ଆନନ୍ଦ ଲାକ୍ରାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଚର୍ଚ୍ଚା; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ସାମ୍ବାଦିକ ସମ୍ମିଳନୀରେ ଆନନ୍ଦଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଯେ ଏହା ହେଉଛି ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ଅତି ଚତୁରତାର ସହିତ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି।

ଆନନ୍ଦ ଲାକ୍ରାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଚର୍ଚ୍ଚା

ଆନନ୍ଦ ଲାକ୍ରାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଚର୍ଚ୍ଚା

  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱରରେ ଗତ ଫେବୃୟାରୀ ମାସରେ ଘଟିଥିବା ଯୁବକ ଆନନ୍ଦ ଲାକ୍ରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଯୁବକର ମୃତ୍ୟୁକୁ ହତ୍ୟା ବଦଳରେ ଆତ୍ମହତ୍ୟାର ରୂପ ଦିଆଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି।

ଭୁବନେଶ୍ୱର ଲୋହିଆ ଏକାଡ଼େମୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆନନ୍ଦଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଯେ ଏହା ହେଉଛି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା। ଅତି ଚତୁରତାର ସହିତ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ ଫେବୃୟାରୀ ୨୮ ତାରିଖ ମଧ୍ୟାହ୍ନ ୧୨ଟାରେ ଇନ୍‌ଫୋସିଟ୍ ଥାନା ଆୟୁସ ରେଡ଼ିୟମ ଫ୍ଲାଟର ୪୦୧ ନମ୍ବର ରୁମ୍‌ରେ ଆନନ୍ଦଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପ୍ରାରମ୍ଭିକ ତଦନ୍ତ ଶେଷ ପରେ ପୋଲିସ ନିଜ ଦାୟିତ୍ୱ ଶେଷ କଲା ଓ ଏପର୍ଯ୍ୟନ୍ତ ଚୁପ୍ ବସିଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପାରିପାଶ୍ୱିର୍କ ଅବସ୍ଥା ଓ ଘଟଣାକ୍ରମ ପ୍ରକାଶ କରୁଛି ଯେ, ଏହା ଏକ ହତ୍ୟାକାଣ୍ଡ। ହତ୍ୟା ପରେ ଅତି ଚତୁରତାର ସହ ତାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପ୍ରୟାସ କରାଯାଇଛି। ନିରପେକ୍ଷ ତଦନ୍ତ ହେଲେ ଅନେକ ଘଟଣା ସାମ୍ନାକୁ ଆସିବ। କାରଣ ଏ ଭିତରେ ପ୍ରାୟ ୫ ମାସ ବିତିବାକୁ ବସିଥିବା ବେଳେ ହତ୍ୟାକାଣ୍ଡର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରି ନାହିଁ। ତେଣୁ ଘଟଣା ପଛରେ ଅନେକ ରହସ୍ୟ ଲୁଚି ରହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୋଲିସ କମିଶନରଙ୍କୁ ଫେରାଦ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବିଶେଷ କରି ଘଟଣାରେ କିଛି ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବାରୁ ଘଟଣାର ରଫାଦଫା ଉଦ୍ୟମ ହେଉଛି ବୋଲି ପରିବାର ଲୋକେ କହିଛନ୍ତି।

ମୃତ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ କହିବା ଅନୁସାରେ, ପୂର୍ବରୁ କୌଣସି ଘଟଣା ଘଟିଲେ ଆନନ୍ଦଙ୍କ ବନ୍ଧୁ ତଥାକଥିତ ହକି ତାରକା ଘରକୁ ଫୋନ କରି ସବୁ କଥା ଜଣାଇ ଥିଲେ। କିନ୍ତୁ ଏହି ଘଟଣା ଘଟିବା ପରେ ଆମ ପରିବାର ସହିତ ମିଶିବା ତ ଦୂରର କଥା କୌଣସି ଫୋନ କଲ ସେ ରିସିଭ କରି ନ ଥିଲେ। ଏପରି କି ଫୋନକୁ ସୁଇଚ୍ ଅଫ କିମ୍ବା ନୋ ନେଟୱାର୍କ ମୋଡ଼ରେ ରଖୁଥିଲେ। ଫେବୃଆରୀ ମାସରୁ ଘଟଣା ଘଟିଲେ ବି ଏପର୍ଯ୍ୟନ୍ତ ଆମ ସହିତ ସେ କଥା ହୋଇ ନାହାଁନ୍ତି।

ସେହିଭଳି ଆନନ୍ଦଙ୍କ ମାଆ ଆଶ୍ରିତା ଟପ୍ପୋ ଅଭିଯୋଗ କରିଛନ୍ତି ଯେ ଆମ ପୁଅ ଆନନ୍ଦ ଭୁବନେଶ୍ୱରରେ ରହୁଥିବା ବେଳେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଏକ ଘରୋଇ ଫ୍ଲାଟ ୪୦୧ରେ ରହୁଥିଲା। ତେବେ କିଛି ଦିନ ତଳେ ରାଉରକେଲା ଫେରିଯିବା କାରଣରୁ ଏହି ଫ୍ଲାଟଟିକୁ ସେ ନିଜର ବନ୍ଧୁ ତଥା ହକି ତାରକାଙ୍କୁ ହସ୍ତାନ୍ତର କରିଥିଲେ। ପରେ ସେହି ଫ୍ଲାଟରେ ତଥା କଥିତ ନିଜ ବାନ୍ଧବୀଙ୍କ ସହ ରହୁଥିଲେ ସେ। ଚର୍ଚ୍ଚାର କଥା ଫେବୃଆରୀ ୨୮ ତାରିଖ ମଧ୍ୟାହ୍ନ ସମୟରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ଇନ୍‌ଫୋସିଟି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅଥଚ ଏହିଭଳି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହେବା କଥା, ଯାହାକୁ ପୋଲିସ ଅଣଦେଖା କରୁଛି। ଆନନ୍ଦଙ୍କ ମୃତଦେହ ଉଦ୍ଧାର ପରେ ଏଭଳି ଅନେକ ଘଟଣା ଚର୍ଚ୍ଚାର ପରିଧିକୁ ଆସୁଛି,ଯାହାକୁ ତଦନ୍ତ ପରିସରଭୁକ୍ତ କରାଯିବା ଦରକାର।

ସେହିଭଳି ମୃତ ଆନନ୍ଦଙ୍କ ଦାଦା ଅଭିଯୋଗ କରିଛନ୍ତି ଯେ ଆନନ୍ଦଙ୍କ ମୃତ୍ୟୁ ଖବର ଶୁଣିବା ପରେ ଆମେ ଯେତେବେଳେ ଭୁବନେଶ୍ୱରରେ ପହଞ୍ଚିଥିଲୁ ଆମ ପରିବାର ଲୋକଙ୍କୁ ସେ ଫ୍ଲାଟକୁ ଯିବା ପାଇଁ ଦିଆଯାଇ ନ ଥିଲା। ଏପରିକି ପରିବାର ଲୋକେ ଯେଉଁ ସବୁ ଅଭିଯୋଗ ରଖିଥିଲେ ତାକୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ। ଏ ସମସ୍ତ କଥା ମିଶିଲେ ଏହି ଘଟଣା ପଛରେ ଅନେକ ରହସ୍ୟ ରହିଛି ବୋଲି ଆମେ ଅନୁମାନ କରୁଛୁ।

ତେବେ ପୋଲିସ ଏ ଦିଗରେ କଡ଼ା ଉଦ୍ୟମ କଲେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସି ପାରିବ। ଅନ୍ୟପକ୍ଷେ ଏନେଇ ପୋଲିସ ପକ୍ଷରୁ କିଛି ପ୍ରତିଜବାବ ମିଳି ପାରିନାହିଁ। କେବଳ ଔପଚାରିକ ଭାବେ ପୋଲିସ କହିଛି ଏ ଘଟଣାର ଅନୁସନ୍ଧାନ ଜାରି ରହିଛି।
Published by:Lipina Das
First published: