ଓଡ଼ିଆ ଯୁବ ବୈଜ୍ଞାନିକଙ୍କ କମାଲ; ବିକଶିତ କଲେ ପରିବେଶ ସୂଚନା ପ୍ରଦାନକାରୀ ସାଟେଲାଇଟ

ଓଡ଼ିଆ ଛାତ୍ରଙ୍କ ଉଦ୍ୟମରେ ବିକଶିତ ହୋଇପାରିଛି କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ । ଏହି ସାଟେଲାଇଟର କାମ ହେଉଛି ବାୟୁ ମଣ୍ଡଳର ଗୁଣାବତା ଯାଞ୍ଚ କରିବା ଓ ଏହାର ସମାଧାନ ଦିଗରେ ଆବଶ୍ୟକ ହେଉଥିବା ପଦକ୍ଷେପ ପାଇଁ ପ୍ରସ୍ତାବ ରଖିବା ।

ପରିବେଶ ସୂଚନା ପ୍ରଦାନକାରୀ ସାଟେଲାଇଟ ତିଆରି କଲେ ଓଡ଼ିଆ ବୈଜ୍ଞାନିକ (ପ୍ରତୀକାତ୍ମକ ଛବି)

ପରିବେଶ ସୂଚନା ପ୍ରଦାନକାରୀ ସାଟେଲାଇଟ ତିଆରି କଲେ ଓଡ଼ିଆ ବୈଜ୍ଞାନିକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଆ ଛାତ୍ରଙ୍କ ଟିମ୍ ଉଦ୍ୟମରେ ବିକଶିତ ହୋଇପାରିଛି କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ । ଏହି ସାଟେଲାଇଟ୍‌ର କାମ ବାୟୁ ମଣ୍ଡଳର ଗୁଣାବତା ଯାଞ୍ଚ କରିବା ଓ ଏହାର ସମାଧାନ ଦିଗରେ ଆବଶ୍ୟକ ହେଉଥିବା ପଦକ୍ଷେପ ପାଇଁ ପ୍ରସ୍ତାବ ରଖିବା । ମୋଟ ଉପରେ କ୍ଲାଇମେଟ ଚେଞ୍ଜ ବା ନଷ୍ଟ ହେଉଥିବା ପରିବେଶ ସୁରକ୍ଷା ଦିଗରେ ଏହି ସାଟେଲାଇଟ୍ କାମ କରିବ । ଖୁସିର କଥା ବିଭିନ୍ନ ଉଦ୍ୟମ କାରଣରୁ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ଓଡ଼ିଶାର ‘ୟଙ୍ଗ ଟିଙ୍କର’ ଟିମ୍ ପୁଣି ଥରେ ଏହି ସଫଳତା ପାଇଁ ଚର୍ଚ୍ଚାକୁ ଆସିଛି ।

ୟଙ୍ଗ ଟିଙ୍କର ଟିମ୍‌ର ସୂଚନା ଅନୁସାରେ, ଏଭଳି ବିରଳ ସଫଳତା ପାଇବାରେ ୟଙ୍ଗ ଟିଙ୍କର ଟିମ୍ ପ୍ରଥମ । ଏମାନେ ଓଡ଼ିଶା ସାଟେଲାଇଟ୍ ଟିମ୍‌ର ପ୍ରଥମ ବ୍ୟାଚ୍‌, ଯେଉଁମାନଙ୍କୁ ଏହି କୃତୀତ୍ୱ ମିଳିଛି । କ୍ରମାଗତ ଭାବେ ବଢୁଥିବା ପ୍ରଦୂଷଣ ଏବେ ସାରା ବିଶ୍ୱବାସୀଙ୍କ ପାଇଁ ଆତଙ୍କର ଅନ୍ୟନାମ ପାଲଟି ଯାଇଛି । ଓଡ଼ିଶାରେ ମଧ୍ୟ ପ୍ରଦୂଷଣର ମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ମହାନଗରଠାରୁ ଆରମ୍ଭ କରି ଛୋଟବଡ଼ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ପରିବେଶ ପ୍ରଦୂଷଣ ଏକ ଭୟାନକ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର କିଛି ଯୁବ ବୈଜ୍ଞାନିକ ଏହି ସାଟେଲାଇଟ୍ ବିକଶିତ କରିଛନ୍ତି, ଯାହାର ମୂଳକାମ ହେଲା ଓଡ଼ିଶାରେ ପ୍ରଦୂଷଣର ମାତ୍ରା କେତେ, କ’ଣ ପାଇଁ ପରିବେଶ ନଷ୍ଟ ହେବାରେ ଲାଗିଛି, ଶିଳ୍ପାୟନ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି କି ଓ କ୍ରମାଗତ ଭାବେ ବଢିବାରେ ଲାଗିଥିବା ଯାନବାହନ ସଂଖ୍ୟା ପ୍ରଦୂଷଣକୁ କେତେକ ବେଗଶୀଳ କରିପାରୁଛି ଏସବୁକୁ ତର୍ଜମା କରିବ ଏହି ସାଟେ୍‌ଲାଇଟ୍ । ଏହି ସାଟେଲାଇଟକୁ ବିକଶିତ କରିଥିବା ଯୁବ ବୈଜ୍ଞାନିକମାନେ ହେଉଛନ୍ତି ଭୁବନେଶ୍ୱରସ୍ଥିତ ୟଙ୍ଗ ଟିଙ୍କର ଟିମ୍‌ର ଜଣେ ଜଣେ ସଦସ୍ୟ ।

ୟଙ୍ଗ ଟିଙ୍କର ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଏହି ସାଟେଲାଇଟ୍‌ରେ ବିଭିନ୍ନ ପ୍ରକାର ସେନ୍‌ସର ବ୍ୟବହାର କରାଯାଇଛି, ଯାହା ବିଭିନ୍ନ ପରିସଖ୍ୟନ ବିଷୟରେ ସୂଚନା ଦେବ । ସେହି କାରଣରୁ ଏଥିରେ ଉତ୍ତାପ ମାପିବା ପାଇଁ ସେନ୍‌ସର, ବାୟୁମଣ୍ଡଳର ହ୍ୟୁମୁଡ଼ିଟି ସେନ୍‌ସର, ବାୟୁମଣ୍ଡଳରେ ଥିବା ଧୂଳିକଣାର ମାତ୍ରା ମାପିବା ପାଇଁ ସେନ୍‌ସର ଆଦି ବ୍ୟବହାର କରାଯାଇଛି । ଏହାଦ୍ୱାରା ସାଟେଲାଇଟ୍‌ରୁ ମିଳୁଥିବା ସୂଚନା ଅନୁସାରେ, ବାୟୁମଣ୍ଡଳର ଗୁଣାବତାକୁ ମପା ଯାଇପାରିବ । ମୁଖ୍ୟତଃ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଥିବାରୁ ଏହାର ଭବିଷ୍ୟତ ପ୍ରଭାବ କିଭଳି ରହିବ ଏହି ସାଟେଲାଇଟ୍ ଦ୍ୱାରା ହିଁ ସେସବୁ ମପା ଯାଇପାରିବ । ବିଶ୍ୱ ପରିବେଶ ଦିବସ ଅବସରରେ ଏହି ସାଟେଲାଇଟ୍‌ରୁ ମିଳୁଥିବା ତଥ୍ୟକୁ ବ୍ୟବହାର କରି ପ୍ରଦୂଷଣ କମ୍ କରିବା ଦିଗରେ ଉଦ୍ୟମ ଆଗକୁ ଯାଇପାରିବ ବୋଲି ୟଙ୍ଗ ଟିଙ୍କର ସଂସ୍ଥା ପକ୍ଷରୁ କୁହାଯାଇଛି । ଖୁବ୍‌ଶୀଘ୍ର ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ଏସ୍‌ଆର-୭ ରକେଟ୍ ଲଞ୍ଚର ସହାୟତାରେ ନାସା ପକ୍ଷରୁ ଆରମ୍ଭ ହୋଇଥିବା ଅନ୍ତରୀକ୍ଷ ଅଭିଯାନରେ ୟଙ୍ଗଟିଙ୍କର ଟିମ୍‌କୁ ବଡ଼ ସଫଳତା ମିଳିଥିଲା । ଏହି ଟିମ୍‌ର ୭ ଜଣ ଯୁବ ବୈଜ୍ଞାନିକ ସ୍ୱତନ୍ତ୍ର ଯନ୍ତ୍ରାଂଶ ବିକଶିତ କରିଥିଲେ, ଯାହା ଅନ୍ତରୀକ୍ଷ ଯାନରେ ବ୍ୟବହାର ହୋଇଥିଲା । ନାସାର ଗଡ଼ର୍ଡ଼ା ସ୍ପେଶ୍ ଫ୍ଲାଇଟ୍ ସେଣ୍ଟରରେ ଲଞ୍ଚ ହୋଇଥିବା ଅନ୍ତରୀକ୍ଷ ଯାନରେ ଏହାକୁ ପରୀକ୍ଷଣ କରାଯାଇଥିଲା ।
Published by:Soumya Das
First published: