News18 Odia Digital
ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ୧୧ନମ୍ବର ଜୋନ ଜିଲାପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ଘଟଣାକୁ ୧୦ଦିନ ବିତିଥିଲେ ମଧ୍ୟ କାହିଁକି ଆତ୍ମହତ୍ୟା କଲେ ସ୍ପଷ୍ଟ କରୁନି ତଦନ୍ତକାରୀ ଟିମ। ସେପଟେ ଆଜି ଅଡିଓ ଭାଇରଲ କରିଥିବା ଧର୍ମେନ୍ଦ୍ରଙ୍କ ସାଙ୍ଗ ଅକ୍ଷୟ ନାୟକଙ୍କୁ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା ।
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ବନ୍ଧୁ ଅକ୍ଷୟ ନାୟକଙ୍କ ସହ ଫୋନରେ କଥା ହୋଇଥିଲେ । ପ୍ରାୟ ୧ ଘଣ୍ଟା ଧରି ଅକ୍ଷୟ କଥା ହୋଇଥିବା ଜଣା ପଡ଼ିଛି। ଏହି ସମୟ ଭିତରେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଆଉ ଏଥିପାଇଁ ତାଙ୍କ ପତ୍ନୀ, ଶ୍ବଶୁର , ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ୫ ଜଣ ଦାୟୀ ରହିବେ। ଗତକିଛି ତଳେ ଅକ୍ଷୟ ନାୟକ ସମ୍ପୃକ୍ତ ଅଡିଓକୁ ସାମ୍ନାକୁ ଆଣିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଲା ।
ପୋଲିସ ସୂଚନା ଅନୁସାରେ, ଧର୍ମେନ୍ଦ୍ରଙ୍କ ସିଡ଼ିଆର ଯାଞ୍ଚ ବେଳ ସେ ମୃତ୍ୟୁ ପୂର୍ବରୁ ୧୫ ଜଣଙ୍କ ସହ କଥା ହୋଇଥିଲେ । ତେଣୁ ସେଇ ଅଧାରରେ ସମସ୍ତଙ୍କୁ ପଚରାଉଚରା କରାଯାଉଛି। ଯେହେତୁ ଅକ୍ଷୟ ଅଡିଓ ସାମ୍ନାକୁ ଆଣିଥିଲେ ତେଣୁ କେଉଁ ସମ୍ବନ୍ଧରେ କଥା ହୋଇଥିଲେ, କାହିଁକି ସେ ଆତ୍ମହତ୍ୟା କରିବା ପାଇଁ କହୁଥିଲେ, ସେ କାହିଁକି ମାନସିକ ଅଶାନ୍ତିରେ ଥିଲେ ସେନେଇ ତାଙ୍କଠାରୁ ତଥ୍ୟ ନିଆଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ସେପଟେ ତଦନ୍ତ ବେଳେ ଜଣା ପଡ଼ିଛି, ମୃତ୍ୟୁ ପୂର୍ବରୁ ସାଇକ୍ରାଟିକ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିସିନ ଖାଉଥିଲେ ଧର୍ମେନ୍ଦ୍ର। ମୃତ୍ୟୁର କିଛିଦିନ ପୂର୍ବରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ପରେ ଡାକ୍ତର ସାଇକ୍ରାଟିକ ମେଡ଼ିସିନ ଖାଇବାକୁ ଦେଇଥିଲେ । କିଛିଦିନ ଖାଇବା ପରେ ଆଉ ମେଡ଼ିସିନ ଖାଇ ନଥିଲେ ଧର୍ମେନ୍ଦ୍ର ବୋଲି ପରିବାର ଲୋକେ ପୋଲିସ ଆଗରେ କହିଛନ୍ତି । ସେହିଭଳି ଧର୍ମେନ୍ଦ୍ରଙ୍କ ମୋବାଇଲ, ଘଣ୍ଟା ଓ ହାର୍ଡଡିସ୍କର ଫରେନସିକ ରିପୋର୍ଟ ଆସି ନଥିବା ତଦନ୍ତକାରୀ ଟିମ ପକ୍ଷରୁ ଜଣା ପଡ଼ିଛି।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିଲେ। ଏନେଇ ଧଉଳି ଥାନାରେ ୨୭/୨୨ ରେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାରେ ରୁଜୁ କରି ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୋଲିସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।