News18 Odia Digital
ଭୁବନେଶ୍ୱର: କାଲିଠାରୁ ସବୁ ସ୍କୁଲ ଛୁଟି(School Closed) ଘୋଷଣା କଲେ ରାଜ୍ୟ ସରକାର(State Govt) । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ(Naveen Patnaik) ଏହି ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବିଦ୍ଯାଳୟରେ ପାଠପଢ଼ା ବନ୍ଦ ରହିବ।
କେବଳ ସ୍କୁଲ ନୁହେଁ ଏପ୍ରିଲ ୧୬ ଯାଏଁ ରାଜ୍ଯର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ରାଜ୍ଯରେ ପ୍ରବଳ ଖରା ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଜାପାନରୁ ଫେରି ଗ୍ରୀଷ୍ମ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ଯରେ ଖରା ଗରମ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।...
ସୂଚନାଯୋଗ୍ଯ, ରାଜ୍ୟରେ ବଢିବାରେ ଲାଗିଛି ଅସହ୍ୟ ତାତି। ଆକାଶରୁ ଅଗ୍ନିବର୍ଷା ହେବାପରି ଲାଗୁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ଆଗାମୀ ୪ ଦିନ ଆହୁରି ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା । ୧୩ରୁ ୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ତାତି ହେବ। ଆଜି ଭୁବନେଶ୍ବର ସମେତ ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ୪୧.୬ ଡିଗ୍ରୀ ସହ ବାରିପଦା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର । ସେପଟେ ହିଟ୍ ୱେଭ୍କୁ ନେଇ ସତର୍କତା ଜାରି କରାଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।ଆସନ୍ତା ୪ ଦିନ ଯାଏ ପ୍ରବଳ ତାତି ଅନୁଭୂତ ହେବ । ୧୩, ୧୪ ଏବଂ ୧୫ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ହିଟ୍ ୱେଭ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୩ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଯାଇଛି । ୧୪ ତାରିଖ ପାଇଁ ୬ ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ଜାରି ହୋଇଛି ହିଟ୍ ୱେଭ୍ । ସେହିପରି ୧୫ ତାରିଖ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଅନୁଗୁଳ, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାକୁ ହିଟୱେଭ ସତର୍କତା ଜାରି କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।