News18 Odia Digital
ଭୁବନେଶ୍ୱର: ପ୍ରତିଦିନ ସକାଳ ହେଲେ ମନ୍ଦିର ଆଗରେ ବସି ଭିକ୍ଷା ନିଜ ପେଟ ପୋଷୁଥିବା ଲୋକ ଦାନ କରିବା କଥା ଶୁଣିବା ଟିକେ ଅଜବ ଲାଗୁଥିବ। କିନ୍ତୁ କଥାଟି ସତ।
ତୁଳା ବେହେରା ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧା ଭିକ୍ଷୁକି ଭିକ୍ଷା ବୃତ୍ତି କରି ଜୀବନରେ ସଞ୍ଚୟ କରି ପାରିଥିବା ସମସ୍ତ ଟଙ୍କାକୁ ମିଶାଇ ମୋଟ ଏକ ଲକ୍ଷ ଟଙ୍କା ଆଜି ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଦାନ କରିଛନ୍ତି। ଏହି ଘଟଣାଟି ସମଗ୍ର ସମାଜ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।
ତୁଳାଙ୍କ ନିଜ ବାପ ଘର କଟକର ଚାଉଳିଆଗଞ୍ଜରେ। ତୁଳା ଯେବେ ଯୁବତୀ ଥିଲେ ଚାଉଳିଆଗଞ୍ଜରେ ଶ୍ରମିକ ଭାବେ କାମ କରୁଥିବା ବେଳେ ପ୍ରଫୁଲ୍ଲ ବେହେରାଙ୍କ ସହ ଦେଖା ହୋଇଥିଲା। ତୁଳା ପ୍ରଫୁଲ୍ଲଙ୍କୁ ବିବାହ କରି ଫୁଲବାଣୀ ପଳାଇ ଆସିଥିଲେ। ପରେ ପ୍ରଫୁଲ୍ଲଙ୍କୁ ଏକ ରୋଗଗ୍ରସ୍ତ ହୋଇଯିବାରୁ ସ୍ବାମୀ ସ୍ତ୍ରୀ ଦୁହେଁ ଭିକ୍ଷାବୃତ୍ତିକୁ ଆଦରି ନେଲେ। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଭିକ୍ଷାବୃତ୍ତିରୁ ଯାହା ଆଦାୟ ହୁଏ ସେଥିରେ ପେଟ ପୋଷିବା ସହ ବାକି ଟଙ୍କାକୁ ବ୍ୟାଙ୍କରେ ଜମା ରଖୁଥିଲେ। ବ୍ୟାଙ୍କରେ ତାଙ୍କର ମୋଟ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଗଚ୍ଛିତ ଥିଲା। ସେହି ଟଙ୍କା ଏକ ଲକ୍ଷ ଟଙ୍କା ହୋଇଯିବାରୁ ଉଠାଇ ଆଣି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଦାନ କରିଛନ୍ତି।
ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭିକ୍ଷୁକି ତୁଳାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ତୁଳାଙ୍କ ରହିବା, ଖାଇବା ସହ ସମସ୍ତ ଦାୟିତ୍ବ ମନ୍ଦିର ପରିଚାଳନା କମିଟି ବହନ କରିବ ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ସଭାପତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।