News18 Odia Digital
ବ୍ରହ୍ମପୁର: ସମୁଦ୍ର କୂଳିଆ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଏବେ ଅଣ୍ଟା ଭିଡିଛି । ସମୁଦ୍ର କୂଳରେ ରହୁଥିବା ଲୋକଙ୍କ ପାଇଁ ହେବ ଆଦର୍ଶ କଲୋନୀ । ଏହା ସହ ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଉଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାର ପୋଡମପେଟା ଗାଁର ଅନେକ ଘର ସମୁଦ୍ରରେ ଲୀନ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନେଇଛି।
‘‘ପୋଡମପେଟା ଗ୍ରାମବାସୀଙ୍କ ନିମନ୍ତେ ଆଦର୍ଶ କଲୋନୀ କରିବା ପାଇଁ ଯୋଜନା ରହିଛି । ସମୁଦ୍ର କୁଳ ଲଂଘିବା ଘଟଣାକୁ ନେଇ ଏକ ଟେକ୍ନିକାଲ ଏକ୍ସପର୍ଟ ଟିମ ଯାଞ୍ଚ କରୁଛନ୍ତି । ଗାଁରେ ରହିଥିବା ଅନେକ ଲୋକଙ୍କୁ ପୂର୍ବରୁ ନୂଆ ପୋଡମପେଟା ସ୍ଥିତ ଓଡିଆରପି କଲୋନୀକୁ ସ୍ଥାନାନ୍ତର କରାଯାଇଛି । କିଛି ପରିବାର ବର୍ତ୍ତମାନ ମଧ୍ୟ ପୋଡମପେଟାରେ ରହୁଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ । ସମୁଦ୍ର କୂଳରେ ରହିଥିବା ଅନ୍ୟ ଗାଁକୁ ସୁରକ୍ଷା ଦେବା ପାଇଁ ଆଗୁଆ ପଦକ୍ଷେପ ନିଆଯିବ । ଏହାସହ ଯେଉଁମାନଙ୍କ ଗୃହ ସମୁଦ୍ରରେ ଭାଙ୍ଗିଛି ସେମାନଙ୍କ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ,‘‘ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।

ପୋଡମପେଟା ଗାଁର ଅନେକ ଘର ସମୁଦ୍ରରେ ଲୀନ ହୋଇଯାଇଛି
‘‘ବର୍ତ୍ତମାନ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଯାହାଫଳରେ ଏଭଳି ସମୁଦ୍ରର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଏଭଳି ସ୍ଥିତି ଆଗାମୀ ଦିନରେ ପରିବେଶ ପାଇଁ ବେଶ କ୍ଷତିକାରକ । ପୋଡମପେଟାରେ ବିଗତ କିଛି ବର୍ଷ ହେଲା ଏଭଳି ଅନେକ ଘର ସମୁଦ୍ରରେ ଲୀନ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଥର ବନ୍ଧ ନିର୍ମାଣ କରିବାର ଆବଶ୍ୟକତା ରହିଛି,‘‘ କହିଛନ୍ତି ପରିବେଶବିତ୍ ଶଙ୍କର ନାରାୟଣ ବେଜ ।
‘‘ଦିନ ଥିଲା ପୋଡମପେଟା ଗାଁରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ରହିଥିଲା ସମୁଦ୍ର । କିନ୍ତୁ ଦିନକୁ ଦିନ ସମୁଦ୍ର ଅଶାନ୍ତ ହୋଇ ଗାଁ ମଧ୍ୟକୁ ମାଡି ଆସୁଛି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଘର ସାଙ୍ଗକୁ ଆସବାବପତ୍ର ମଧ୍ୟ ସମୁଦ୍ରରେ ଭାସି ଯାଉଛି,‘‘କହିଛନ୍ତି ପୋଡମପେଟା ବାସିନ୍ଦା ।
ଏଭଳି ସମୁଦ୍ର ଗାଁ ମୁହାଁ ହେବା ଘଟଣା ଦୀର୍ଘ ବର୍ଷ ଧରି ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ୧୨ ଗାଁ ପାଇଁ ବିପଦ ଆଣିପାରେ ସମୁଦ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।