କାରଖାନା ଆଇନରେ ସଂଶୋଧନ; ଲାଭ ପାଇବେ ତିନିଶହ କାରଖାନା ଓ ପଚାଶ ହଜାର ଶ୍ରମିକ

କାରଖାନା ଆଇନ -୧୯୪୮ ର କେତେକ ଧାରାରେ ସଂଶୋଧନ ନିମନ୍ତେ ଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ନୂଆ କାରଖାନା ଲାଗି ୧୦୦୦ ଦିନ ନିୟମକୁ କୋହଳ ସହ ଓଭରଟାଇମ ବୃଦ୍ଧିକୁ ନେଇ ବଦଳିଛି ଅନେକ ନିୟମାବଳୀ ।

କାରଖାନା ଆଇନରେ ସଂଶୋଧନ; ଲାଭ ପାଇବେ ତିନିଶହ କାରଖାନା ଓ ପଚାଶ ହଜାର ଶ୍ରମିକ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 16, 2020, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଏକ ଅଧ୍ୟାଦେଶ ବଳରେ କାରଖାନା ଆଇନ ୧୯୪୮ର କେତେକ ଧାରାରେ ସଂଶୋଧନ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହାର ସୂଚନା ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଦେଇଛନ୍ତି । ଏହାଦ୍ବାରା ପ୍ରାୟ ୩୦୦ ଶିଳ୍ପାନୁଷ୍ଠାନ ଓ ପ୍ରାୟ ୫୦ ହଜାର ଶ୍ରମିକ ଉପକୃତ ହେବେ।

"ଏହି ସଂଶୋଧନ ଅନୁସାରେ ଯେଉଁ କାରଖାନା ଗୁଡ଼ିକରେ ବିଦ୍ୟୁତ ଶକ୍ତି ପ୍ରୟୋଗ ବିଶିଷ୍ଟ କାର୍ଯ୍ୟରେ ୨୦ ରୁ କମ୍ ଓ ବିଦ୍ୟୁତବିହୀନ ଶିଳ୍ପ କାର୍ଯ୍ୟରେ ୪୦ରୁ କମ୍ ଶ୍ରମିକ ନିୟୋଜିତ ଥିବେ ସେମାନେ ସରକାରୀ ଦେୟ ନକ୍ସା ମଞ୍ଜୁରୀ, ସନନ୍ଦ ନବୀକରଣ ଓ ନିୟମିତ ପରୀକ୍ଷଣରୁ ମୁକ୍ତ ହେବେ । ତା’ଛଡ଼ା ଅର୍ଜିତ ଛୁଟି ଉପଲବ୍ଧ ସୀମା ୨୪୦ରୁ ୧୮୦ ପାରିଶ୍ରମିକ ଦିବସକୁ ହ୍ରାସ, ସନ୍ଧ୍ୟା ୭ଟା ପରେ ସହମତି ଭିତ୍ତିରେ ମହିଳା ଶ୍ରମିକଙ୍କ ନିୟୋଜନ ଆଦି ପ୍ରସ୍ତାବ ସାମିଲ୍‌ ଅଛି । ଏହି ସଂଶୋଧନ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ,  ନିଯୁକ୍ତି ସୃଷ୍ଟି ଓ କରୋନା ମହାମାରୀ କବଳିତ ଏମଏସଏମଇକୁ କ୍ରିୟାଶୀଳ କରିବାରେ ସହାୟକ ହେବ'' କହିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ପୂର୍ବ ଆଇନ ଅନୁସାରେ ସର୍ବନିମ୍ନ ଶ୍ରମିକ ନିୟୋଜନ ସୀମା ବୈଦ୍ୟୁତିକ ଶକ୍ତି ପ୍ରୟୋଗ ସହିତ ୧୦ ଏବଂ ବୈଦ୍ୟୁତିକ ଶକ୍ତି ପ୍ରୟୋଗ ବିନା ୨୦ ଜଣ ରହିବାର ନିୟମ ରହିଥିଲା । ଯାହାକୁ ଏବେ ବୃଦ୍ଧି କରାଯାଇଛି । ସେହିଭଳି ଫ୍ୟାକ୍ଟ୍ରିରେ ଶ୍ରମିକଙ୍କ କାମ କରିବା ନେଇ ଯେଉଁ ସମୟସୀମା ରହିଥିଲା ତାହାକୁ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ଆଇନ ଅନୁସାରେ, ସଂନ୍ଧ୍ୟା ୭ଟା ପରେ ସହମତି ଭିତ୍ତିରେ ମହିଳା ଶ୍ରମିକ ମାନଙ୍କର ନିୟୋଜନକୁ ଅନୁମତି ମିଳିବ । ସେହିପରି ପୂର୍ବ ନିୟମ ଅନୁସାରେ, ଜଣେ କର୍ମଚାରୀ ୨୪୦ ଦିନ କାମ କଲାପରେ ସେ ଛୁଟି ନେଇପାରିବ ବୋଲି ନିୟମ ରହିଥିଲା। ସଂଶୋଧିତ ନିୟମ ଅନୁସାରେ, ବର୍ତ୍ତମାନ ଜଣେ କର୍ମଚାରୀ ୧୮୦ ଦିନ କାମ କରିବା ପରେ ଛୁଟି ନେଇପାରିବ । ସେହିପରି ୩ ମାସରେ କର୍ମଚାରୀଙ୍କ ୭୫ ଘଣ୍ଟାର ଓଭର ଟାଇମକୁ ବୃଦ୍ଧି କରି ୧୧୫ ଘଣ୍ଟା କରାଯିବା ନେଇ ନିଷ୍ପତ୍ତି ହୋଇଛି । ଆଇନ ଅଦାଲତରେ ଅଯଥାରେ ଛନ୍ଦି ନ ହେବା ପାଇଁ ମୌଖିକ ଛୋଟମୋଟ ତ୍ରୁଟି ନିମନ୍ତେ ମକୋଦ୍ଦମା ରୁଜୁ କରାନଯାଇ ଜୋରିମାନା ବ୍ୟବସ୍ଥା ପ୍ରସ୍ତାବ କରିବାକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରି ଲାଭ କରିଛି ।

ସଂଶୋଧିତ ଆଇନ ଅନୁସାରେ ଜନସ୍ୱାର୍ଥ ମାମଲା ନିମନ୍ତେ ଆବଶ୍ୟକ ପଡିଲେ ସରକାର କୌଣସି କାରଖାନାକୁ ୧୦୦୦ ଦିନ ପାଇଁ କାରଖାନା ଆଇନର ଧାରର ପ୍ରୟୋଗରୁ କରି ବିରତି ରଖିପାରିବେ । ଏଥିଲାଗି ସରକାର ଏକ ସର୍ତ୍ତ ରଖିଛନ୍ତି । ସର୍ତ୍ତ ଅନୁସାରେ ସେହି କାରଖାନା ୧୦୦୦ ଦିନ ମଧ୍ୟରେ ଉପ୍ତାଦନ ଆରମ୍ଭ କରିବା ଦରକାର । ସୂଚନା ଅନୁଯାୟୀ କାରଖାନା ଆଇନ ୧୯୪୮ର କେତେକ ଧାରର ସଂଶୋଧନ ନିମନ୍ତେ ଥିବା ପ୍ରସ୍ତାବକୁ ଗତ ମେ ମାସ ୨୯ ତାରିଖରେ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଥିଲେ ।

ଏହି ଅଧ୍ୟାଦେଶ ପ୍ରଣୟନ ନିମନ୍ତେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ପରାମର୍ଶ ଲୋଡିଥିଲେ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟରୁ ମିଳିଥିବା ପରାମର୍ଶ ତଥା ଅତିରିକ୍ତ ପ୍ରସ୍ତାବକୁ ଧ୍ୟାନରେ ରଖି ପୁନଃ ନିରୀକ୍ଷିତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ଯାହାକୁ ମଞ୍ଜୁରୀ ମିଳିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସର୍ବମୋଟ ୨୦ଟି ପ୍ରସ୍ତାବରେ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
Published by: Jagdish Barik
First published: August 16, 2020, 5:30 PM IST
corona virus btn
corona virus btn
Loading