ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି; ବଢ଼ିଚାଲିଛି ବେଆଇନ ମଦ କାରବାର

ନିର୍ବାଚନ ସମୟରେ ବେଆଇନ ମଦ କାରବାର ବୃଦ୍ଧି ଜିଲ୍ଲା ପ୍ରଶାସନର ନିର୍ବାଚନ ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ଉଠାଇଛି। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ନିଶା ମାଫିଆ ସକ୍ରିୟ ହୋଇଛନ୍ତି।

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବଢ଼ିଚାଲିଛି ବେଆଇନ ମଦ କାରବାର

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବଢ଼ିଚାଲିଛି ବେଆଇନ ମଦ କାରବାର

  • Share this:
News18 Odia Digital

ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରାର୍ଥୀମାନେ ପ୍ରାଣମୂଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଭୋଟରକୁ ନିଜ ସପକ୍ଷକୁ ଆଣିବା ପାଇଁ ମଦ ମୁଖ୍ୟ ମାଧ୍ୟମ ପାଲଟିଥିବା ଅଭିଯୋଗ ସମ୍ମନାକୁ ଆସିଛି। ଅବକାରୀ ବିଭାଗର ସ୍ଥାଣୁତା ପାଇଁ ସହରରୁ ଗ୍ରାମାଞ୍ଚଳ ସବୁଠି ମଦ ବନ୍ୟା ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

ନିର୍ବାଚନ ସମୟରେ ବେଆଇନ ମଦ କାରବାର ବୃଦ୍ଧି ଜିଲ୍ଲା ପ୍ରଶାସନର ନିର୍ବାଚନ ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ଉଠାଇଛି। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ନିଶା ମାଫିଆ ସକ୍ରିୟ ହୋଇଛନ୍ତି। ବାଲେଶ୍ଵର ଦେଇ ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ନିଶା କାରବାର ଚଳାଉଛନ୍ତି। ଏଥିପାଇଁ ସେମାନେ ଭିନ୍ନ ଭିନ୍ନ ନେଟୱାର୍କ ଚଳାଉଛନ୍ତି। ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ବଙ୍ଗ ସରକାର ମଦ ଦାମ ହ୍ରାସ କରୁଛନ୍ତି। ଫଳରେ ପଶ୍ଚିମ ବଙ୍ଗରୁ ବିପୁଳ ମଦ ବାଲେଶ୍ଵର ଜିଲ୍ଲା ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଉଛି।

ସେହି ଭଳି ଝାଡ଼ଖଣ୍ଡରୁ ବିପୁଳ ଗଞ୍ଜେଇ ମଧ୍ୟ ଓଡ଼ିଶାକୁ ଚାଲାଣ ହେଉଛି। ବାଲେଶ୍ୱର ଜିଲ୍ଲା ଏହା ପେଣ୍ଠସ୍ଥଳ ପାଲଟିଛି। ଅବକାରୀ ବିଭାଗର ସ୍ଥାଣୁତା ପାଇଁ ନିର୍ବାଚନ ସମୟରେ ଏହି କାରବାର ବୃଦ୍ଧି ପାଇଛି ବୋଲି ଅଭିଯୋଗ ଆସିଛି । ଜିଲ୍ଲାର ପ୍ରତି ଗ୍ରାମରେ ଅସ୍ଥାୟୀ ମଦ, ଗଞ୍ଜେଇ ଭାଟି ଖୋଲିଛି। ରାଜ୍ୟରେ ନିର୍ବାଚନ ଅଚାରଣ ବିଧି ଲାଗୁ ହେବାପରଠୁ ଏଯାଏ ଜିଲ୍ଲାରେ ମୋଟ୍ ୩୩୯ଟି ଅବକାରୀ ମାମଲା ରୁଜୁ ହୋଇଛି ।

୩,୬୭୪ ଲିଟର ଦେଶୀ ମଦ, ୭୬୨ ଲିଟର ବିଦେଶୀ ମଦ, ୪ ଲିଟର ସ୍ପିରିଟ୍ ଜବତ ହୋଇଛି। ଏହା ବ୍ୟତୀତ ୭୮,୫୦୦ ଲିଟର ପୋଚ ନଷ୍ଟ ହୋଇଛି। ବେଆଇନ ମଦ କାରବାରରେ ପୋଲିସ ୨୪୮ ଜଣଙ୍କୁ ଗିରଫ କରିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଠାରୁ ଜିଲ୍ଲାରେ କେମିତି ବେଆଇନ ମଦ କାରବାର ବୃଦ୍ଧି ପାଇଛି ତାହା ଏଥିରୁ ସ୍ପଷ୍ଟ ହୋଇଛି।

ଏନେଇ ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀ କହିଛନ୍ତି, ‘‘ନିର୍ବାଚନ ସମୟରେ ମଦ କାରବାର ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଳେଶ୍ୱର, ଭୋଗରାଇ, ବସ୍ତା ବ୍ଲକ ପାଇଁ ସ୍ଵତନ୍ତ୍ର ସ୍ବାତ୍, ନୀଳଗିରି ସୋର, ଖଇରା, ସମୁଳିଆ, ଔପଦା ପାଇଁ ଅନ୍ୟ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇଛି। ଏହା ବ୍ୟତୀତ ସଦର, ରେମୁଣା ପାଇଁ ମୋବାଇଲ ସ୍କ୍ୱାର୍ଡ଼ ଗଠନ କରାଯାଇଛି। ଏହି ସବୁ ସ୍କ୍ୱାର୍ଡ଼ ରାତି ସାଢ଼େ ୯ରୁ ପାଟ୍ରୋଲିଂ ଆରମ୍ଭ କରୁଛନ୍ତି। ଏହା ବ୍ୟତୀତ ଜାତୀୟ ରାଜପଥ ରାସ୍ତାର ବିଭିନ୍ନ ସ୍ଥାନରେ ରାତିରେ ଚଢ଼ାଉ କରଯଉଛି। ରାଜ୍ୟ ବାହାରୁ ଆସୁଥିବା ଗାଡ଼ିକୁ ଯାଞ୍ଚ କରାଯାଉଛି।"

ତେବେ ଜିଲ୍ଲାରେ ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟ ହେବ। ୧୮, ୨୦, ୨୨, ୨୪ ତାରିଖରେ ଅବଶିଷ୍ଟ ତିନୋଟି ପର୍ଯ୍ୟାୟର ଭୋଟ ହେବ। ଏଥିପାଇଁ ରାଜନୀତି ଏବେ ସରଗରମ। ଭୋଟରଙ୍କୁ ଆକୃଷ୍ଟ ପାଇଁ ବିଭିନ୍ନ ଦଳର ନେତା, ପ୍ରାର୍ଥୀ ଭୋଟରକୁ ମଦ, ମାଂସରେ ପୋତି ପକାଉଛନ୍ତି। ସବୁଠି ବେଆଇନ ଭାବେ ମଦ କାରବାର ଚାଲିଛି। ପରିସ୍ଥିତି ଏମିତି ହୋଇଛି, ଗାଁ ଗାଁରେ ମଦର ଆସର ଜମୁଛି। ଯୁବ ଭୋଟରଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମଦ ପିଆଇ ମସଗୁଲ କରାଯାଉଛି। ପଞ୍ଚାୟତ ନିର୍ବାଚନ ପାଇଁ ଏଥର ଜିଲ୍ଲାରେ ମୋଟ ୪,୮୭୯ ବୁଥ ହେବ। ସେଥିମଧ୍ୟରୁ ୭୧୩ଟି ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି।

ଏନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ କହିଛନ୍ତି, ‘‘ ଫେବୃଆରୀରେ ଭୋଗରାଇ, ଜଳେଶ୍ବର ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ଦୁଇଟି ବ୍ଲକରେ ମୋଟ୍ ୧,୧୩୬ ବୁଥ ରହିଛି। ସେଥିମଧ୍ୟରୁ ୧୦୯ଟି ବୁଥକୁ ଉତ୍ତେଜନାପ୍ରବଣ ବୁଥ ଭାବେ ଚିହ୍ନଟ କାରାଯାଇଛି। ଫେବୃଆରୀ ୧୮ରେ ବସ୍ତା, ବାଲିଆପାଳ ବ୍ଳକର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଦୁଇଟି ବ୍ଲକରେ ମୋଟ ୮୪୯ଟି ବୁଥ ରହିଛି। ସେଥିମଧ୍ୟମରୁ ୧୩୨ଟି ଉତ୍ତେଜନାପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଖଇରା, ସିମୁଳିଆ, ସୋର ବ୍ଲକର ୨୦ ତାରିଖରେ ଅନୁଷ୍ଠିତ ହେବ। ଏହି ତିନୋଟି ବ୍ରଜରେ ମୋଟ୍ ୧,୧୧୭ଟି ବୁଥ ଅଛି। ସେଥିମଧ୍ୟମରୁ ୧୬୭ଟି ଉତ୍ତେଜନାପ୍ରବଣ ବୁଥ। ଫେବୃଆରୀ ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବାହାନଗା, ଔପଦା, ନୀଳଗିରି ବ୍ଲକରେ ଅନୁଷ୍ଠିତ ହେବ। ଏହି ତିନୋଟି ବ୍ଳକର ୮୬୧ ବୁଥ ମଧ୍ୟରୁ ୧୩୫ଟି ଉତ୍ତେଜନାପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି। ଫେବୃଆରୀ ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ରେମୁଣା, ସଦର ବ୍ଲକରେ ହେବ। ଏହି ୨ଟି ବ୍ଳକର ମୋଟ୍ ୯୦୭ ବୁଥରୁ ୨୨୦ଟି ଉତ୍ତେଜନାପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି। ଉତ୍ତେଜନାପ୍ରବଣ ବୁଥଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଶାନ୍ତିପୂର୍ଣ୍ଣ ମତଦାନକୁ ପ୍ରାଧାନ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯାଇଛି।"
Published by:Lipina Das
First published: