ରାଜ୍ୟ ସ୍ତରୀୟ ଆଇ.ପି.ଏ ମାନଙ୍କ ମଧ୍ୟରେ ଇପିକଲ୍ ଭାରତର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’: ଇନଭେଷ୍ଟ ଇଣ୍ଡିଆ
ଏହି ମୂଲ୍ୟାଙ୍କନ ଦେଶରେ ଥିବା ବିଭିନ୍ନ ରାଜ୍ୟର ଆଇପିଏ ମାନଙ୍କ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ପାଇଁ ସେମାନଙ୍କ ପ୍ରାକ୍ ପ୍ରସ୍ତୁତି ଓ ଦକ୍ଷତା ଆଧାରରେ କରାଯାଇଥିଲା ।

ରାଜ୍ୟ ସ୍ତରୀୟ ଆଇ.ପି.ଏ ମାନଙ୍କ ମଧ୍ୟରେ ଇପିକଲ୍ ଭାରତର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’: ଇନଭେଷ୍ଟ ଇଣ୍ଡିଆ
- News18 Odia
- Last Updated: December 20, 2020, 2:00 PM IST
ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ଗ୍ରୁପ୍ ସହଭାଗିତାରେ ଇନଭେଷ୍ଟ ଇଣ୍ଡିଆ ଦ୍ୱାରା ପ୍ରକାଶିତ ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟ ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି (IPA) ରେଟିଂ ରିପୋର୍ଟରେ, ଓଡ଼ିଶାର ରାଜ୍ୟ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ତଥା ସୁବିଧା ପ୍ରଦାନକାରୀ ଏଜେନ୍ସି ଆଇ.ପି.ଆଇ.ସି.ଓ.ଏଲ୍ (IPICOL) ମୋଟ ୯୮% ଅଙ୍କ ପ୍ରାପ୍ତ କରି ଭାରତର ଅନ୍ୟ ୨୦ଟି ରାଜ୍ୟ ଆଇପିଏ ମାନଙ୍କୁ ପଛରେ ପକାଇ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ଭାବରେ ମାନ୍ୟତା ଲାଭ କରିଛି ।
ଏହି ମୂଲ୍ୟାଙ୍କନ ଦେଶରେ ଥିବା ବିଭିନ୍ନ ରାଜ୍ୟର ଆଇପିଏ ମାନଙ୍କ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ପାଇଁ ସେମାନଙ୍କ ପ୍ରାକ୍ ପ୍ରସ୍ତୁତି ଓ ଦକ୍ଷତା ଆଧାରରେ କରାଯାଇଥିଲା । ମୂଲ୍ୟାଙ୍କନ ପାଇଁ ଇନଭେଷ୍ଟ ଇଣ୍ଡିଆ ତରଫରୁ ସର୍ବମୋଟ ୭୪ଟି ପ୍ରଶ୍ନ ଗୁଡିକକୁ ୮ଟି ଭିନ୍ନ ବର୍ଗରେ ବିଭକ୍ତ କରାଯାଇ ଏକ ସର୍ଭେ କରାଯାଇଥିଲା । ଏହି ବର୍ଗ ମାନଙ୍କରେ ମାଣ୍ଡେଟ ଏବଂ ସଙ୍ଗଠନ, ରଣନୀତି ଏବଂ ମାର୍କେଟିଂ, ନିବେଶକଙ୍କୁ ଆକୃଷ୍ଟ କରିବା, ବିନିଯୋଗ ପ୍ରକଳ୍ପ ଲାଭ କରିବା, ନିବେଶକୁ ସୁଗମ କରିବା, ନିବେଶ ପରବର୍ତ୍ତୀ ସେବା ଯୋଗାଣ, ବ୍ୟବସ୍ଥା ଏବଂ ଭିତ୍ତିଭୂମି ଓ ୱେବସାଇଟ୍ ଅନ୍ତର୍ଭୁକ୍ତ କରାଯାଇଥିଲା । ଇନଭେଷ୍ଟ ଇଣ୍ଡିଆ ଏବଂ ୱାର୍ଲ୍ଡ ବ୍ୟାଙ୍କ ଗ୍ରୁପର ମିଳିତ ଟିମ ଦ୍ୱାରା ବିଭିନ୍ନ ରାଜ୍ୟ ଆଇପିଏଙ୍କ ମୂଲ୍ୟାଙ୍କନ କରାଯାଇ ସେମାନଙ୍କୁ ୪ ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ଯଥା ଶ୍ରେଷ୍ଠ ପ୍ରଦର୍ଶନକାରୀ ନେତୃତ୍ୱ ନେବାର ଆକାଂକ୍ଷା ଧାରଣକାରୀ, ବିକାଶ ପାଇଁ ବଦ୍ଧପରିକର ଏବଂ ଉଦୀୟମାନ ସମ୍ଭାବନା ସୃଷ୍ଟିକାରୀ ।
@InvestInOdisha becomes the ‘Top Performer’ in the state IPA ratings published by @investindia and @WorldBankIndia.#IPICOL has scored 98% in the assessment.#TeamOdishawins #InvestOdisha pic.twitter.com/aSqk5pjWNX
— Invest Odisha (@InvestInOdisha) December 20, 2020
ରିପୋର୍ଟ ଅନୁଯାୟୀ ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ହେଉଛନ୍ତି ସେଇ ଆଇପିଏ ଯାହା ନିବେଶକଙ୍କୁ ଆକର୍ଷିତ କରିବା ଏବଂ ସେମାନଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ସର୍ବଦା ପ୍ରସ୍ତୁତ ଏବଂ ଅନେକ କିମ୍ବା ସମସ୍ତ ୮ଟି ଵର୍ଗରେ ଭଲ ପ୍ରଦର୍ଶନ କରିଥାନ୍ତି । ସେମାନେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଭଲ ଅଭ୍ୟାସଗୁଡ଼ିକର ଏକାଧିକ ଦିଗ ପ୍ରଦର୍ଶନ କରନ୍ତି ।
ଏହି ରିପୋର୍ଟରେ ସର୍ବେକ୍ଷଣକାରୀ ଦଳ ଆଇ.ପି.ଆଇ.ସି.ଓ.ଏଲ (ଇପିକଲ)ର ଭୁୟସୀ ପ୍ରଶଂସା କରି ଦର୍ଶାଇଛନ୍ତି ଯେ- ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଆମେ ଇପିକଲକୁ ଅଭିନନ୍ଦନ ଜଣାଉଛୁ । ଯାହା ଫଳସ୍ୱରୂପ ଏହା ଭାରତର ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ଏଜେନ୍ସିରେ ପରିଣତ ହୋଇଛି । ଏହି ପ୍ରତିଯୋଗିତାମୂଳକ ଦୃଶ୍ୟପଟ୍ଟରେ ଏହାର ପ୍ରାସଙ୍ଗିକତା ପ୍ରମାଣ କରିବାକୁ ପଦକ୍ଷେପ ନେଇଥିବାରୁ ଆମେ ରାଜ୍ୟ ଆଇପିଏର ଦୂରଦୃଷ୍ଟି ଏବଂ ଏହାର ନେତୃତ୍ୱକୁ ପ୍ରଶଂସା କରୁଛୁ ।
ଗତ କିଛି ବର୍ଷ ମଧ୍ୟରେ ଆଇ.ପି.ଆଇ.ଓ.ସି.ଏଲ୍ ସଂସ୍ଥାଗତ, ବ୍ୟବସ୍ଥାଗତ ଏବଂ ବୈଷୟିକ ଜ୍ଞାନକୌଶଳରେ ସଂସ୍କାର ଆଣି ଓଡ଼ିଶାରେ ବ୍ୟବସାୟ ପାଇଁ ପରିବେଶକୁ ଅନୁକୂଳ ତଥା ଅସୁବିଧା ମୁକ୍ତ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛି । ଏହା ବିଭିନ୍ନ ବର୍ଗର ସ୍କୋରରେ ପ୍ରତିଫଳିତ ହୋଇଥିଲା । ଯେଉଁଥିରେ ଏହା ୭ଟି ବର୍ଗରେ ୧୦୦% ସ୍କୋର କରିଥିବାବେଳେ ଅବଶିଷ୍ଟ ଗୋଟିଏ ଵର୍ଗରେ ୮୦% ସ୍କୋର କରି ପାରିଥିଲା । ସିଏମ୍ଆଇ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହା ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ନୂତନ ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଭାରତର ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ପରିଣତ କରିବାରେ ଏବଂ ଓଡ଼ିଶାକୁ ଶୀର୍ଷ ମାନ୍ୟତା ହାସଲ କରେଇବାରେ ଇପିକଲ୍ଏ କ ସକ୍ରିୟ ଭୂମିକା ଗ୍ରହଣ କରିଛି । ପୁଞ୍ଜି ବିନିଯୋଗ କାର୍ଯ୍ୟ ହାର ଦୃଷ୍ଟିରୁ ଆସୋଚାମ୍ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବରେ ମାନ୍ୟତା ପ୍ରଦାନ କରିଛି ।
ଏହି ରିପୋର୍ଟରେ ଅଭିବୃଦ୍ଧି ପାଇଁ ଆଇ.ପି.ଆଇ.ଓ.ସି.ଏଲର ଦୂରଦୃଷ୍ଟିତାକୁ ପ୍ରଶଂସା ମଧ୍ୟ କରାଯାଇ ଉଲ୍ଲେଖ କରାଯାଇଛି- ଏହାର ଲକ୍ଷ୍ୟ କ୍ଷେତ୍ର ଏବଂ ଉପ-କ୍ଷେତ୍ରକୁ ରଣନୀତି ଭିତ୍ତିରେ ସ୍ଥିର କରିବା ଏବଂ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ତଥା ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ରାଜ୍ୟ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ଓଡ଼ିଶାକୁ ଏକ ଆକର୍ଷଣୀୟ ବିନିଯୋଗ ସ୍ଥଳ ଭାବରେ ଗଢ଼ି ତୋଳିବା ପାଇଁ ଏକ ପ୍ରମୂଖ ଭୂମିକା ଗ୍ରହଣ କରିବ ।