• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଓଡ଼ିଶା ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ; ଏଥର କୋଟିଆ ସହ ପଟାଙ୍ଗି ବ୍ଲକ ଉପରେ ଆଖି

ଓଡ଼ିଶା ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ; ଏଥର କୋଟିଆ ସହ ପଟାଙ୍ଗି ବ୍ଲକ ଉପରେ ଆଖି

କୋଟିଆ ସହିତ ପଟାଙ୍ଗି ବ୍ଲକ ତଳଗୋଲୁର ପଞ୍ଚାୟତ ଉପରେ ଆଖି ପକାଇଛି ଆନ୍ଧ୍ର ପ୍ରଦେଶ। ଲୋକଙ୍କୁ ସରକାରୀ ସୁବିଧା ବି ଯୋଗାଉଛି।

ଓଡ଼ିଶା ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ

ଓଡ଼ିଶା ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶା ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ତେଵେ ଏଥର କୋଟିଆ ସହିତ ପଟାଙ୍ଗି ବ୍ଲକ ତଳଗୋଲୁର ପଞ୍ଚାୟତ ଉପରେ ଆଖି ପକାଇଛି ଆନ୍ଧ୍ର ପ୍ରଦେଶ। ଲୋକଙ୍କୁ ସରକାରୀ ସୁବିଧା ବି ଯୋଗାଉଛି।

ସେପଟେ ଓଡ଼ିଶା ସ୍କୁଲକୁ ଯାଉ ନାହାଁନ୍ତି ଏହି ଅଞ୍ଚଳର ଛାତ୍ରଛାତ୍ରୀ। ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ବିରୋଧୀ ଦାବି କରିଥିବା ବେଳେ ପଟାଙ୍ଗି ବିଧାୟକ କହିଛନ୍ତି ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶକୁ ବିରୋଧ ଜାରି ରହିଛି ଓ ଏହାକୁ ବରଦାସ୍ତ କରାଯିବ ନାହିଁ।

ସେ ଆହୁରି କହିଛନ୍ତି ଯେ କୋଟିଆ ପରେ ଏବେ ପଟାଙ୍ଗି। ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ପୋଡ଼ଶୀ ଆନ୍ଧ୍ର ପ୍ରଦେଶର ରାଜ। ସରକାର ସାଜିଛନ୍ତି ନିଦାବିଷ୍ଣୁ। ଓଡ଼ିଶାର ପ୍ରାୟ ୧୩ କିଲୋମିଟର ଭିତରକୁ ପଶି ଆସିଛି ଆନ୍ଧ୍ର। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ତଳଗୋଲୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗାରୁଗୁଡ଼ି ଗାଁକୁ ଅକ୍ତିଆର କରିବାକୁ କରିଛି ବଡ଼ ଷଡ଼ଯନ୍ତ୍ର। ଗ୍ରାମବାସୀଙ୍କୁ ପ୍ରଲୋଭିତ କରିବାକୁ ନିଜ ରାଜ୍ୟର ସୁବିଧା ସୁଯୋଗ ଯୋଗାଇ ଦେଇଛି। ଓଡ଼ିଶା ଭିତରେ ବିଦ୍ୟୁତ ସଂଯୋଗ ଦେଇଥିବା ବେଳେ ରାସନ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଯାହାର ଆଧାରକାର୍ଡ ରହିଛି ଭତ୍ତା ଦେଉଛି।

ଏହା ବ୍ୟତୀତ ବାସଗୃହ ସହ ପାନୀୟ ଜଳ ଯୋଗାଣ କରୁଛି। ସେହିପରି ଗାଁର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ପାଚିପେଣ୍ଟା ସ୍ଥିତ ବିଦ୍ୟାଳୟରେ ପଢ଼ାଉଛି। ତେଣୁ ଓଡ଼ିଆକୁ ଭୁଲି ଓଡ଼ିଶାର ପିଲା ଏବେ ତେଲୁଗୁ ପାଠ ପଢୁଛନ୍ତି। ଏହି ସୀମାନ୍ତ ଗାଁକୁ ଆନ୍ଧ୍ର କେବଳ ଅନୁପ୍ରବେଶ କରିନାହିଁ, ଓଡ଼ିଶାର ଭିତ୍ତିଭୂମିକୁ ବି ଜବରଦଖଲ କରିଛି। ଓଡ଼ିଶାର ବିଦ୍ୟାଳୟକୁ ଏବେ ଆନ୍ଧ୍ର ଠିକାଦାର ଓ ସରକାରୀ କର୍ମଚାରୀ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେବେ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ପ୍ରସାଶନିକ ହସ୍ତକ୍ଷେପ କରିବାକୁ ଦାବି କରିଛି ଉତ୍କଳ ସମ୍ମିଳନୀ ବୋଲି କହିଛନ୍ତି ପଟାଙ୍ଗି ବିଧାୟକ

କରୋନା ଯୋଗୁ ଓଡ଼ିଶାର ବିଦ୍ୟାଳୟ ବନ୍ଦ ରହିବାରୁ ପାଠପଢ଼ା ଠାରୁ ଦୂରେଇ ଯାଇଥିଲେ ଛାତ୍ରଛାତ୍ରୀ। ଯାହାର ସୁଯୋଗ ନେଇ ଆନ୍ଧ୍ର ଓଡ଼ିଆ ପିଲାଙ୍କୁ ୧୩ କିଲୋମିଟର ଦୂର ନିଜ ରାଜ୍ୟର ହଷ୍ଟେଲରେ ରଖି ପଢ଼ାଉଛି। ବିଡ଼ମ୍ବନା ହେଲା ଓଡ଼ିଶାର ବିଦ୍ୟାଳୟ ‌ଆଦୌ ଖୋଲୁ ନଥିବା ବେଳେ ଏବେ କେବଳ କାଗଜପତ୍ରରେ ବିଦ୍ୟାଳୟ ଚାଲିଛି।

ସେହିପରି ତଳଗୋଲୁର ନିକଟରେ କୌଣସି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନଥିବାରୁ ଉଚ୍ଚଶିକ୍ଷା ପାଇଁ ଏଠାକାର ପିଲା ଆନ୍ଧ୍ର ଉପରେ ନିର୍ଭର କରିଥିବା ଦେଖିବାକୁ ମିଳିଛି। ଓଡ଼ିଶାର ବିଦ୍ୟାଳୟର ତିନୋଟି ଶ୍ରେଣୀଗୃହ ଏଠାରେ ରହିଛି। ଏହାର ଚାରିପାଖରେ ସ୍ଥାନୀୟ ଲୋକଙ୍କୁ ଘର କରିବାକୁ ଟଙ୍କା ଦେଇଛି ଆନ୍ଧ୍ର। ତେଣୁ ଲୋକେ ଟଙ୍କା ପାଇ ଘର କରିବାରୁ ଶ୍ରେଣୀଗୃହ ଗୁହାଳ ପାଲଟି ଗଲାଣି।

ଅନ୍ୟପକ୍ଷରେ ଓଡ଼ିଶା ପକ୍ଷରୁ ଏଠାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଡିଆରଡିଏ ଦ୍ବାରା ଦୁଇ ଲକ୍ଷରୁ ଅଧିକ ଖର୍ଚ୍ଚ କରି ନୂଆ ଘର ନିର୍ମାଣ କରାଯାଇଛି। ପାଚିପେଣ୍ଟା ଓ ବୋରାମୁଠା ପରି ଏହି ପଞ୍ଚାୟତର ୪୩ ଗାଁରୁ ୪ ଗାଁରେ ଏବେ ଆନ୍ଧ୍ରର ଅବଧା ପ୍ରବେଶ ଜାରି ରହିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ପଟାଙ୍ଗି ବିଧାୟକ କହିଛନ୍ତି ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶକୁ କଦାପି ବରଦାସ୍ତ କରାଯିବ ନାହିଁ।

ପୂର୍ବରୁ ଆନ୍ଧ୍ର ପାଚିପେଣ୍ଟର ୧୪ରୁ ଅଧିକ ଗାଁକୁ ନିଜ ଅକ୍ତିଆରକୁ ନେଇ ସାରିଥିବାବେଳେ ଏବେ ପାଚିପେଣ୍ଟା ଠାରୁ ୧୩ କିଲୋମିଟର ଦୂର ବାଙ୍ଗାରୁଗୁଡିକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ପ୍ରୟାସ ଜାରି ରଖିଛି। ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେବା ପରେ ୧୯୩୬ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ପ୍ରିଭି କାଉନସିଲ (୧୯୩୪ ମସିହାରେ ପାଚିପେଣ୍ଟା ଓ ବୋରାମୁଠା ଓଡ଼ିଶା‌ର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ତେଣୁ ଜୟପୁର ମହାରାଜାଙ୍କ ଅଧୀନରେ ପାଚିପେଣ୍ଟା ଓ ମଦଗୁଲ (ପାଚିପେଣ୍ଟା ଜମିଦାରୀ ଅନ୍ତର୍ଗତ) ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉପରୋକ୍ତ ଦୁଇ ଅଞ୍ଚଳ ସାଲୁର ମଣ୍ଡଳ ଅଧୀନକୁ ଚାଲିଗଲା। କେଉଁ ଆଦେଶ ଓ କେଉଁ ଆଇନ ବଳରେ ଦୁଇଟି ଅଞ୍ଚଳ ଆନ୍ଧ୍ରରେ ମିଶିଲା ସ୍ପଷ୍ଟ ହୋଇପାରିନି। ଏମିତି ସ୍ଥିତିରେ ଆନ୍ଧ୍ର ନୂଆ ଜିଲ୍ଲା ଗଠନ କରି ନିଜ ସୀମାକୁ ବଢ଼ାଇବା ପାଇଁ ଓଡ଼ିଶା ଭିତରେ ଆଗକୁ ଆଗକୁ ମାଡ଼ି ଚାଲିଥିବା ଦେଖିବାକୁ ମିଳିଛି।
Published by:Lipina Das
First published: