ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସମବାୟ ବିଭାଗର ଦୁର୍ନୀତି ପଦାରେ ପଡ଼ିଛି; ବିଭାଗରେ ଅରାଜକତା ଓ ଦୁର୍ନୀତି ସାମ୍ନାକୁ ଆସିଛି

ସମବାୟ ବିଭାଗର ଦୁର୍ନୀତି ପଦାରେ ପଡ଼ିଛି; ବିଭାଗରେ ଅରାଜକତା ଓ ଦୁର୍ନୀତି ସାମ୍ନାକୁ ଆସିଛି

କୃଷି ଋଣ ପ୍ରଦାନରେ ପ୍ରାଥମିକ ସମବାୟ ସମିତି ଓ ସମବାୟ ବ୍ୟାଙ୍କରେ ସରକାରଙ୍କ ୫-ଟି ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ଚାଷୀ ଏବେ ତ୍ରାହି ତ୍ରାହି ଡାକୁଛନ୍ତି ।

ସମବାୟ ବିଭାଗର ଦୁର୍ନୀତି ପଦାରେ ପଡ଼ିଛି; ବିଭାଗରେ ଅରାଜକତା ଓ ଦୁର୍ନୀତି ସାମ୍ନାକୁ ଆସିଛି
ସମବାୟ ବିଭାଗର ଦୁର୍ନୀତି ପଦାରେ ପଡ଼ିଛି
  • News18 Odia
  • Last Updated: October 23, 2021, 5:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ସମବାୟ ବିଭାଗ ଦୁର୍ନୀତି ପଦାରେ ପଡ଼ିଛି। ବିଭାଗରେ ଅରାଜକତା ଓ ଦୁର୍ନୀତି କିଭଳି ରହିଛି ତାହାର ଏକ ଜ୍ବଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ପ୍ରାୟ ୧୪ଟି ଜିଲ୍ଲାରେ ଦୁର୍ନୀତିର ଗନ୍ଧ ଆସିଲା ପରେ ଏବେ ସମବାୟ ବିଭାଗର ଚିନ୍ତା ବଢ଼ି ଯାଇଛି। କେଉଁଠାରେ ଲୋକଙ୍କୁ ଋଣ କରାଇବା ପାଇଁ ବିପୁଳ ଅର୍ଥ ଦାବି କରାଯାଉଛି ତ ଆଉ କେଉଁଠାରେ ଋଣ ପାଇଁ ଦୌଡ଼ାଇ ନାକେଦମ କରାଯାଉଛି। କୃଷି ଋଣ ପ୍ରଦାନରେ ପ୍ରାଥମିକ ସମବାୟ ସମିତି ଓ ସମବାୟ ବ୍ୟାଙ୍କରେ ସରକାରଙ୍କ ୫-ଟି ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ଚାଷୀ ଏବେ ତ୍ରାହି ତ୍ରାହି ଡାକୁଛନ୍ତି ।

ଏହାକୁ ନେଇ ବିଭାଗ ପକ୍ଷରୁ ୧୪ ଜିଲ୍ଲାର ଉପନିବନ୍ଧକଙ୍କଠାରୁ କୈଫିୟତ ତଲବ କରାଯାଇଥିବା ସମବାୟ ନିବନ୍ଧକ କାର୍ଯ୍ୟାଳୟ ତଥ୍ୟରୁ ଜଣାଯାଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ ଦେବଗଡ, ଭଦ୍ରକ, ବରଗଡ଼, କନ୍ଧମାଳ, କଟକ, ବଲାଙ୍ଗୀର, ସୁବର୍ଣ୍ଣପୁର, ଯାଜପୁର, ମୟୂରଭଞ୍ଜ, ଗଞ୍ଜାମ ଅନୁଗୋଳ, କେନ୍ଦୁଝର, ସମ୍ବଲପୁର ଓ ପୁରୀ ଜିଲ୍ଲାରେ କୃଷି ଋଣ ପାଇଁ ଚାଷୀମାନେ ଦହଗଞ୍ଜ ହେଉଛନ୍ତି। ବାରମ୍ବାର ସମବାୟ ବ୍ୟାଙ୍କ କିମ୍ବା ସମିତିକୁ ଦୌଡ଼ିଲେ ମଧ୍ୟ ଋଣ ମିଳୁନାହିଁ। ଏମିତିକି ଋଣ କରାଇବା ପାଇଁ ପୁଳା ପୁଳା ଟଙ୍କା ଦେଲେ ମଧ୍ୟ ଠିକଣା ସମୟ ମଧ୍ୟରେ ଚାଷୀଙ୍କୁ କୃଷି ଋଣ ମିଳୁନାହିଁ। ଏଭଳି ଅଭିଯୋଗ ମୋ-ସରକାର ଯୋଜନା ଜରିଆରେ ତୃଣମୂଳସ୍ତରରୁ ମିଳିବା ପରେ ସମବାୟ ବିଭାଗର ହୋସ ଉଡ଼ି ଯାଇଛି।

ଏନେଇ ସମବାୟ ବିଭାଗ ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ଦାଶ ଚଳିତ ମାସ ୮ ତାରିଖରୁ ସମ୍ପୃକ୍ତ ଜିଲ୍ଲାର ଉପନିବନ୍ଧକଙ୍କୁ ଅବଗତ କରାଇଥିଲେ। ହେଲେ ଏହାର ଠିକଣା ଉତ୍ତର ଏ ପର୍ଯ୍ୟନ୍ତ ସରକାରଙ୍କୁ ମିଳିନାହିଁ। ଅନ୍ୟପକ୍ଷରେ ଏନେଇ ଶୁକ୍ରବାର ସମବାୟ ସମିତି ଉପନିବନ୍ଧକ ସମ୍ପୃକ୍ତ ଉପଖଣ୍ଡର ଉପନିବନ୍ଧକଙ୍କୁ ପତ୍ର ଲେଖି ଏକ ସପ୍ତାହ ଭିତରେ ଏହାର ତଦନ୍ତ କରି ସରକାରଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ଦେବାକୁ ଦର୍ଶାଇଛନ୍ତି।

ଉପନିବନ୍ଧକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଦେବଗଡ଼ର ମିଖେଲ ଲାକ୍ରାଙ୍କୁ ‘ମୋ-ସରକାର’ର ଯୋଡାଯାଇ ତାଙ୍କର ମତାମତ ସଂଗ୍ରହ କରାଯାଇଥିଲା। ଏଥି ପାଇଁ ତାଙ୍କ ମୋବାଇଲ ନମ୍ବର ୮୪୫୬୦୧୪୦୦୬ରେ ଯୋଗାଯୋଗ କରାଯିବାରେ ସେ ଯେଉଁ ଉତ୍ତର ଦେଇଛନ୍ତି ତାହା ଆଶ୍ଚର୍ଯ୍ୟଜନକ।

ଲାକ୍ରା ମତାମତରେ କହିଥିଲେ,"କୃଷି ଋଣ ପାଇଁ ତାଙ୍କୁ ହଇରାଣ କରାଯାଉଛି। ଏହା ବ୍ୟତୀତ କୃଷି ଋଣ କରାଇ ଦେବା ପାଇଁ ତାଙ୍କ ଠାରୁ ଅର୍ଥ ଆଦାୟ କରାଯାଇଥିଲେ ହିଁ ତାହା ଠିକଣା ସମୟରେ ସମବାୟ ସମିତି କିମ୍ବା ବ୍ୟାଙ୍କ ପକ୍ଷରୁ ମିଳୁନାହିଁ। ଏମିତିକି ବିଭାଗ ପକ୍ଷରୁ ଠିକଣା ଭାବେ ତାଙ୍କୁ ଅବଗତ କରାଯାଇ ନାହିଁ।’’

ଏଥିରୁ ବୁଝାପଡୁଛି ଯେ ସମବାୟ ବିଭାଗରେ ୫-ଟି ତତ୍ତ୍ବର ସ୍ବଚ୍ଛତା, ପରିବର୍ତ୍ତନଶୀଳ ଓ ସମୟାନୁବର୍ତ୍ତିତା ଆଦୌ କାର୍ଯ୍ୟ କରୁନାହିଁ। ସେହିପରି ଉକ୍ତ ଜିଲ୍ଲାର ସୌଭାଗ୍ୟ ଚନ୍ଦ୍ର ପ୍ରଧାନଙ୍କ ଠାରୁ ‘ମୋ-ସରକାର’ରେ ମତାମତ ଲୋଡାଯାଇଥିଲା। ପ୍ରଧାନ ଅନୁରୂପ ଭାବେ ତାଙ୍କର ମତାମତ ଦେଇଛନ୍ତି। କେବଳ ଯେ ଦେବଗଡ଼ ଜିଲ୍ଲାର ଏହି ଦୁଇ ଚାଷୀ ତାଙ୍କର ମତାମତ ଦେଇଛନ୍ତି, ତାହା ନୁହେଁ ଅନ୍ୟ ସବୁ ଜିଲ୍ଲାରୁ ମଧ୍ୟ କୃଷି ଋଣ ପ୍ରଦାନରେ ଏଭଳି ଅନିୟମିତତା ଅଭିଯୋଗ ଆସିଥିବା ବିଭାଗ ଧରିଛି। ତେଣୁ କେଉଁ ପରିପ୍ରେକ୍ଷୀରେ ଚାଷୀମାନେ ଏଭଳି ମତାମତ ଦେଇଛନ୍ତି ତାହାର ପୂର୍ଣ୍ଣାଙ୍ଗ ତଥ୍ୟ ବିଭାଗକୁ ଅବଗତ କରାଇବା ପାଇଁ ନିବନ୍ଧକଙ୍କ ପକ୍ଷରୁ ପତ୍ରରେ ଦର୍ଶାଯାଇଛି।
Published by: Lipina Das
First published: October 23, 2021, 5:35 PM IST