News18 Odia Digital
ବ୍ରହ୍ମପୁର: ଏବେ ସୋସିଆଲ ମିଡ଼ିଆରେ ସବୁଠାରେ ଚର୍ଚ୍ଚାରେ ଅଛନ୍ତି ଅଙ୍ଗନୱାଡ଼ି ଦିଦି। ଦିଦି ବିଭିନ୍ନ ଗୀତର ତାଳେ ତାଳେ ନାଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଶୈଳୀକୁ ନେଇ ସବୁଠି ସେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହି ଦିଦି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ ଚିକଲଖଣ୍ଡି ଅଙ୍ଗନୱାଡ଼ି-୩ କେନ୍ଦ୍ରର ଅଙ୍ଗନବାଡ଼ି ଦିଦି କେ ସୁଜତା।
ଅଙ୍ଗନୱାଡ଼ି ଦିଦିଙ୍କ ଏଭଳି ପାଠ ପଢ଼ାଇବା ଶୈଳୀ ଯୋଗୁଁ ପୂର୍ବ ଅପେକ୍ଷୋ ଅଙ୍ଗନୱାଡ଼ିକୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଆସୁଛନ୍ତି। ସେପଟେ ଦିଦିଙ୍କ ଗୀତ ନାଚ ମାଧ୍ୟମରେ ପାଠପଢ଼ାର ମଜା ନେଇ ବେଶ୍ ଖୁସୀର ସହ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀମାନେ ।
ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଲିଛି ନାଚ ଗୀତ ମାଧ୍ୟମରେ ପାଠପଢ଼ା। ଅଙ୍ଗନୱାଡ଼ି ଦିଦି ଅଣ୍ଟାରେ ହାତ ଦେଇ ଗୀତର ତାଳେ ତାଳେ ନାଚୁଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଦିଦିଙ୍କୁ ଦେଖି ନାଚୁଛନ୍ତି। ଏହା ଦେଖି କେହି ମଧ୍ୟ ଖରାପ ବୋଲି କହୁନାହାଁନ୍ତି। କାରଣ ଦିଦି ନାଚ ଗୀତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଉଛନ୍ତି। ଆଉ ଦିଦିଙ୍କ ଏଭଳି ପାଠପଢ଼ା ଶୈଳୀର ଭିଡ଼ିଓ ଏବେ ସୋସାଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଛି।

ନାଚି ନାଚି ପିଲାଙ୍କୁ ପଢ଼ାଉଛନ୍ତି ପାଠ ଅଙ୍ଗନୱାଡି ଦିଦି କେ. ସୁଜାତା
ପୂର୍ବରୁ ଛାତ୍ରଛାତ୍ରୀମାନେ ପାଠପଢ଼ିବା ପାଇଁ ଆସି ଅଳ୍ପ ସମୟ ପାଠପଢ଼ିବା ପରେ ପିଲାମାନେ ବିରକ୍ତ ହୋଇ କିଏ କାନ୍ଦୁଥିଲେ ତ ଆଉ କିଏ ଘରକୁ ପଳାଇବାକୁ ଉଦ୍ୟମ କରୁଥିଲେ। ଏହାକୁ ଦେଖି ଛାତ୍ରଛାତ୍ରୀମାନେ କିଭଳି ଭାବେ ଭଲ ପାଠପଢ଼ିବେ ଓ ପାଠପଢ଼ାରେ ମନ ଦେବେ ସେ ନେଇ ଦିଦି କିଛି ମାସ ହେଲା ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ବିଭିନ୍ନ ପାଠପଢ଼ାକୁ ଗୀତ ମାଧ୍ୟମରେ ତାହାକୁ ସଜ୍ଜିତ କରିଛନ୍ତି। ଆଉ ସେହି ପାଠପଢ଼ା ଗୀତକୁ ନିଜେ ଗାଇବା ସହିତ ଅଣ୍ଟା ହଲେଇ ନାଚିଥାନ୍ତି। କେବଳେ ଯେ ଦିଦି ହିଁ ନାଚନ୍ତି ତାହା ନୁହେଁ ବରଂ ଦିଦିଙ୍କୁ ଦେଖି ଛାତ୍ରଛାତ୍ରୀମାନେ ମଧ୍ୟ ନାଚିବା ସହିତ ଗୀତ ଗାଇଥାନ୍ତି। ଯାହାଫଳରେ ଗୋଟିଏ ବିଷୟବସ୍ତୁକୁ ଛାତ୍ରଛାତ୍ରୀମାନେ ସହଜରେ ଓ କମ ସମୟରେ ମନେ ରଖିବାରେ ସକ୍ଷମ ହୋଇପାରୁଛନ୍ତି।
‘‘ପ୍ରାକ୍ ଶିକ୍ଷା ଦେବା ନିମନ୍ତେ ଛୋଟ ଛୋଟ ପିଲାମାନଙ୍କୁ ସହଜ ନୁହେଁ। କାରଣ ପିଲାମାନେ ଅତି କମ ବୟସର ହୋଇଥିବା ଯୋଗୁଁ ଅନେକ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିନଥାନ୍ତି। ତେଣୁ ଶିକ୍ଷାଦାନ ଗ୍ରହଣ କରିବାର ପ୍ରଥମ ସୋପାନରେ ଯଦି ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ଆଗ୍ରହ ରଖିବେ ତେବେ ହିଁ ଆଗକୁ ଭଲ ପାଠପଢ଼ିବେ। ତେଣୁ ଏଭଳି ନାଚଗୀତ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବେଶ୍ ହସଖୁସୀର ସହିତ ପାଠପଢ଼ୁଛନ୍ତି। କେବଳ ପାଠପଢ଼ୁଛନ୍ତି ତାହା ନୁହେଁ ପାଠକୁ ମନେ ରଖିବା ସହିତ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀମାନେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଛନ୍ତି,’’ ଅଙ୍ଗନୱାଡ଼ି ଦିଦି କେ.ସୁଜାତା।

ଛତ୍ରପୁର ବ୍ଳକ ଚିକଲଖଣ୍ଡି ଅଙ୍ଗନୱାଡ଼ି-୩ କେନ୍ଦ୍ରର ଅଙ୍ଗନବାଡ଼ି ଦିଦି କେ ସୁଜତା
‘‘ପ୍ରଥମ ବର୍ଷରୁ ଆଠ ବର୍ଷରେ ଶିଶୁଙ୍କୁ ଯେଉଁଭଳି ଶିକ୍ଷା ମିଳିଥାଏ ତାହା ତାଙ୍କ ଆଗାମୀ ଜୀବନରେ ପ୍ରଭାବ ପକାଇଥାଏ ବୋଲି ବିଶ୍ବାସ ରହିଛି। ଅଙ୍ଗନୱାଡ଼ି କେନ୍ଦ୍ରକୁ ମୁଖ୍ୟତଃ ୨ ବର୍ଷରୁ ୫ ବର୍ଷର ଶିଶୁମାନେ ଆସିଥାନ୍ତି। ଯେହେତୁ ନିଜ ମା ଓ ଘରକୁ ଛାଡ଼ି ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିଥାନ୍ତି ତେଣୁ ସେମାନେ ପୁଣି ଥରେ ନିଜର ଘର ଓ ମାଙ୍କ ପାଖକୁ ଯିବା ନିମନ୍ତେ ଚାହିଁଥାନ୍ତି। ପୂର୍ବରୁ ମଧ୍ୟ ଠିକ୍ ଏଭଳି ଭାବେ କିଛି ସମୟ ଧରି ଅଙ୍ଗନୱାଡ଼ି କେନ୍ଦ୍ରରେ ରହିବା ପରେ ଛାତ୍ରଛାତ୍ରୀମାନେ ନିଜ ଘରକୁ ଯିବାକୁ ଚାହୁଁଥିଲେ। କିନ୍ତୁ ବର୍ତ୍ତମାନ ଅଙ୍ଗନୱାଡ଼ି ଦିଦିଙ୍କ ଏଭଳି ନାଚ ଗୀତ ମାଧ୍ୟମରେ ପାଠପଢ଼ା ଦ୍ବାରା ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ହେଉଛନ୍ତି। ଆଉ ଠିକ୍ ସମୟରେ ଘରୁ ବାହାରି ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚିବା ସହିତ କେନ୍ଦ୍ରରେ ପାଠପଢ଼ିବା ପରେ ହିଁ ଘରକୁ ଆସୁଥିବା କହିଛନ୍ତି,’’ ଅଭିଭାବକ ରାମସ୍ବାମୀ ରେଡ୍ଡି।
ପୂବର୍ତନ ଛାତ୍ରୀ ଅର୍ଚ୍ଚିତା ରାଉଳ, ‘‘ପୂର୍ବରୁ ଗାଁର ଅନେକ ଛାତ୍ରଛାତ୍ରୀଙ୍କୁ ତାଙ୍କ ବାପା-ମାମାନେ ପ୍ଲେ ସ୍କୁଲକୁ ପାଠପଢ଼ାଇବାକୁ ନେଉଥିଲେ। କିନ୍ତୁ ଦିଦିଙ୍କ ଏଭଳ ନାଚ ଗୀତ ମାଧ୍ୟମରେ ପାଠପଢ଼ାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ଅଧିକାଂଶ ଅଭିଭାବକମାନେ ନିଜ ପିଲାମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ାଉଛନ୍ତି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଙ୍ଗନୱାଡ଼ି କେନ୍ଦ୍ରରେ ଅନେକ ସୁବିଧା ସରକାରଙ୍କ ପକ୍ଷରୁ ମିଳୁଥିବା ଯୋଗୁଁ ସମସ୍ତେ ଏହାର ସୁଯୋଗ ନେଇ ସୁବିଧା ପାଇବା ଆବଶ୍ୟକ।’’
ଘରୋଇ ପ୍ଲେ ସ୍କୁଲରୁ ମଧ୍ୟ କୌଣସି କ୍ଷେତ୍ରରେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼କରେ ପାଠପଢ଼ାରେ କମ କରାଯାଉନାହିଁ। କେବଳ ଅଭିଭାବକମାନଙ୍କ ଚିନ୍ତାଧାରାରେ ଯଦି ପରିବର୍ତ୍ତନ ହେବ ତେବେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହୋଇ ଅଧିକ କିଭଳି ଭାବେ ଗୁଣାତ୍ମକ ଶିକ୍ଷା ଦେଇପାରିବେ ସେ ନେଇ ଦିଦିମାନେ ମଧ୍ୟ ପ୍ରୟାସ କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।