ମନୋରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ; ପୋଖରୀ ନିର୍ମାଣ ନହେବା ପୂର୍ବରୁ ବିଲ୍ କରି ଟଙ୍କା ଉଠା ହୋଇଛି

ମନୋରେଗା ଯୋଜନାରେ ଏଭଳି ଦୁଇ ଦୁଇଟି ପୋଖରୀ ନିର୍ମାଣକୁ ନେଇ ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ଏନେଇ ବ୍ଳକ ବିଡ଼ିଓ କ୍ୟାମେରା ସମ୍ମଖରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଘଟଣାର ତଦନ୍ତ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି।

ମନୋରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

ମନୋରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

  • Share this:
News18 Odia Digital

ବ୍ରହ୍ମପୁର: ମନୋରେଗା ଯୋଜନାରେ ଆଖିବୁଜା ଦୁର୍ନୀତି ଅଭିଯୋଗ। ପୋଖରୀ ନିର୍ମାଣ ନ ହେବା ପୂର୍ବରୁ ବିଲ୍‌ କରି ଟଙ୍କା ଉଠା ହୋଇସାରିଛି। ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ପୋଖରୀ ନିର୍ମାଣରେ ସମାନ ଅଭିଯୋଗ ଦେଖିବାକୁ ମିଳିଛି। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ଇନ୍ଦ୍ରାକ୍ଷୀ ପଞ୍ଚାୟତରୁ।

ପଞ୍ଚାୟତରେ ରହିଥିବା ମଶାଣି ପୋଖରୀ ଓ ପୋଲଗାଲୀ ପୋଖରୀରେ କାମ ଶେଷ ନ ହେଉଣୁ ଟଙ୍କା ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗକୁ ନେଇ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଛନ୍ତି।

ସେପଟେ ପଞ୍ଚାୟତର ଗାଁ ସାଥି ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ପୋଖରୀ କାମ ନିୟମିତ ଭାବେ ଓ ନିୟମ ଅନୁସାରେ ଚାଲିଥିବା ନେଇ ସଫେଇ ଦେଇଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛି ବ୍ଳକ ପ୍ରଶାସନ।

ରାଜ୍ୟରେ ମନୋରେଗା ଯୋଜନାରେ କାମ ଯୋଗାଇ ଦେବାରେ ପ୍ରଥମ ହେଉଛି ଗଞ୍ଜାମ ଜିଲ୍ଲା। ଏଥିପାଇଁ ଜିଲ୍ଲା ବିଭିନ୍ନ ମହଲରୁ ପୁରସ୍କାର ପାଇବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ରୂପେ ଭିନ୍ନ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକର ଇନ୍ଦ୍ରାକ୍ଷୀ ପଞ୍ଚାୟତରେ। ଇନ୍ଦ୍ରାକ୍ଷୀ ପଞ୍ଚାୟତରେ ମନୋରେଗା ଯୋଜନାରେ ହୋଇଥିବା ପୋଖରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି।

ପଞ୍ଚାୟତର ଓଡ଼ିଆରପି କୋଲନୀ ନିକଟରେ ରହିଥିବା ମଶାଣି ପୋଖରୀର ନିର୍ମାଣ କାମ ଶେଷ ନ ହେଉଣି ଟଙ୍କା ଉଠାଣ ହୋଇଛି। ଏପରିକି ଏହି ପୋଖରୀର ବର୍ତ୍ତମାନ କେବଳେ କିଛି ମାଟି ଉଠାଣ ହୋଇଥିବା ବେଳେ ଏଥିନିମନ୍ତେ ପ୍ରାୟ ୪୦ ହଜାର ଟଙ୍କାର କାର୍ଯ୍ୟ ହୋଇଥିବା ବେଳେ ୨ ଲକ୍ଷ ୫୫ ହଜାର ୭୪୧ ଟଙ୍କା ଉଠାଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ। ଏହାସହିତ ମୃତ ବ୍ୟକ୍ତି, ଧନୀଶ୍ରେଣୀୟ ଲୋକଙ୍କ ନାମରେ ଜବ କାର୍ଡ଼ କରାଯାଇ ଟଙ୍କା ଉଠାଣ କରି ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଇନ୍ଦ୍ରାକ୍ଷୀ ବାସିନ୍ଦା ଦଣ୍ଡପାଣି ସାହୁ।

ପୋଲଗାଲୀ ପୋଖରୀରେ ମଧ୍ୟ କାମ ଆରମ୍ଭ ନ ହେଉଣୁ ଟଙ୍କା ଉଠାଇ ଆତ୍ମସାତ କରିଥିବା ନେଇ ଅଭିଯୋଗ ଆସିଛି। ପୋଖରୀ କାର୍ଯ୍ୟ ଚଳିତ ବର୍ଷ ଜୁନ ୬ରେ କାମ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୫ ତାରିଖ ଦିନ କାମ ବନ୍ଦ କରିଥିବା ନେଇ ଦର୍ଶାଇଥିଲେ ତାହା ସମ୍ପୂର୍ଣ୍ଣ ରୂପେ ମିଛି। କାରଣ ଏଭଳି ଅଭିଯୋଗ ପରେ ତରବରିଆ ଭାବେ କିଛି ଶ୍ରମିକ ଲଗାଇ ଲୋକଙ୍କୁ ଦେଖାଇବା ନେଇ ଉପର ଠଉରିଆ ଭାବେ କାମ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଇନ୍ଦ୍ରାକ୍ଷୀ ବାସିନ୍ଦା ସୁନୀଲ କୁମାର ସାହୁ।

‘‘ଇନ୍ଦ୍ରାକ୍ଷୀ ପଞ୍ଚାୟତରେ ଏଭଳି ଦୁଇଟି ପୋଖରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଭିଜିଲାନ୍ସ ବିଭାଗରେ ଜଣାଇଛନ୍ତି । ଘଟଣାର ସଠିକ ତଦନ୍ତ କରାଯିବା ନେଇ ମଧ୍ୟ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଯେଉଁମାନେ ବିନା କାମରେ ଏଭଳି ଟଙ୍କା ଉଠାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଧ୍ୟ ଦାବି କରିଛନ୍ତି,’’ ଇନ୍ଦ୍ରାକ୍ଷୀ ବାସିନ୍ଦା ଶଙ୍କର ।

ସେପଟେ ଦୁଇଟି ପୋଖରୀରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗାଁ ସାଥି।

‘‘ପୋଖରୀର କାର୍ଯ୍ୟ ଗତ ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ବର୍ଷା ହେବାରୁ ପୋଖରୀ କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା। ପୋଖରୀରେ ଜମି ହୋଇ ରହିଥିବା ପାଣି ଶୁଖିବା ପରେ ପୁଣି ଥରେ କାମ ଆରମ୍ଭ ହୋଇଛି। ତେଣୁ ସଠିକ ସମୟରେ ନିୟମ ଅନୁସାରେ ପୋଖରୀ କାର୍ଯ୍ୟ ହେଉଛି। ଗ୍ରାମବାସୀମାନେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ,’’ କହିଛନ୍ତି ଗାଁ ସାଥି ପୁରୁଷୋତ୍ତମ ରେଡ୍ଡି।

ମନୋରେଗା ଯୋଜନାରେ ଏଭଳି ଦୁଇ ଦୁଇଟି ପୋଖରୀ ନିର୍ମାଣକୁ ନେଇ ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ଏନେଇ ବ୍ଳକ ବିଡ଼ିଓ କ୍ୟାମେରା ସମ୍ମଖରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଘଟଣାର ତଦନ୍ତ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି।
Published by:Lipina Das
First published: