ଏଥର ଫାଇନାଲ୍: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ହେବ ଫାଶୀ

ଚ଼ାରି ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଦିଆଯିବ ବୋଲି ପଟିଆଲା ହାଉସ କୋର୍ଟ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି । ନିର୍ଭୟାଙ୍କ ପିତାମାତାଙ୍କ ବିଶ୍ୱାସ ଯେ ଏହି ତାରିଖ ଫାଇନାଲ୍ । ହେଲେ ଦୋଷୀଙ୍କ ଓକିଲ କହିଛନ୍ତି ଯେ ସେମାନଙ୍କ ପାଇଁ ଏବେ ବି ଆଇନଗତ ବିକଳ୍ପ ଖୋଲା ଅଛି ।

ଏଥର ଫାଇନାଲ୍: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ହେବ ଫାଶୀ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 17, 2020, 5:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚ଼ାରି ଜଣ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଆଯିବ ଫାଶୀ । ସବୁ ଚ଼ାରି ଜଣ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଦିଆଯିବ । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜି ଏହି ନୂଆ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି ।

ପୂର୍ବରୁ ସୁପ୍ରିମ୍‌ କୋର୍ଟ୍‌ ଏହି ମାମଲାର ଚ଼ାରି ଜଣ ଦୋଷୀଙ୍କ ରିଭ୍ୟୁ ଓ କ୍ୟୁରେଟିଭ ପିଟିସନ ଖାରଜ କରି ସାରିଛନ୍ତି । ଏହା ସତ୍ୱେ ସେମାନଙ୍କ ପକ୍ଷରୁ ଆଇନଗତ ଲଢେଇ ଜାରି ରହିଥିଲା । ପୂର୍ବରୁ ଦୁଇ ଦୁଇ ଥର ଡେଥ ୱାରେଣ୍ଟ ଜାରି ହୋଇ ପୁଣି ବାତିଲ୍‌ ହୋଇସାରିଛି । ଲାଗୁଛି ଏ ଥର ଫାଶୀର ଦିନ ଶେଷ ଥର ପାଇଁ ଓ ନିଶ୍ଚିତରୂପେ ପାଳନ ହେବା ପାଇଁ କୋର୍ଟଙ୍କ ଦ୍ୱାରା ସ୍ଥିର ହୋଇଛି ।

ଆଜିର ଏହି ନୂଆ ତାରିଖ କୋର୍ଟ୍‌ ଦ୍ୱାରା ଘୋଷିତ ହେବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯେ ଏହି ଫାଶୀ ତାରିଖରେ ହିଁ ଫାଶୀ ଦିଆଯିବ ବୋଲି ତାଙ୍କର ବିଶ୍ୱାସ । ନିର୍ଭୟାଙ୍କ ବାପା ବି କହିଛନ୍ତି ଯେ କୋର୍ଟଙ୍କ ଫଇସଲାରେ ସେ ଖୁସି ଅଛନ୍ତି ।

ହେଲେ ଦୋଷୀଙ୍କ ଓକିଲ ଏ.ପି. ସିଂ କହିଛନ୍ତି ଯେ ସେମାନଙ୍କ ପାଇଁ ଏବେ ବି ଆଇନଗତ ବିକଳ୍ପର ଦ୍ୱାର ଖୋଲା ଅଛି ।

ଏହି ମାମଲାର ଜଣେ ଦୋଷୀ ବିନୟ ଶର୍ମା ତିହାର ଜେଲରେ ଅନାହାର ଅନଶନରେ ବସିଥିବାର ଖବର ଆସିବା ପରେ ଏଡିସିନାଲ୍‌ ସେସନସ୍‌ ଜଜ୍‌ ଧର୍ମେନ୍ଦ୍ର ରଣା ଦୋଷୀମାନଙ୍କ ଉପରେ ଧ୍ୟାନ ଦେବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି ।

ଏହା ପୂର୍ବରୁ ଆଜିର ଶୁଣାଣି ସମୟରେ ଦୋଷୀ ମୁକେଶ କୁମାର ସିଂ କୋର୍ଟଙ୍କୁ କହିଥିଲେ ଯେ ବୃନ୍ଦା ଗ୍ରୋଭର୍‌ ତାଙ୍କ ଓକିଲ ହୁଅନ୍ତୁ ବୋଲି ସେ ଚ଼ାହୁଁନାହାନ୍ତି ।

ଜାନୁଆରୀ ୩୧ରେ ନିମ୍ନ ଅଦାଲତ ଏହି ମାମଲାର ଚ଼ାରି ଦୋଷୀଙ୍କ ଫାଶୀ ଉପରେ ‘‘ଆଗାମୀ ଆଦେଶ ପର୍ଯ୍ୟନ୍ତ’’ ରୋକ ଲଗାଇ ଥିଲେ । ଚ଼ାରି ଦୋଷୀ ମୁକେଶ କୁମାର ସିଂ (୩୨), ପୱନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧) ତିହାର ଜେଲରେ ଅଛନ୍ତି ।

୨୦୧୨ରେ ଘଟିଥିଲା ଏହି ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ । ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଦିଲ୍ଲୀରୁ ପଲ୍ଲୀ ଉଠିଥିଲା ଆନ୍ଦୋଳନର ବହ୍ନି । ଚ଼ଳନ୍ତା ବସ୍‌ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିବା ପରେ ବସ୍‌ରୁ ବାହାରକୁ ଫିଙ୍ଗି ଦେଇଥିଲେ ଏହି ଚ଼ାରି ଅଭିଯୁକ୍ତ । ମୃତ୍ୟୁ ସହ ସଂଗ୍ରାମ କରିବା ପରେ ୨୯ ଡିସେମ୍ବର ୨୦୧୨ରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ।
First published: February 17, 2020, 5:43 PM IST
corona virus btn
corona virus btn
Loading