News18 Odia Digital
ଭୁବନେଶ୍ବର: ଓଡ଼ିଶାରେ କୋର୍ଟ କାର୍ଯ୍ୟ ବର୍ଜନ କରୁଥିବା ଆଇନଜୀବୀ ଲାଇସେନ୍ସ ରଦ୍ଦ ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ସୁପ୍ରିମୋକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ଓକିଲ ସଙ୍ଘ। ରବିବାର ଭୁବନେଶ୍ୱର ବାର ପରିସରରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଚରମ ନିଷ୍ପତ୍ତି ନିଆଯାଇଛି।
ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କରୁଥିବା ଆନ୍ଦୋଳନକୁ ଭର୍ସନା କରିବା ସହ ସମ୍ପୃକ୍ତ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିବାକୁ ବାର କାଉନ୍ସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟଙ୍କ ଏଭଳି ଓକିଲ ମାରଣ ନୀତିକୁ ବିରୋଧ କରି ଆଜି ଭୁବନେଶ୍ୱର ବାର ଆସୋସିଏସନ ଠାରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ୧୭୨ ବାରର ସଭାପତି ଓ ସମ୍ପାଦକ ଯୋଗଦେବା ସହ ଆସନ୍ତା ୧୨ ତାରିଖରେ ପ୍ରତିବାଦ ଦିବସ ସ୍ୱରୂପ କାର୍ଯ୍ୟବନ୍ଦ ଡାକରା ଦେଇଛି ସଙ୍ଘ। ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର, ଓକିଲଙ୍କ ସୁରକ୍ଷା ପ୍ରସଙ୍ଗରେ ଖୁବ୍ ଶୀଘ୍ର ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦାବି ପତ୍ର ଦେବ ସଙ୍ଘ।

ଆସନ୍ତା ୧୨ରେ ପ୍ରତିବାଦକୁ ଓହ୍ଲେଇବେ ରାଜ୍ୟର ସବୁ ବାର ଆସୋସିଏସନ
ଆଇନଜୀବୀଙ୍କ ଦାବିକୁ ସଠିକ ଭାବେ ଉପସ୍ଥାପନ ପାଇ ରବିବାର ଗଠିତ ହୋଇଛି କ୍ରିୟାନୁଷ୍ଠାନ କମିଟି। ଶିବାନନ୍ଦ ରାୟଙ୍କୁ ଏହାର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ପୂର୍ବରୁ ସୁପ୍ରିମକୋର୍ଟ ଖଣ୍ଡପୀଠ, ଯେଉଁ ଜିଲ୍ଲା ବାର ଆସୋସିଏସନର ସଦସ୍ୟମାନେ ଆନ୍ଦୋଳନରେ ଅଂଶଗ୍ରହଣ କରୁଛନ୍ତି, ସେସବୁ ବାର ଆସୋସିଏସନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଇନ ପେସାର ଗରିମା ରକ୍ଷା ପାଇଁ ଯଦି ଆଇନଜୀବୀ ଉପଯୁକ୍ତ ଆଚରଣ ନ କରନ୍ତି, ତେବେ ସେମାନଙ୍କ ଉପରେ ଥିବା ସୁରକ୍ଷା ହଟାଇବା ସହ ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲା ଖଣ୍ଡପୀଠ। ଏହାକୁ ନେଇ ସାରା ଓଡ଼ିଶାର ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
ବରିଷ୍ଠ ଆଡଭୋକେଟ ଶିବାନନ୍ଦ ରାୟଙ୍କ ମତରେ ଓକିଲଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବା ଦୁର୍ଭାଗ୍ୟ ଜଣକ। ଏଥିରେ ସାଧାରଣ ଲୋକଙ୍କର ସ୍ଵାର୍ଥ ହିଁ ଅଧିକ ପ୍ରଭାବିତ ହେବ। କାରଣ ଓକିଲମାନେ ନିଜ ସ୍ୱାର୍ଥ ଅପେକ୍ଷା ଲୋକଙ୍କର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।
ସାରା ରାଜ୍ୟରେ ବିଚାର ଅପେକ୍ଷାରେ ୧୭ ଲକ୍ଷ ମାମଲା ପଡ଼ିରହିଛି। ଏଭଳି ପରିସ୍ଥିତିରେ ଆଇନଜୀବୀଙ୍କ ଆନ୍ଦୋଳନ ଡାକରା ବିଚାର ପ୍ରକ୍ରିୟାରେ ବାଧକ ସାଜିବ, ଏଥିରେ କୌଣସି ଦ୍ବିମତ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।