ନିର୍ମଳାଙ୍କ ବଜେଟ୍‌ ପେଡ଼ି ଉପରେ ସମସ୍ତଙ୍କ ନଜର; ଟିକସ ବ୍ୟବସ୍ଥାରେ ସଂସ୍କାର ଆସିପାରେ

ସଦ୍ୟତମ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ପରିକଳ୍ପନା କରୁଥିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ବଢ଼େଇବା । ସେହି ଲକ୍ଷ୍ୟ ପୂରଣ ପାଇଁ ଆଜି ଆସୁଥିବା ବଜେଟରେ ମୁଦ୍ରାସ୍ଫୀତି ହ୍ରାସ କରିବା ଓ ଖାଉଟିଙ୍କ କ୍ରୟ କ୍ଷମତା ବୃଦ୍ଧି କରିବା ଉପରେ ଗୁରୁତ୍ବ ରହିପାରେ ।

ନିର୍ମଳାଙ୍କ ବଜେଟ୍‌ ପେଡ଼ି ଉପରେ ସମସ୍ତଙ୍କ ନଜର; ଟିକସ ବ୍ୟବସ୍ଥାରେ ସଂସ୍କାର ଆସିପାରେ
ଏନଡିଏ ସରକାରଙ୍କର ଦ୍ବିତୀୟ ପାଳିର ଏହା ହେଉଛି ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍‌ ।
  • News18 Odia
  • Last Updated: February 1, 2020, 1:03 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଆସୁଥିବା କେନ୍ଦ୍ର ବଜେଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୁଖ୍ୟତଃ କେଉଁ କେଉଁ କ୍ଷେତ୍ର ଉପରେ ଫୋକସ କରିବେ ତାହା ଉପରେ ସମସ୍ତଙ୍କ ନଜର ।  ତେବେ ଅର୍ଥନୀତିଜ୍ଞଙ୍କ ମତରେ ଏଥରର କେନ୍ଦ୍ର ବଜେଟରେ ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବ ରଖିପାରନ୍ତି ସରକାର ।

ସରକାରଙ୍କ ଧ୍ୟାନର ଏକ ବଡ଼ ଅଂଶ ଅଧିକ ସମ୍ବଳ ସଂଗ୍ରହ ଉପରେ ଥିବାରୁ ଗତ ୫୯ ବର୍ଷ ଧରି ଦେଶରେ ପ୍ରଚ଼ଳିତ ଥିବା ପୁରୁଣା ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ମଧ୍ୟ ହୋଇପାରେ ସରକାରଙ୍କ ପ୍ରାଥମିକତା ।

ସଂସଦରେ ଉପସ୍ଥାପିତ ହୋଇଥିବା ସଦ୍ୟତମ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୫ ଟ୍ରିଲିୟନ୍‌ ଅର୍ଥନୀତିର ପରିକଳ୍ପନା କରୁଥିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ବୃଦ୍ଧି କରିବା । ହୁଏତ ଏହି ଲକ୍ଷ୍ୟ ପୂରଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ବଜେଟ୍‌ରେ ଏକାଧିକ କ୍ଷେତ୍ର ଉପରେ ଗୁରୁତ୍ବ ରଖିପାରନ୍ତି ସରକାର ।

‘‘ଏଥର ବଜେଟରେ ବଜେଟରେ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦେଇପାରନ୍ତି କେନ୍ଦ୍ର ସରକାର । ମୁଦ୍ରାସ୍ଫୀତି ହ୍ରାସ କରିବା ଓ ଖାଉଟିଙ୍କ କ୍ରୟ କ୍ଷମତା ବୃଦ୍ଧି କରିବା ଉପରେ ରହିପାରେ ସରକାରଙ୍କ ପ୍ରାଥମିକତା । ଏହା ଦ୍ବାରା ବଜାର ସ୍ବଚ୍ଛଳ ହେବା ସହିତ ଦେଶର ଅର୍ଥନୈତିକ ବିକାଶ ସମ୍ଭବ ହେବ,’’ କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।

କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରଙ୍କର ଦ୍ବିତୀୟ ପାଳିର ଏହା ହେଉଛି ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍‌ ।  ତେଣୁ ଏଥର ବଜେଟରେ ସମ୍ବଳ ସଂଗ୍ରହ ଉପରେ ଅଧିକ ଗୁରୁତ୍ବ ଦେଇ ପାରନ୍ତି ମୋଦି ସରକାର । ଏଥି ପାଇଁ ଟିକସ ସଂସ୍କାର ଉପରେ ରହିପାରେ ସରକାରଙ୍କ ପ୍ରାଥମିକତା, ଯାହା ଦ୍ବାରା ଅଧିକରୁ ଅଧିକ ଲୋକ ଟିକସ ପରିସରଭୁକ୍ତ ହେବେ ।

‘‘ଏଥର ବଜେଟ୍‌ରେ ଅଧିକରୁ ଅଧିକ ସମ୍ବଳ ସଂଗ୍ରହ ଉପରେ ରହିପାରେ କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ଏହାକୁ ଦୃଷ୍ଟିରେ ରଖି ହୁଏତ ୫୯ ବର୍ଷ ଧରି ପ୍ରଚଳିତ ଥିବା ଦେଶର ଟିକସ ଆଇନରେ ସଂସ୍କାର ପାଇଁ ଉଦ୍ୟମ ହୋଇପାରେ ଏହି ବଜେଟରେ,’’ କହିଛନ୍ତି ବରିଷ୍ଠ ଅର୍ଥନୀତିଜ୍ଞ ଚିତ୍ତରଞ୍ଜନ ବେହେରା ।

ଏଥରର ବଜେଟକୁ ନେଇ ଅନେକ ବର୍ଗ ମଧ୍ୟ ଭିନ୍ନ ଭିନ୍ନ ଆଶା ରଖିଛନ୍ତି । ରାଜଧାନୀ ରସୁଲଗଡ ବାସିନ୍ଦା ପ୍ରକାଶ ରାଉତ କହିଛନ୍ତି ଯେ ଏଥର ବଜେଟରେ ବିଭିନ୍ନ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଉପରେ ସରକାର ନଜର ରଖିବେ ବୋଲି ସେ ଆଶା କରୁଛନ୍ତି ।

‘‘ଏଥର ବଜେଟରେ ମୋର ଆଶା ଯେ ଚ଼ାଷ ଓ ଚ଼ାଷୀଙ୍କ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସରକାର ବ୍ୟବସ୍ଥା କରିବେ । ଚ଼ାଷୀଙ୍କ ପାଇଁ ଅଧିକ ବଜାର ସୁଯୋଗ ସୃଷ୍ଟି ଉପରେ ସରକାର ଗୁରୁତ୍ବ ଦେବା ଦରକାର,’’ କହିଛନ୍ତି ନହରକଣ୍ଟାର ନିଲୁ ଖୁଣ୍ଟିଆ ।

ଅଧ୍ୟାପକ ଅରୁଣ ରଥଙ୍କ ମତରେ ଶିକ୍ଷାର ବିକାଶ ପାଇଁ ସରକାର ବଜେଟରେ ବିଶେଷ କିଛି ମଜବୁତ ବ୍ୟବସ୍ଥା କରିବା ଦରକାର । ‘‘ବିଶେଷ କରି ଶିକ୍ଷାରେ ଭିତ୍ତିଭୂମିର ବିକାଶ ପାଇଁ ସରକାର ବଜେଟରେ ଗୁରୁତ୍ବ ଦେବା ଦରକାର,’’ ସେ କହିଛନ୍ତି ।
First published: February 1, 2020, 1:03 AM IST