News 18 Odia Digital
ପୁରୀ; ବିବାହ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ୱାନୀଙ୍କ (Mukesh ambani) ପୁଅ ଅନନ୍ତ ଅମ୍ୱାନୀ (Anant ambani ) । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ ଅନନ୍ତ । ଅପରାହ୍ମ ୪ଟା ୧୫ ସମୟରେ ପୁରୀ (Puri) ସିଂହଦ୍ୱାର ସାମ୍ନାରେ ପହଞ୍ଚିବା ପରେ କୌଳିକ ପୂଜାପଣ୍ଡା ଅନନ୍ତଙ୍କୁ ସ୍ୱାଗତ କରିଥିଲେ । ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରୁ ଦୁଇ ବାହୁକୁ ଉପରକୁ ଟେକି ଭଗବାନଙ୍କୁ ନିଜକୁ ସମର୍ପିଦେଇଥିଲେ ଅନନ୍ତ । ପରେ ବାଇସି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ସାଥିରେ ଥିଲେ ସୁରକ୍ଷା କର୍ମୀ ଓ ପୂଜା ପଣ୍ଡା ।
ଶ୍ରୀମନ୍ଦିରରେ ଭିତରେ ବେଶ୍ କିଛି ସମୟ ଭଗବାନଙ୍କ ଆଖିରେ ଆଖି ମିଶେଇ ନିଜକୁ ପ୍ରଭୁଙ୍କ ପ୍ରେମରେ ହଜେଇ ଦେଇଥିଲେ ଅନନ୍ତ । ଭଗବାନଙ୍କ ନିକଟରେ ଧନୀ ଗରିବର କୌଣସି ଭେଦଭାବ ନାହିଁ । ଯାହାକୁ ଅନୁଭବ କରିଥିଲେ ସାଧାରଣ ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବେଢା ପରିକ୍ରମା କରିଥିଲେ ଅନନ୍ତ ଅମ୍ୱାନୀ । ବେଢାରେ ଥିବା ସମସ୍ତ ଦେବାଦେବୀଙ୍କୁ ହାତ ଯୋଡି ପ୍ରଣାମ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ମୁକ୍ତି ମଣ୍ଡପରେ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇ ମାଆ ବିମଳା ମନ୍ଦିର, ପଶ୍ଚିମ ଦ୍ୱାର ସ୍ଥିତ କାନପତା ହନୁମାନ ଓ ମାଆ ମହାଲକ୍ଷ୍ମୀଙ୍କ ଦର୍ଶନ ସାରି ବାଇଶି ପହାଚ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ । ସିଂହଦ୍ୱାର ସମୁଖରେ ଅଟକି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ମହାପ୍ରଭୁଙ୍କ ଦୃଲଭ ଦର୍ଶନ କରି ଭାବବିହୁଳ ହୋଇପଡ଼ିଥିଲେ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ବାଇଶି ପାହାଚ ମହାପ୍ରଭୁଙ୍କ ଖଣ୍ଡୁଆ ବସ୍ତ୍ର ଶ୍ରୀ ମନ୍ଦିର କ୍ୟାଲେଣ୍ଡର ଓ ସ୍ୱତନ୍ତ୍ର ପ୍ୟାକେଟ ପ୍ରଦାନ କରାଯାଇଥିଲା l ମହାପ୍ରଭୁଙ୍କ ଦର୍ଶନ ଭଲ ହେବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ପ୍ରଣାମ କରି ଜୟ ଜଗନ୍ନାଥ କହି ଶ୍ରୀକ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଅନନ୍ତଙ୍କୁ ଦେଖିବା ପାଇଁ ପୁରୀ ବଡ଼ଦାଣ୍ଡରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।
ଦର୍ଶନ ଶେଷ ପରେ ପୁରୀରୁ ଭୁବନେଶ୍ୱର ବିମାନବନ୍ଦର ଓ ପରେ ମୁମ୍ୱାଇ ଫେରିଯିବେ ଅନନ୍ତ ଅମ୍ୱାନୀ । ଅନନ୍ତଙ୍କ ଦର୍ଶନ ପାଇଁ ପୁରୀରେ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ଅନନ୍ତଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା ।
ଉଲ୍ଲେଖଯୋଗ୍ୟ, ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନନ୍ତ ଅମ୍ୱାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ସରିଛି । ଆଗକୁ ବିବାହ କାର୍ଯ୍ୟକ୍ରମ ରହିଛି । ବିବାହ ପାଇଁ ଧର୍ମାନୁଷ୍ଠାନ ଗୁଡିକରେ ପହଞ୍ଚି ଦର୍ଶନ କରିବା ସହ ନିଜ ଦାମ୍ପତ୍ୟ ଜୀବନ କିପରି ଖୁସିରେ କଟିବ ସେନେଇ ଆଶୀର୍ବାଦ ନେଉଛନ୍ତି ଅନନ୍ତ ।
ଅଧିକ ଖବର ପଢ଼ନ୍ତୁ -
http://ପୁରୁଷୋତ୍ତମ ଏକ୍ସପ୍ରେସରେ ନିଶା ଦେଇ ଲୁଟ; ପୁରୀରୁ ଦମ୍ପତ୍ତି ଉଦ୍ଧାରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।