BMCର କାଉନସିଲ ବୈଠକରେ ଭାଗ ନେଲେ ବ୍ରହ୍ମପୁର ସହରର ସବୁ କର୍ପୋରେଟର

ବୈଠକରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ରୂପରେଖ କଣ ରହିବ ଓ ଆଗାମୀ ଦିନରେ କଣ କରାଯିବ ସେ ନେଇ ସମସ୍ତ କର୍ପୋରେଟରମାନଙ୍କ ମତାମତ ଗ୍ରହଣ କରାଯାଇଥିଲା।

BMCର କାଉନସିଲ ବୈଠକରେ ଭାଗ ନେଲେ ବ୍ରହ୍ମପୁର ସହରର ସବୁ କର୍ପୋରେଟର

BMCର କାଉନସିଲ ବୈଠକରେ ଭାଗ ନେଲେ ବ୍ରହ୍ମପୁର ସହରର ସବୁ କର୍ପୋରେଟର

  • Share this:
News18 Odia Digital

ବ୍ରହ୍ମପୁର: ନିର୍ବାଚନ ପରେ ବ୍ରହ୍ମପୁର ମହାନର ନିଗମର ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଥମ ବୈଠକ ବ୍ରହ୍ମପୁର ନୂଆ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ରୂପରେଖ କଣ ରହିବ ଓ ଆଗାମୀ ଦିନରେ କଣ କରାଯିବ ସେ ନେଇ ସମସ୍ତ କର୍ପୋରେଟରମାନଙ୍କ ମତାମତ ଗ୍ରହଣ କରାଯାଇଥିଲା। ତେବେ ବଜେଟ୍ ହେବା ପୂର୍ବରୁ ନିଗମ ପକ୍ଷରୁ ଆଗାମୀ ଦିନରେ ସହରରେ ଏକ ନୂଆ ଧରଣରେ ସପିଂ ମଲ ହେବାକୁ ଯାଉଛି ବୋଲି ଘୋଷଣା କରିଥିଲେ ନିଗମର କମିଶନର।

ଦୀର୍ଘ ସାଢ଼େ ତିନି ବର୍ଷ ପରେ କର୍ପୋରେଟରମାନେ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ସ୍ବର ଉଠାଇଛନ୍ତି। ମହାନଗର ନିଗମ ଗଠନ ହେବା କର୍ପୋରେଟରମାନଙ୍କୁ ଏହି ସୁଯୋଗ ମିଳିଛି।

‘‘କର୍ପୋରେସନ ରୋଡ଼ ଠାରେ ପ୍ରାୟ ୪୦ ହଜାର ବର୍ଗଫୁଟ ସ୍ଥାନରେ ୯ କୋଟି ୫୬ଲକ୍ଷ ବ୍ୟୟରେ ପାର୍କ ଓ ସପିଂ ମଲ ନିର୍ମାଣ କରାଯିବ ବୋଲି ଘୋଷଣା କରାଯାଇଥିଲା। ଅତ୍ୟାଧୁନିକ ଢ଼ାଞ୍ଚାରେ ନିର୍ମାଣ ହେବାକୁ ଥିବା ଉକ୍ତ ପାର୍କ ୬ ମହଲା ବିଶିଷ୍ଟ ମଲରେ ମଲ୍ଟିପୁଲ ଦୋକାନ ସାଙ୍ଗକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବଜାର, ସ୍ୱୟଂ ଚାଳିତ ଅଗ୍ନିନିର୍ବାପକ ବ୍ୟବସ୍ଥା, ରୁପଟପ୍ ଫୁକୋର୍ଟ ଭଳି ଅନେକ ନୂଆ ଧରଣର ବଜାର ରହିବ। ମଲ ରୂପରେଖ ପ୍ରସ୍ତୁତ ହୋଇଥିବା ବେଳେ କେବଳ ଟେଣ୍ଡର ଅପେକ୍ଷାରେ ରହିଛି। କାର୍ଯ୍ୟାଦେଶ ମିଳିବାର ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ ହେବ,’’ କହିଛନ୍ତି ମେୟର ସଂଘମିତ୍ରା ଦଳେଇ।

‘‘ସହରର ପ୍ରତ୍ୟେକ କର୍ପୋରେଟରଙ୍କ ପାଇଁ ୱାର୍ଡ଼ କାର୍ଯ୍ୟାଳୟ ଖୋଲାଯିବା ସେଠାରେ ସ୍ଥାନୀୟ କର୍ପୋରେଟରମାନେ ନିଜ ନିଜ ଅଞ୍ଚଳ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ତାହା କିପରି ସମାଧାନ ହୋଇପାରିବ ସେ ଉପରେ ଗୁରୁତ୍ଵ ଦେବେ,’’ କହିଛନ୍ତି ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର।

ସମସ୍ତ କର୍ପୋରେଟରମାନେ ନିଜ ନିଜ ୱାର୍ଡର ରାସ୍ତାଘାଟ ଓ ନାଳନର୍ଜମା ନିର୍ମାଣ ନେଇ ବିସ୍ତୃତ ବିବରଣୀ ପ୍ରଦାନ କଲେ ତାହାକୁ ବଜେଟରେ ସ୍ଥାନିତ କରି ତୁରନ୍ତ କାମ ଆରମ୍ଭ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ସହରର ଉନ୍ନତି ନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସମସ୍ତଙ୍କ ସହଯୋଗ ମିଳିଲେ ସହରର ବିକାଶ କାର୍ଯ୍ୟ ଆହୁରି ତ୍ବାରାନ୍ବିତ ହେବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

ବିଶେଷ କରି କର୍ପୋରେଟରମାନେ ସହରର ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଧାର କରିବା ନେଇ ବଜେଟରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

ବଦ୍ଧିତ ହୋଲଡ଼ିଙ୍ଗ୍ ଟ୍ୟାକ୍ସକୁ ନେଇ ଲାଗିଥିବା ବିବାଦ କିପରି ସମାଧାନ ହୋଇପାରିବ ସେ ଦିଗରେ ତୁରନ୍ତ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ। ସେଭଳି କେ.ସି. ହାଇସ୍କୁଲ ଖେଳପଡ଼ିଆର ଉନ୍ନତୀକରଣ ସାଙ୍ଗକୁ ବିଦ୍ୟାଳୟ ରୂପାନ୍ତରୀକରଣ କରିବାକୁ ଅନୁରୋଧ କରିଥିଲେ। ସହରର ପରିମଳ ବ୍ୟବସ୍ଥା ନେଇ ନିଗମ କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ସହରରେ ଦୈନିକ ମୃତ୍ୟୁବରଣ କରୁଥିବା ଗୋରୁଗାଈଙ୍କ ମୃତ ଶରୀର ପୋତିବା ନେଇ କିଛି ବ୍ୟବସ୍ଥା କରିବାକୁ କହିଥିଲେ କର୍ପୋରଟର ସୁରେନ୍ଦ୍ର ମହାରଣା ।

ଏହି ବୈଠକରେ ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ସମସ୍ତ କର୍ପୋରେଟରମାନେ, ଅତିରିକ୍ତ କମିଶନର ଦାୟିତ୍ଵରେ ଥିବା ବିଡିଏ ସଚିବ ସମ୍ବିତ ପାତ୍ର ଓ ଡେପୁଟି କମିସନର ଅଦ୍ବୈତ୍ୟ କୁମାର ସ୍ବାଇଁଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
Published by:Lipina Das
First published: