News18 Odia Digital
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଭୂଷଣ୍ଡପୁର ଟ୍ରେନ ଦୁର୍ଘଟଣାରେ ଦୁଇ ହାତୀଙ୍କ ମୃତ୍ୟ ଘଟଣାର ଆରମ୍ଭ ହୋଇଛି ତଦନ୍ତ । କେଉଁ ପରିସ୍ଥିତିରେ ହାତୀଙ୍କୁ ଟ୍ରେନ ଧକ୍କା ଦେଲା ସେନେଇ ରେଳବିଭାଗ ସହ ପ୍ରକୃତି ଭବନରେ ବୈଠକ ଦ୍ୱାରା ବନ ବିଭାଗ ଆଲୋଚନା କରିଛି। ବୈଠକରେ ଖୋର୍ଦ୍ଧା ରେଳବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପ୍ରାଥମିକ ରିପୋର୍ଟ ଦେଇଛନ୍ତି ।
ଟ୍ରେନ ଟ୍ରାକରେ ହାତୀ ଥିବା କଥା ବନ ବିଭାଗ ଅଧିକାରୀ ରେଳବାଇ କଣ୍ଟ୍ରୋଲ ରୁମକୁ ପୂର୍ବରୁ ସୂଚନା ଦେଇଥିଲେ । ଯାହା ଫଳରେ ଟ୍ରେନ ଗତି କମିଥିବା ଦ୍ୱାରା ବଡଧରଣ ଦୁର୍ଘଟଣା ରୋକାଯାଇପାରିଥିବା କହିଛନ୍ତି ପି.ସି.ସି.ଏଫ । ତେବେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୩୦ ତାରିଖରେ ତଦନ୍ତ କରୁଥିବା ସି.ସି.ଏଫ ଦାଖଲ କରିବେ ବୋଲି ବନ ବିଭାଗ ପକ୍ଷରୁ ଜଣା ପଡ଼ିଛି ।
"ହାତୀ ଯାଉଥିବା ନେଇ ବନ ଅଧିକାରୀ ସମୟ ଥାଉ ଥାଉ ରେଳବାଇ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଛନ୍ତି। ଯାହାଦ୍ବାରା ଡ୍ରାଇଭର ଟ୍ରେନର ବେଗ କମାଇବାରେ ସଫଳ ହୋଇଛି। ଏହା ସତ୍ତ୍ୱେ ବି ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିଲା । ଟ୍ରେନର ବେଗ ଅଧିକ ଥିଲେ ଆହୁରି ଅଧିକ ହାତୀଙ୍କ ମୃତ୍ୟୁ ଘଟିଥାନ୍ତା । ଘଟଣାର ତଦନ୍ତ କରୁଥିବା ସି.ସି.ଏଫ ଆସନ୍ତା ୩୦ରେ ରେଳବାଇ କଣ୍ଟ୍ରୋଲ ରୁମର ତଦାରଖ କରି ରିପୋର୍ଟ ଦେବା ପରେ ଅସଲ କଥା ପଦାକୁ ଆସିବ," କହିଛନ୍ତି ପି.ସି.ସି.ଏଫ ଶଶୀ ପାଲ ।
ସେପଟେ କିନ୍ତୁ ହାତୀ ମୃତ୍ୟୁକୁ ନେଇ ବନ ବିଭାଗକୁ ସିଧାସଳଖ ଦୋଷ ଦେଇଛନ୍ତି ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ । ଶ୍ରୀ ପଟନାୟକ କହିଛନ୍ତି, " ରେଳବାଇ ବିଭାଗକୁ ସୂଚନା ଦେଇ ଚୁପ ନ ବସି ହାତୀ ସୁରକ୍ଷିତ ନ ହେବାଯାଏ ସେହି ସ୍ଥାନ ଛାଡି ବନ ଅଧିକାରୀ ଗଲେ କିଭଳି ? ବନ ଅଧିକାରୀ ହାତୀ ପଲଙ୍କ ଉପରେ ନଜର ରଖିଥିଲେ ହୁଏତ ଏ ଦୁର୍ଘଟଣାକୁ ଏଡାଇ ଯାଇହୋଇଥାନ୍ତା ? ରାଜ୍ୟରେ ହାତୀ ସଂଖ୍ୟା ପ୍ରାୟ ୨ ହଜାର । ସେମାନଙ୍କ ଉପରେ ନଜର ରଖିବାକୁ ରାଜ୍ୟରେ ଅଛନ୍ତି ୨ ଶହ ସ୍କ୍ୱାର୍ଡ । ହାତୀମାନଙ୍କ ପାଇଁ ଟ୍ରାକର ଲଗାଯିବା ପାଇଁ ଚେଷ୍ଟା କରାଯାଇନାହିଁ" ।
ଗତ ୫ ବର୍ଷ ଭିତରେ କେବଳ ଓଡିଶାରେ ମରିଛନ୍ତି ୪୦୬ ହାତୀ । ହାତୀଙ୍କ ସୁରକ୍ଷା କରିବା ପାଇଁ ଅନେକ ଯୋଜନା କରାଯାଉଛି । ବନ ବିଭାଗ ଓ ରେଳବାଇ ମଧ୍ୟରେ ସମନ୍ବୟ ରଖିବା ସହ ରେଳ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟରେ ରହିଛି ୩ଟି କଣ୍ଟ୍ରୋଲ ରୁମ । ହାତୀଙ୍କ ସୁରକ୍ଷା ପାଇଁ ଅନେକ ଇଲେକ୍ଟ୍ରୋନିକ ସାମଗ୍ରୀ ବ୍ୟବହାର କରିବା ଆରମ୍ଭ କରାଯାଇଛି । କେତେ ବେଳେ ମହୁମାଛି ସାଉଣ୍ଡ ତ ଆଉ କେତେ ବେଳେ ରେଡିଓ କଲାର ଲଗାଇ ହାତୀଙ୍କ ସୁରକ୍ଷା ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି । ହେଲେ ସେ ସବୁ ଯୋଜନା ସେଭଳି ଫଳପ୍ରଦ ହୋଇପାରୁନାହିଁ । ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ଆତ୍ମିୟତା ନ ଆସିବା ଯାଏ ହାତୀଙ୍କ ମୃତ୍ୟ ଏଭଳି ଘଟୁଥିବ ବୋଲି ଆଶଙ୍କା କରିଛନ୍ତି ପୂର୍ବତନ ବନ ଅଧିକାରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।