଶୁଭ୍ରାଂଶୁଙ୍କୁ ଏଭଳି ଠକିବାକୁ ଚେଷ୍ଟା କରିଛି ତା’ର କାରଣ କଣ ହୋଇ ପାରେ । ତାଙ୍କ ଦ୍ବାରା ପ୍ରସ୍ତୁତ ଡ୍ରୋନ୍ର କୈାଶଳ ଚୋରୀ କରିବାକୁ ଏଭଳି କରିନି ତ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠୁଛି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି। ଯିଏ ବି ଶୁଭ୍ରାଂଶୁଙ୍କ ପରି ଜଣେ ମେଧାବୀ ଛାତ୍ରଙ୍କ ସହ ଖେଳ ଖେଳିଛି ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବା ଜରୁରୀ ବୋଲି ସାଧାରଣ ଲୋକେ ଦାବି କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।