କୋଭିଡ ଓ ବନ୍ୟା ଭିତରେ ଦାୟିତ୍ୱ ନିଭାଇ ଚାଲିଛନ୍ତି ଅଙ୍ଗନବାଡ଼ି କର୍ମୀ; ICDSରେ ବାଣ୍ଟୁଛନ୍ତି ଶୁଖିଲା ରାସନ

କୋଭିଡ଼ ପାଇଁ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ବନ୍ଦ ଥିବାରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ପରିବର୍ତ୍ତେ ସେମାନଙ୍କ ଘରେ ମାଣ୍ଡିଆ ଚୁନା ପ୍ୟାକେଟ୍ ବଣ୍ଟନ କରାଯାଇଛି ।

କୋଭିଡ ଓ ବନ୍ୟା ଭିତରେ ଦାୟିତ୍ୱ ନିଭାଇ ଚାଲିଛନ୍ତି ଅଙ୍ଗନବାଡ଼ି କର୍ମୀ; ICDSରେ ବାଣ୍ଟୁଛନ୍ତି ଶୁଖିଲା ରାସନ
କୋଭିଡ ଓ ବନ୍ୟା ଭିତରେ ଦାୟିତ୍ୱ ନିଭାଇ ଚାଲିଛନ୍ତି ଅଙ୍ଗନବାଡ଼ି କର୍ମୀ
  • News18 Odia
  • Last Updated: September 2, 2020, 4:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କୋଭିଡ଼ ଯୋଗୁଁ ରାଜ୍ୟର ସ୍ଥିତି ଗମ୍ଭୀର ରହିଛି ।  ପ୍ରତିଦିନ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଏହା ସମେତ ରାଜ୍ୟରେ ୨୦ଟି ଜିଲ୍ଲା ଏବେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ବନ୍ୟା ସ୍ଥିତି ଯୋଗୁଁ ପ୍ରାୟ ରାଜ୍ୟରେ ସାଢ଼େ ୧୪ ଲକ୍ଷ ପ୍ରଭାବିତ ହୋଇଛନ୍ତି । ଗୋଟିଏ ପଟେ କୋଭିଡର ଭୟାବହତା ଓ ଅନ୍ୟପଟେ ବନ୍ୟା ପାଣିକୁ ଖାତିର ନକରି ଅଙ୍ଗନବାଡି କର୍ମୀ ମାନେ ସେମାନଙ୍କ ସେବା ଯୋଗାଉଛନ୍ତି । ମଙ୍ଗଳବାରଦିନ ମହିଳା ଓ ଶିଶୁବିକାଶ ମିଶନ ଶକ୍ତି ବିଭାଗ ପକ୍ଷରୁ ଆଇସିଡିଏସ୍‌ ପ୍ରକଳ୍ପରେ ଟିଏଚ୍‌ଆର ବଣ୍ଟନ କରାଯାଇଛି । ଦୁଇଟି ବଡ଼ ବିପର୍ଯ୍ୟୟକୁ ପଛରେ ପକାଇ ନିଜ ଜୀବନକୁ ବାଜିରେ ଲଗାଇ ଆଇସିଡିଏସ୍‌ ପ୍ରକଳ୍ପରେ ହିତାଧିକାରୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଛନ୍ତି । ବନ୍ୟା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲେ ବି ଅଙ୍ଗନବାଡି କର୍ମୀ ମାନେ ବନ୍ୟା ଜଳରେ ପଶି ହିତାଧିକାରୀଙ୍କୁ ଶୁଖିଲା ରାସନ ବଣ୍ଟନ କରିଛନ୍ତି । ଶୁଖିଲା ରାସନ ବାବଦକୁ ଛତୁଆ, ଚିକି ଲଡୁ, ଅଣ୍ଡା ଆଦି ବଣ୍ଟନ କରାଯାଇଛି ।

୩ ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବାବଦକୁ ମଧ୍ୟ ଶୁଖିଲା ରାସନ ଘରେ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଗର୍ଭବତୀ ଓ ପ୍ରସୂତି ମହିଳା ଓ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୪୧ ଲକ୍ଷ ୨୭ ହଜାର ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଗତ ଜୁଲାଇ ମାସରୁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଶିଶୁମାନଙ୍କ ସକାଳ ଜଳଖିଆରେ ମାଣ୍ଡିଆ ଲଡୁକୁ ମଧ୍ୟ ସାମିଲ କରାଯାଇଛି । କୋଭିଡ଼ ପାଇଁ ସଂପ୍ରତି ଅଙ୍ଗନବାଡି କେନ୍ଦ୍ରଗୁଡିକ ବନ୍ଦ ଥିବାରୁ ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ପରିବର୍ତ୍ତେ ସେମାନଙ୍କ ଘରେ ମାଣ୍ଡିଆ ଚୁନା ପ୍ୟାକେଟ୍‌ ଆକରରେ ବଣ୍ଟନ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କୁ ସପ୍ତାହରେ ୪ଟି ଓ କେନ୍ଦୁଝର ଜିଲ୍ଲାରେ ୨ଟି ମାଣ୍ଡିଆ ଲଡୁ ପାଇଁ ନିର୍ଦ୍ଧିଷ୍ଟ ପରିମାଣର ମାଣ୍ଡିଆ ଚୁନା ବଣ୍ଟନ କରାଯାଇଛି । ମା’ମାନଙ୍କୁ ଘରେ ଲଡୁ ତିଆରି କରି ପିଲାମାନଙ୍କୁ ଖୁଆଇବା ପାଇଁ ପରାମର୍ଶ ଦିଆଯାଇଛି ।

କୋଭିଡ ପରିସ୍ଥିତିରେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକ ବନ୍ଦ ରଖିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ପରିସ୍ଥିତିରେ ଅଙ୍ଗନବାଡି ବନ୍ଦ ରହିଥିଲେ ମଧ୍ୟ ସମନ୍ୱିତ ପୃଷ୍ଟି ସାଧନ କାର୍ଯ୍ୟକ୍ରମ ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଏହା ସୁନିଶ୍ଚିତ କରିବା ନିମନ୍ତେ ଅନୁରୋଧ କରାଯାଇଛି । ବିଶେଷ କରି ମାସର ୨୩ ତାରିଖରେ କୋଭିଡ଼ ନିୟମାବଳୀ ଅନୁପାଳନ ମଧ୍ୟରେ ଛତୁଆ ମିଶ୍ରଣ, କାର୍ଯ୍ୟକ୍ରମ ସମ୍ପାଦନ, ହିତାଧିକାରୀମାନଙ୍କ ନିକଟରେ ପ୍ରତି ସପ୍ତାହରେ ସେମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଅଣ୍ଡା ପହଞ୍ଚାଇବା, ସାମ୍‌ ଓ ମାମ୍‌ ଶିଶୁମାନଙ୍କୁ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ସମସ୍ତ କାର୍ଯ୍ୟକ୍ରମ ସମୟରେ ମାସ୍କ ପିନ୍ଧିବା, ସାନିଟାଇଜ କରିବା, ହାତ ଧୋଇବା, ଗ୍ଲୋଭସ୍‌ ଓ ହେଡ୍‌ କ୍ୟାପ୍‌ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ କୋଭିଡ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଘରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ୩-୪ ମାସର ଏକକାଳୀନ ଭତ୍ତା ଓ ଅନ୍ୟ ସାମଗ୍ରୀ ଯୋଗାଇଦିଆଯାଉଛ। କୋଭିଡ କଟକଣା ମାନି ସରକାରୀ ଅଧିକାରୀ ମାନେ ନିଜର କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଥିବା ବେଳେ ହିତାଧିକାରୀ ବି ଏଥିପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ସାମଗ୍ରୀ ହେଉକି ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ ଏକକାଳୀନ ଦିଆଯାଇଥିବା ବେଳେ ପୁନର୍ବାର ଡିସେମ୍ବର ମାସ ପାଇଁ ମଧ୍ୟ ଏକ କାଳୀନ ୪ ମାସର ଭତ୍ତା ଦେବା ନେଇ ନିଷ୍ପତି ନେଇଛନ୍ତି ସରକାର ।
Published by: Jagdish Barik
First published: September 2, 2020, 4:30 PM IST
corona virus btn
corona virus btn
Loading