ଭୁବନେଶ୍ୱରର ସବୁ ହୋଟେଲ ଯାଞ୍ଚ କଲା କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ହୋଟେଲ ଗୁଡିକରେ ଚେକିଂ କଡାକଡି କରିଛି କମିଶନରେଟ ପୋଲିସ । ସୋମବାର ରାତିରେ ରାଜଧାନୀର ୫୮ଟି ହୋଟେଲକୁ ଯାଞ୍ଚ କରାଯାଇଛି । ଅପରାଧୀମାନେ ହୋଟେଲରେ ରହି ଅପରାଧ ଭିଆଉଛନ୍ତି। ହୋଟେଲ କତ୍ତୃପକ୍ଷ ହୋଟେଲ ର ତଥ୍ୟ ସ୍ଥାନୀୟ ପୋଲିସକୁ ଅବଗତ କରୁ ନାହାଁନ୍ତି। ବିଶେଷ କରି ସରାଇ ଆପ ଜରିଆରେ ସଠିକ ତଥ୍ୟ ମଧ୍ୟ ଦେଉ ନାହାନ୍ତି ହୋଟେଲ କତ୍ତୃପକ୍ଷ।
ମାଷ୍ଟରକ୍ୟାଟିଂ ନିକଟରେ ୧୪ଟି ହୋଟେଲ, ରାଜମହଲ ନିକଟରେ ୨୭ଟି ହୋଟେଲ, ବୁଧେଶ୍ୱରୀ ଅଞ୍ଚଳରେ ୭ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ୧୦ଟି ହୋଟେଲକୁ ଯାଞ୍ଚ କରାଯାଇଛି।
"ବର୍ତ୍ତମାନ ସମୟରେ ସହର ମଧ୍ୟରେ ଘଟୁ ଥିବା ଛିନତାଇ, ଚୋରୀ, ଡକାୟତି ସହିତ ଅନ୍ୟାନ୍ୟ ଛୋଟ ବଡ ଅପରାଧ ଦିନକୁ ଦିନ ବଢିବା ସହ ଏସବୁ ଅପରାଧରେ ପ୍ରାୟତଃ ରାଜ୍ୟ ବାହାର ଅପରାଧୀ ମାନଙ୍କ ସମ୍ପୃକ୍ତି ରହୁଛି । ସେମାନେ ରାଜ୍ୟ ବାହାରୁ ଭୁବନେଶ୍ବର ସହରକୁ ଆସି ବିଭିନ୍ନ ହୋଟେଲମାନଙ୍କରେ ରହି ଅପରାଧ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହ ଅପରାଧ ଘଟାଇ ଥାନ୍ତି ଓ ଖୁବ ସହଜରେ ପୁଣି ରାଜ୍ୟ ବାହାରକୁ ଚାଲିଯାନ୍ତି । ଯାହା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଯାଞ୍ଚ ବେଳେ ଯେଉଁମାନେ ସରାଇ ଆପର ନିୟମକୁ ଉଲଂଘନ କରିବା ଦେଖିବାକୁ ମିଳିବ ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ।
ହୋଟେଲ ଗୁଡିକ ଯାଞ୍ଚ ସମୟରେ ହୋଟେଲ କତ୍ତୃପକ୍ଷଙ୍କୁ ଏକ ଆପ ବିଷୟରେ ସୂଚନା ଦିଆଯାଉଛି । ଯାହାର ନା ହେଉଛି “ସରାଇ ଆପ" । ଏହି ଆପକୁ ସେମାନେ ଡାଉନଲୋଡ କରିବା ସହ ସେଥିରେ ଗ୍ରାହକ ମାନଙ୍କ ସମସ୍ତ ବିବରଣୀ ପଞ୍ଜୀକୃତ କରିବେ । ଏହା ଏକ ଡାଟାବେସ ଭଳି କାମ କରିବ । କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧିକ ସମ୍ପର୍କ କାହା ସହ ଅଛିକି ନାହିଁ ଏହିସବୁ ସୂଚନା ଏହି ଆପ ମାଧ୍ୟମରେ ଜାଣିହେବ । ଏହି “ସରାଇ ଆପ” ବ୍ୟବହାର କରିବା ପାଇଁ ସମସ୍ତ ହୋଟେଲ ମାନଙ୍କୁ ଭୁବନେଶ୍ବର ପୁଲିସ ତରଫରୁ ନିବେଦନ କରାଯାଉଛି । ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲେ ହୋଟେଲ ମାଲିକ ମାନଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।