୨ ନାବାଳିକା ଛାତ୍ରୀଙ୍କୁ ନେଇ ଚମ୍ପଟ ମାରିଥିବା ରସିକିଆ ଟ୍ୟୁସନ୍ ମାଷ୍ଟର ଗରଫ

ତିନି ଦିନ ପରେ ଗିରଫ ହୋଇଛି ଟ୍ୟୁସନ୍ ମାଷ୍ଟର ଗୋପାଳକୃଷ୍ଣ । ବଡଗଡ ଥାନା ପୋଲିସ ଅଇଁଠାପାଲି ଯାଇ ଅଭିଯୁକ୍ତକୁ ନିଜ ହେପାଜତକୁ ଆଣିଛି । ଅପହରଣ ଦୁଇ ନାବାଳିକା ଭଉଣୀଙ୍କୁ ଭୁବନେଶ୍ୱରର ଆଣିବା ପରେ ଉଭୟଙ୍କର ବୟାନ ରେକର୍ଡ ହେବ।

୨ ନାବାଳିକା ଛାତ୍ରୀଙ୍କୁ ନେଇ ଚମ୍ପଟ ମାରିଥିବା ରସିକିଆ ଟ୍ୟୁସନ୍ ମାଷ୍ଟର ଗରଫ

୨ ନାବାଳିକା ଛାତ୍ରୀଙ୍କୁ ନେଇ ଚମ୍ପଟ ମାରିଥିବା ରସିକିଆ ଟ୍ୟୁସନ୍ ମାଷ୍ଟର ଗରଫ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଦୁଇଜଣ ନାବାଳିକା ଛାତ୍ରୀଙ୍କୁ ନେଇ ଚମ୍ପଟ ମାରିଥିବା ଟ୍ୟୁସନ ମାଷ୍ଟର ଗୋପାଳକୃଷ୍ଣ ବାଡାତିଆକୁ ସମ୍ବଲପୁରରୁ ଗିରଫ କରାଯାଇଛି । ଅଇଁଠାପାଲି ଅଞ୍ଚଳରେ ଏକ ଭଡା ଘରୁ ଗୋପାଳକୁ ଗିରଫ କରିଛି ଅଇଠାପାଲି ଥାନା ପୋଲିସ। ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ ଗୋପାଳକୁ କମିଶନରେଟ ପୋଲିସକୁ ହସ୍ତାନ୍ତର କରିଛି ସମ୍ବଲପୁର ପୋଲିସ।

ତିନି ଦିନ ପରେ ଗିରଫ ହୋଇଛି ଟ୍ୟୁସନ୍ ମାଷ୍ଟର ଗୋପାଳକୃଷ୍ଣ । ବଡଗଡ ଥାନା ପୋଲିସ ଅଇଁଠାପାଲି ଯାଇ ଅଭିଯୁକ୍ତକୁ ନିଜ ହେପାଜତକୁ ଆଣିଛି । ଅପହରଣ ଦୁଇ ନାବାଳିକା ଭଉଣୀଙ୍କୁ ଭୁବନେଶ୍ୱରର ଆଣିବା ପରେ ଉଭୟଙ୍କର ବୟାନ ରେକର୍ଡ ହେବ। ତେବେ ଅପହରଣ ପଛର କାରଣ ଜଣା ପଡ଼ିନଥିବା ବଡଗଡ ଥାନା ପୋଲିସ ପକ୍ଷରୁ କୁହାଯାଇଛି।

“ଆମେ ଖବର ପାଇଲୁ ଅଭିଯୁକ୍ତ ଅଇଁଠାପଲିରେ ଅଛି। ତେଣୁ ଆମେ ସମ୍ବଲପୁର ପୋଲିସକୁ ଯୋଗାଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛୁ। ଦୁଇ ନାବାଳିକା ଭଉଣୀ ମଧ୍ୟ ଉଦ୍ଧାର ହୋଇଛନ୍ତି । ଏବେ ସୁଦ୍ଧା ଜଣା ପଡ଼ିନି କାହିଁକି ଗୋପାଳ ଦୁଇ ଭଉଣୀଙ୍କୁ ନେଇଥିଲା ସେନେଇ ଏବେ ତଦନ୍ତ ଚାଲିଛି । ସେପଟେ ପରିବାର ଲୋକେ ଯେଉଁ ଅଭିଯୋଗ କରିଛନ୍ତି, ସେଦିଗକୁ ନେଇ ମଧ୍ୟ ତଦନ୍ତ କରାଯିବ,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।

ବଡଗଡ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟ୍ୟୁସନ୍ ମାଷ୍ଟର ଗୋପାଳକୃଷ୍ଣକୁ ଧରିବାରେ ତା'ର ପୋଷା କୁକୁର ହିଁ ପୋଲିସକୁ ସହାୟକ ହୋଇଥିଲା । କାରଣ ଗୋପାଳ ସାଙ୍ଗରେ ନିଜର ପୋଷା କୁକୁର ନେଇ ଯାଇଥିଲା । ପୋଲିସ ଏକଥା ଜାଣିବା ପରେ ବଡଗଡରୁ ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସିସିଟିଭିକୁ ଯାଞ୍ଚ କରିଥିଲା । ଗୋପାଳ ବଡଗଡରୁ ଏକ ଅଟୋ ସାହାଯ୍ୟରେ ବରମୁଣ୍ଡା ଦୁଇ ଭଉଣୀ ଓ କୁକୁରକୁ ନେଇ ଯାଇଥିଲା । ବସଷ୍ଟାଣ୍ଡରୁ ବସରେ ସମ୍ବଲପୁର ଯାଇଥିଲା । ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତ କରିବା ପରେ ସମ୍ପୃକ୍ତ ବସକୁ ଚିହ୍ନଟ କରିଥିଲା । ଜଣେ ଯୁବକ ଦୁଇଜଣ ନାବାଳିକା ଓ କୁକୁର ସହ ଅଇଁଠାପାଲିରେ ଓହ୍ଲାଇବା କଥା ବସ କର୍ମଚାରୀ କହିବା ପରେ ସମ୍ବଲପୁର ପୋଲିସକୁ ଯୋଗାଯୋଗ କରିଥିଲା କମିଶନରେଟ ପୋଲିସ।

“ଆମେ କମିଶନରେଟ ପୋଲିସ ପାଖରୁ ଖବର ପାଇବା ପରେ ଅଇଁଠାପାଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ପଚରାଉଚରା କରିବା ପରେ କୁକୁର ସମ୍ବନ୍ଧୀୟ ତଥ୍ୟ ଦେବାପରେ ଅଭିଯୁକ୍ତ ପାଖରେ ପହଁଚିବା ସମ୍ଭବ ହୋଇଥିଲା,’’ କହିଛନ୍ତି ସମ୍ବଲପୁର ଏସ.ଡି.ପି.ଓ ପ୍ରଦୀପ କୁମାର ସାହୁ।

ପ୍ରକାଶ ଥାଉକି ଗତ ରବିବାର ବଡଗଡ ଅଞ୍ଚଳର ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଚମ୍ପଟ ମାରିଥିଲା ଏହି ଟ୍ୟୁସନ୍ ମାଷ୍ଟର। ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦୁଇଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନର ସିସିଟିଭିକୁ ଯାଞ୍ଚ କରିବା ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ।
Published by:Lipina Das
First published:
)}