ବିଜେଡ଼ିର ଚ଼ାରି ଜଣ ଯାକ ପାର୍ଥୀ ରାଜ୍ୟ ସଭାକୁ ଯିବା ନିଶ୍ଚିତ; ଦୌଡ଼ରୁ ଓହରିଲା ବିଜେପି

ବିଧାନ ସଭାରେ ଯଥେଷ୍ଟ ସଂଖ୍ୟା ନ ଥିବାରୁ ବିଜେପି ପାର୍ଥୀ ଦେଲାନି ବୋଲି କହିଛି, ହେଲେ ବିଜେପି ଓ ବିଜେଡ଼ି ମଧ୍ୟରେ ସଲାତୁତୁରା ଏଥିରୁ ପ୍ରମାଣିତ ହେଉଛି ବୋଲି କଂଗ୍ରେସ କହିଛି । ଚ଼ାରି ପ୍ରାର୍ଥୀଙ୍କ ମଧ୍ୟରେ ସୁଜିତ କୁମାର ସବୁ ଠୁ ଧନୀ ।

ବିଜେଡ଼ିର ଚ଼ାରି ଜଣ ଯାକ ପାର୍ଥୀ ରାଜ୍ୟ ସଭାକୁ ଯିବା ନିଶ୍ଚିତ; ଦୌଡ଼ରୁ ଓହରିଲା ବିଜେପି
ଚାରି ପ୍ରାର୍ଥୀଙ୍କ ନାମାଙ୍କନ ବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତ ଥିଲେ ।
  • News18 Odia
  • Last Updated: March 12, 2020, 1:53 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶାରୁ ରାଜ୍ୟ ସଭାର ଖାଲିଥିବା ଚ଼ାରୋଟି ଆସନ ପାଇଁ ଶାସକ ଦଳ ବିଜେଡ଼ିର ଚ଼ାରି ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆବଶ୍ୟକ ସଂଖ୍ୟା ନଥିବା ଯୋଗୁଁ ଦୌଡ଼ରୁ ଓହରି ଯାଇଛନ୍ତି ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ତେଣୁ ବିଜେଡ଼ିର ଚ଼ାରି ଜଣ ଯାକ ପାର୍ଥୀଙ୍କ ଜିତିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି ।

ବିଧାନ ସଭାର ସମ୍ମିଳନୀ କକ୍ଷରେ ରାଜ୍ୟ ସଭା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଭରିଛନ୍ତି ବିଜେଡିର ଚ଼ାରି ପ୍ରାର୍ଥୀ – ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ । ପ୍ରତି ପ୍ରାର୍ଥୀଙ୍କ ପାଇଁ  ଦଶ ଜଣ ଲେଖାଏଁ ପ୍ରସ୍ତାବକଙ୍କ ଥିଲେ, ଆଉ ନାମାଙ୍କନ ବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତ ଥିଲେ ।

ନାମାଙ୍କନର ଶେଷ ତାରିଖ ୧୩ ତାରିଖ ଥିବା ବେଳେ ୧୬ ତାରିଖ ଯାଞ୍ଚ ଓ ୧୮ ତାରିଖ ପାର୍ଥୀ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଧ୍ୟାର୍ଯ୍ୟ ହୋଇଛି । ୨୬ ତାରିଖ ନିର୍ବାଚନ ପାଇଁ ସ୍ଥିର ହୋଇଛି । ଆବଶ୍ୟକ ପଡ଼ିଲେ ହିଁ ହେବ ନିର୍ବାଚନ । ନାମାଙ୍କନ ଭରିବା ପରେ ସବୁ ପାର୍ଥୀ ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଦିଲ୍ଲୀ ଦରବାରରେ ରାଜ୍ୟର ସ୍ୱର ଶାଣିତ କରିବାକୁ ଲକ୍ଷ ପ୍ରକାଶ କରିଛନ୍ତି ।

‘‘ଶିକ୍ଷା ଓ ସ୍ବାସ୍ଥ୍ୟ ସମେତ ବିଭିନ୍ନ ଯୋଜନାରେ ହେଉଥିବା ଅର୍ଥକାଟ, ରେଳବାଇ ଓ କଳାହାଣ୍ଡି ଜିଲ୍ଲାର ବିକାଶ ପ୍ରସଙ୍ଗକୁ ରାଜ୍ୟ ସଭାରେ ଉପସ୍ଥାପନ କରିବି,’’ କହିଛନ୍ତି ସୁଜିତ କୁମାର । ମହିଳାଙ୍କ ସହ ଜଡ଼ିତ ପ୍ରସଙ୍ଗ ସହ ମୟୁରଭଞ୍ଜ ଜିଲ୍ଲାର ବିକାଶ, ଜିଲ୍ଲାରେ ଏକ ଏରୋଡ୍ରମ ସ୍ଥାପନା ପାଇଁ ଯୋଜନା, ରେଳ ବିକାଶ ସମେତ କୁଡମୀ ସମ୍ପ୍ରଦାୟର ବିକାଶ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀନୀ ମମତା ମହାନ୍ତ । ସେମିତି ଶ୍ରମଜୀବୀଙ୍କ ସମସ୍ୟା ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି  ଅନ୍ୟତମ ପ୍ରାର୍ଥୀ ସୁବାସ ସିଂ  । ସଂଖ୍ୟାଲଘୁ ସଂପ୍ରଦାୟର ବିକାଶ ସମେତ ରାଜ୍ୟର ବିକାଶକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ମୁନା ଖାଁ ।

ବିଧାନ ସଭାରେ ବିଭିନ୍ନ ଦଳର ଥିବା ବିଧାୟକମାନଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ଖାତାକୁ ତିନିଟି ଆସନ ଯାଉଥିବା ବେଳେ ଚତୁର୍ଥ ଆସନ ଉପରେ ରହିଛି ସମସ୍ତଙ୍କ ନଜର । ପାର୍ଥୀ ଦେବା ପାଇଁ ଆବଶ୍ୟକ ସଂଖ୍ୟା ନ ଥିବାରୁ କଂଗ୍ରେସ ଆରମ୍ଭରୁ ଏକ ପ୍ରକାର ରେସରୁ ଓହରି ସାରିଛି । ବିଜେପି ଉପରେ ସମସ୍ତଙ୍କ ନଜର ଥିବା ବେଳେ ଶେଷରେ ଲଢ଼େଇରୁ ଓହରି ଯାଇଛି ଦଳ । ଏହା ବିଜେଡ଼ିକୁ ପ୍ରତ୍ୟକ୍ଷ ଭାବେ ସୁହାଇବ ।

ନବୀନଙ୍କ ପସନ୍ଦର ଚ଼ାରି ପ୍ରାର୍ଥୀ: (ଉପରୁ ଘଡ଼ିକଣ୍ଟା ଦିଗରେ) ମୁନ୍ନା ଖାଁ, ମମତା ମହନ୍ତ. ସୁଜିତ୍ କୁମାର ଓ ସୁବାସ ସିଂ


ବିଜେପି ପାଖରେ ୨୩ ଜଣ ବିଧାୟକ ଥିବା ସତ୍ୱେ ନାମାଙ୍କନ ଦିନ ହିଁ ଦୌଡ଼ରୁ ଦଳର ଆଗୁଆ ଓହରିଯିବାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି: ‘‘ସଂଖ୍ୟା ନ ଥିବାରୁ ବିଜେପି ପାର୍ଥୀ ଦେଲାନି ବୋଲି କହୁଛି, ହେଲେ ବିଜେପି ଓ ବିଜେଡ଼ି ମଧ୍ୟରେ ସଲାତୁତୁରା ଏଥିରୁ ପ୍ରମାଣିତ ହେଉଛି ।’’

ଏହି ଆରୋପର ଜବାବ ରଖି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି: ‘‘ଯିଏ ଡିଲ୍‌ କରୁଥିବା ଲୋକ ସେ ହିଁ ଏପରି କଥା କହିବେ । ସଂଖ୍ୟା ନ ଥିବାରୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ଆମେ ପାର୍ଥୀ ଦେବୁନି ବୋଲି ସ୍ପଷ୍ଟ କରିଛୁ ।’’

ବିଜେଡ଼ିର ଚ଼ାରି ଜଣ ପାର୍ଥୀଙ୍କ ସମ୍ପତ୍ତି ତାଲିକା ଉପରେ ନଜର ପକାଇଲେ ସୁଜିତ କୁମାର ସବୁ ଠୁ ଧନୀ ପ୍ରତିପାଦିତ ହୋଉଛନ୍ତି । ତାଙ୍କ ନାଁରେ ୧ କୋଟି ୧୦ ଲକ୍ଷ ୯୨୩୦ ଟଙ୍କାର ସମ୍ପତ୍ତି ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାଁରେ ରହିଛି ୨୬ ଲକ୍ଷ ୬୯ ହଜାର ଟଙ୍କାର ସମ୍ପତ୍ତି । ତାଙ୍କର ୭୪ ଲକ୍ଷ ୯୪ ହଜାର ଟଙ୍କର ଋଣ ଥିବା ବେଳେ ସାତଟି କମ୍ପାନୀରେ ୫୧ ଲକ୍ଷ ୫୩ ହଜାର ଟଙ୍କାର ପୁଞ୍ଜି ନିବେଶ ରହିଛି ।

ସୁବାସ ସିଂଙ୍କ ନାମରେ ୨୩ ଲକ୍ଷ ୩୭ ହଜାର ୧୮୭ ଟଙ୍କାର ସମ୍ପତ୍ତି ଥିବା ବେଳେ ୧୧ଟି ଆପରାଧିକ ମାମଲା ବି ରହିଛି । ମମତା ମହାନ୍ତଙ୍କ ନାଁରେ ୨୫ ଲକ୍ଷ ୩ ହଜାର ଟଙ୍କାର ସମ୍ପତ୍ତି ଅଛି । ତାଙ୍କ ପାଖରେ ୨୯ ଲକ୍ଷ ୪୫ ହଜାର ଟଙ୍କା ମୁଲ୍ୟର ଜମି ରହିଛି । ମୁନା ଖାଁଙ୍କ ନାମରେ ୩୨ ଲକ୍ଷ ୯୫ ହଜାର ଟଙ୍କାର ସମ୍ପତ୍ତି ଥିବା ବେଳେ ୧ କୋଟି ୬୦ ଲକ୍ଷ ମୁଖ୍ୟର ଜମି ରହିଛି ।
First published: March 12, 2020, 1:53 AM IST
corona virus btn
corona virus btn
Loading