News18 Odia Digital
ପୁରୀ: ଆସନ୍ତାକାଲି ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ତାଳବଣିଆ ହେଲିପ୍ୟାଡରୁ ରାଜଭବନ ଓ ଶ୍ରୀମନ୍ଦିର ସବୁ ଏବେ ପ୍ରସ୍ତୁତ। ସେପଟେ ରାଷ୍ଟ୍ରପତିଙ୍କ ବ୍ଲବୁକ ସିକ୍ଯୁରିଟି ଉପରେ ଦେଉଛି ବିଶେଷ ଗୁରୁତ୍ୱ।
ପୂର୍ବାହ୍ନ ୧୨ଟାରୁ ୧ଟା ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରାଜଭବନରେ କରିବେ ମହାପ୍ରସାଦ ଭୋଜନ କରିବେ ରାଷ୍ଟ୍ରପତି। ତାଙ୍କୁ ପାଛୋଟି ନେବାପାଇଁ କୌଳିକ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କର ମହାପ୍ରସାଦ ଖାଇବା ପାଇଁ ପିତ୍ତଳର ବାସନ ମଧ୍ଯ କିଣାଯାଇଛି। ରାଜଭବନରେ ମହାପ୍ରସାଦ ସେବନ କରିବା ପାଇଁ ରାଜ୍ଯପାଳଙ୍କ ସହ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ କରାଯାଇଛି। ସେପଟେ ରାଷ୍ଟ୍ରପତିଙ୍କୁ ଆତିଥ୍ୟ ଦେବା ପାଇଁ ସଜେଇ ହୋଇଛି ରାଜଭବନ।
ଦିନ ୧୦ଟା ୩୦ ରୁ ଦିନ ୧ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ସରିବା ପରେ ରାଷ୍ଟ୍ରପତିଙ୍କୁ ମହାପ୍ରସାଦ ସେବନର ବ୍ଯବସ୍ଥା ହୋଇଛି । ସେପଟେ ଶ୍ରୀମନ୍ଦିରରେ ନୀତିକାନ୍ତିଙ୍କୁ ସଅଳ କରାଯାଇ ଦିନ ୧୧ଟା ୨୦ସୁଦ୍ଧା ସକାଳଧୂପ ସରି୧୨ ସୁଦ୍ଧା ବେଶ ଶେଷ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ । ସେପଟେ ସେବାୟତ ନିଯୋଗମାନଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ଅନେକ ଉପହାର ଦିଆଯିବ ବୋଲି କହିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କିଣାଯାଇଛି କଂସା ବାସନ। ଯେଉଁଥିରେ କଂସା ଥାଳି , ଥାଳିଆ, ଗିନା, ଗ୍ଲାସ, ଡଙ୍କି, ଚାମଚ ଓ ହାତ ଧୋଇବା ପାଇଁ ପାତ୍ର ଆଦି କିଣାଯାଇ ସେଥିରେ ଶ୍ରୀମନ୍ଦିର ପ୍ରଶାସନ ଖୋଦେଇ କରାଯାଇଛି।
ମହାମହିମ ରାଷ୍ଟ୍ରପତି ପୁରୀ ତାଳବଣିଆ ହେଲିପ୍ଯାଡରେ ୧୦ଟା ୧୦ରେ ପହଞ୍ଚିବା ପରେ ଚକ୍ରତୀର୍ଥ ରୋଡ ଦେଇ ୧୦ଟା ୩୦ରେ ସିଧାସଳଖ ରାଜଭବନରେ ପହଞ୍ଚି ୧୧ ଟା ୫୦ରେ ରାଜଭବନରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ। ଶ୍ରୀମନ୍ଦିର ନିକଟରେ ପଂହଚିବା ପରେ ୧୨ଟା ରୁ ୧୨ଟା ୪୫ ରହିଛି ଗର୍ଭଗୃହରେ ଦର୍ଶନ ବ୍ଯବସ୍ଥା । ଆଉ ୧୨ଟା ୫୦ରେ ଦର୍ଶନ ସାରି ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତିରେ ମାଲ୍ଯାର୍ପଣ କରିବେ। ଆଉ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଜି ଅନୁଷ୍ଠିତ ହୋଇଛି କାରକେଡ ରିହାଲସେଲ। ତାଳବଣିଆ ହେଲିପ୍ଯାଡରୁ ରାଜଭବନ ଓ ରାଜଭବନରୁ ଶ୍ରୀମନ୍ଦିର ପର୍ଯ୍ଯନ୍ତ ଦୁଇ ଦୁଇ ଥର କାରକେଡ ରିହାଲସେଲ କରାଯାଇଥିଲା। ପୁଣି ତାଳବଣିଆ ହେଲିପ୍ଯାଡରୁ ଶ୍ରୀମନ୍ଦିର ପର୍ଯ୍ଯନ୍ତ ସମ୍ପୁର୍ଣ୍ଣ ଭାବେ ରାସ୍ତାର ଦୁଇ ପାର୍ଶ୍ୱରେ ସୁରକ୍ଷା ଦୃଷ୍ଟି କୋଣରୁ ବ୍ଯାରିକେଡ କରାଯାଇଛି।
ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ତନ୍ମଧ୍ୟରୁ ଏସ୍ପି ଓ କମାଣ୍ଡାଣ୍ଡ ରାଙ୍କର ୫ଜଣ ଅଧିକାରୀଙ୍କ ସମେତ ଅତିରିକ୍ତ ଏସ୍ପି ରାଙ୍କର ୭ଜଣ ,ଡିଏସ୍ପି ରାଙ୍କର ୧୮ ଜଣ , ଇନ୍ସପେକ୍ଟର ରାଙ୍କର ୩୦ ଜଣ ଅଧିକାରୀ ନିୟୋଜିତ ରହିବେ। ଏତଦବ୍ୟତୀତ ସବ ଇନ୍ସେପେକ୍ଟର ଓ ଏଏସଆଇ ରାଙ୍କର ୧୧୦ ଜଣ ଓ ୩୦୦ ଗୃହରକ୍ଷୀଙ୍କୁ ରାଷ୍ଟ୍ରପତି ଗସ୍ତ ସମୟରେ ନିୟୋଜିତ କରାଯିବ। ସେପଟେ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ପୁରୀ ତାଳବଣିଆ ହେଲିପ୍ୟାଡରେ ବାୟୁସେନାର ସ୍ୱତନ୍ତ୍ର ୫ ଜଣିଆ ଅଧିକାରୀ ପହଞ୍ଚି ହେଲି କ୍ୟାପ୍ଟର ଅବତରଣ ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି।
ତେବେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ଯସୂଚୀ ଅନୁୟାଯୀ ଶ୍ରୀମନ୍ଦିରରୁ ଦିନ ୧ ଟାରେ ରାଜଭବନରେ ପହଞ୍ଚିବା ପରେ ୧ ଘଣ୍ଟା ରହି ଦିନ ୨ ଟାରେ ବାହାରିବେ ତାଳବଣିଆ ହେଲିପ୍ଯାଡ । ୨ ଟା ୨୦ ରେ ହେଲିକ୍ଯାପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଯିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।