ରେଳ ଲାଇନକୁ ନେଇ ବିଜେଡି ଓ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ

ପାଇକମାଳ ଓ ପଦ୍ମପୁରରେ ରେଳ ପ୍ରକଳ୍ପ ପ୍ରସଙ୍ଗରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କର ମନ୍ତ୍ରୀ ଟୁକୁନି ସାହୁଙ୍କୁ ଚିଠି । ରେଳ ପ୍ରକଳ୍ପ ପାଇଁ ଜମି ଦେବାରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ପ୍ରକଳ୍ପର ଅଗ୍ରଗତି ଅଟକିଛି ।

ରେଳ ଲାଇନକୁ ନେଇ ବିଜେଡି ଓ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ

ରେଳ ଲାଇନକୁ ନେଇ ବିଜେଡି ଓ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସବୁବେଳେ ନିଜ ଦୋଷକୁ ଅନ୍ୟ ମୁଣ୍ଡରେ ଢାଳିବା ହେଉଛି ବିଜୁ ଜନତା ଦଳର ସରକାରର ଏକ ପୁରୁଣା ଅଭ୍ୟାସ । ପଦ୍ମପୁର ଉପନିର୍ବାଚନରେ ପରାଜୟ ସୁନିଶ୍ଚିନ୍ତ ବୋଲି ଜାଣିବା ପରେ ବିଜୁ ଜନତା ଦଳର ନେତା ଏବେ ଗୋଟିଏ ପରେ ଗୋଟିଏ ମିଛ କହିଚାଲିଛନ୍ତି । ରାଜ୍ୟ ସରକାରଙ୍କ ଫସଲ ବୀମା ନାଟକର ପର୍ଦ୍ଦାଫାସ ପରେ ଏବେ ବରଗଡରୁ ନୁଆପଡା ଭାୟା ପଦମପୁର, ପାଇକମାଳ ରେଳ ପ୍ରକଳ୍ପ ଘଟଣାରେ ମଧ୍ୟ ବିଜୁ ଜନତା ଦଳର ଆଉ ଏକ ମିଛର ପର୍ଦ୍ଦାଫାଶ ହୋଇଛି ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ ।

କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ ଦ୍ୱାରା ଯେଉଁ ରେଳ ପ୍ରକଳ୍ପ ପାଇଁ ଅନୁମୋଦନ ପାଖାପାଖି ୧୧ ମାସ ହେଲାଣି ମିଳିସାରିଛି ସେହି ରେଳ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଗତ କାଲି ଚିଠି ଲେଖି ଅନୁମୋଦନ ପାଇଁ ଅନୁରୋଧ କରିଥିଲେ । ଏକ ଅନୁମୋଦିତ ପ୍ରକଳ୍ପ ବିଷୟରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ କେମିତି ଏତେ ଅଜ୍ଞ ଅଛନ୍ତି ଯେ ପୁଣି ଅନୁମୋଦନ ମାଗୁଛନ୍ତି ବୋଲି ସୁରେଶ ପୂଜାରି ପ୍ରଶ୍ନ କରିଛନ୍ତି । ବିଜୁ ଜନତା ଦଲର ମନ୍ତ୍ରୀ ଟୁକୁନି ସାହୁ ବରଗଡରୁ ନୁଆପଡା ଭାୟା ପଦମପୁର ଓ ପାଇକମାଳ ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ମଂଜୁରି ଦେବା ପାଇଁ ଦାବି କରିଥିବା ଚିଠିର ଉତ୍ତରରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଏକ ଚିଠି ଲେଖିଛନ୍ତି । ଯାହାକୁ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷ୍ୟରୁ ଉଲ୍ଲେଖ୍ୟ କରାଯାଇଛି । ଏହି ଚିଠିରେ ରେଳ ମନ୍ତ୍ରୀ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଏହି ପ୍ରକଳ୍ପକୁ ୩୧ ଡିସେମ୍ବର, ୨୦୨୧ରେ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ । ସୁରେଶ ପୂଜାରି କହିଛନ୍ତି ଯେ, ସେହି ପ୍ରକଳ୍ପର ଅନୁମୋଦନ ନେଇ ରେଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ମଧ୍ୟ ଚିଠି ଲେଖିଛନ୍ତି ଯେଉଁଥିରେ ଜମି ଯୋଗାଇଦେବା କଥା ଉଲ୍ଲେଖ୍ୟ ଅଛି । ଓଡ଼ିଶା ରେଲ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଲିମିଟେଡ ଜାନୁଆରି ୨୦୨୨ରେ ଟେଣ୍ଡର ମଧ୍ୟ କରିସାରିଛନ୍ତି ଏହି ପ୍ରକଳ୍ପର କ୍ରିୟାନ୍ୱୟନ ନେଇ । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ । ୧୧ ମାସ ଭିତରେ କେତେ ଜମି ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ତାହା ଜଣାନ୍ତୁ ।

ସୁରେଶ ପୂଜାରି କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ଲାଇଫଲାଇନ ଖୋର୍ଦ୍ଦା ରୋଡ ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ଦୃତଗତିରେ ସାରିବା ପାଇଁ ସବୁ ଉଦ୍ୟମ କରୁଥିବା ବେଳେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରାଇବାରେ ବିଫଳ ହୋଇ ଏଥିରେ ବାଧକ ସାଜିଛନ୍ତି । ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଏବେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଚିଠି ପାଇବା ପରେ ନିଜ ମିଛକୁ ଲୁଚାଇବା ପାଇଁ ହଡବଡେଇ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୮ ମସିହାର ପୁରୁଣା ବକ୍ତବ୍ୟର ଅନ୍ୟ ଅର୍ଥ ବାହାର କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ସାଂସଦ ଡ. ପାତ୍ର ପ୍ରଥମେ ମନ୍ତ୍ରୀ ଟୁକୁନି ସାହୁ ଲେଖିଥିବା ଚିଠିର ଜବାବ ରଖନ୍ତୁ । ନଚେତ୍ ନିଜେ ସାଂସଦ ଡ,ପାତ୍ର ଏବଂ ମନ୍ତ୍ରୀ ଟୁକୁନି ସାହୁ କ୍ଷମା ମାଗନ୍ତୁ ବୋଲି ସୁରେଶ ପୁଜାରୀ କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ସବିଶେଷ ସୂଚନା ଦେଇ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ ପଦ୍ମପୁର ରେଳଲାଇନ ପ୍ରକଳ୍ପ ୨୦୧୮ ଡିସେମ୍ବରରେ ଅନୁମୋଦନ ଲାଭ କଲା ନା ୨୦୨୧ ଡିସେମ୍ବରରେ, ତାହା ପ୍ରଥମେ ସୁରେଶ ପୂଜାରୀ ସ୍ପଷ୍ଟ କରିବା ଉଚିତ । କାରଣ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନା ମାନ୍ୟବର ସାଂସଦ ସୁରେଶ ପୂଜାରୀ ମଧ୍ୟରୁ କିଏ ସତ କହୁଛନ୍ତି, ତାହା ଜାଣିବାର ଅଧିକାର ପଦ୍ମପୁରବାସୀଙ୍କର ଅଛି । ଯଦି ସୁରେଶ ପୂଜାରୀ ସତ କହୁଥାନ୍ତି, ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ୨୦୧୮ରେ ଏହି ରେଳଲାଇନ ପ୍ରକଳ୍ପ ଅନୁମୋଦନ ପାଇସାରିଛି ବୋଲି ଯେଉଁ ଭୁଲ ତଥ୍ୟ ଦେଇ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇଥିଲେ, ସେଥିପାଇଁ ସେ କ୍ଷମା ମାଗିବା ଉଚିତ ବୋଲି ସସ୍ମିତ କହିଛନ୍ତି। ଏହାଛଡ଼ା ପଦ୍ମପୁର ରେଳଲାଇନ ରେଳବାଇର ବ୍ଲୁ ବୁକ୍‌ରେ ସ୍ଥାନ ପାଇଛି ବୋଲି ସୁରେଶ ପୂଜାରୀ ଦେଇଥିବା ସୂଚନା ଉପରେ ମଧ୍ୟ ଡ. ପାତ୍ର ସ୍ପଷ୍ଟୀକରଣ ରଖିଥିଲେ । ଡ. ପାତ୍ର କହିଲେ, ଶ୍ରୀ ପୂଜାରୀ ଜଣେ ଅଭିଜ୍ଞ ସାଂସଦ । ସେ ଏ କଥା ଜାଣିବା ଉଚିତ ଯେ, ଦେଶର କୌଣସି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଲେ ଏହା ବ୍ଲୁ ବୁକ୍ ନୁହେଁ, ପିଙ୍କ୍ ବୁକ୍‌ରେ ସ୍ଥାନ ପାଏ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶିତ ୨୦୨୨-୨୩ ପିଙ୍କ୍ ବୁକ୍‌ରେ କେଉଁଠି ମଧ୍ୟ ପଦ୍ମପୁର ରେଳଲାଇନ ପ୍ରକଳ୍ପ ସଂପର୍କରେ ଉଲ୍ଲେଖ ନାହିଁ । ଯେତେବେଳେ ଏହି ପ୍ରକଳ୍ପ ପିଙ୍କ୍ ବୁକ୍‌ରେ ସ୍ଥାନ ପାଇନାହିଁ ଏବଂ ଏଥିପାଇଁ କୌଣସି ଅର୍ଥ ମଂଜୁର ହୋଇ ନାହିଁ, ସେତେବେଳେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବା ଉଚିତ ବୋଲି ସାଂସଦ ସୁରେଶ ପୂଜାରୀ କହିବା ହାସ୍ୟାସ୍ପଦ ଏବଂ ଦୁଃଖଦାୟକ । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ କୌଣସି ଅର୍ଥ ମଞ୍ଜୁର କରିନଥିବାବେଳେ ରାଜ୍ୟ ସରକାରଙ୍କୁ ଏହାର ସର୍ଭେ କରିବା କଥା କହି ମୁଣ୍ଡ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛି ବୋଲି ଡ. ପାତ୍ର ଅଭିଯୋଗ କରିଛନ୍ତି ।
Published by:Soubhagya Mishra
First published: