କଟକ ଡିସିପି ଭାବେ ଅପରାଧ ଦମନରେ ଅଭୁଲା ଛାପ ଛାଡ଼ିଛନ୍ତି IPS ଅଧିକାରୀ ଅଖିଳେଶ୍ବର ସିଂ

ତିନି ବର୍ଷର କାର୍ଯ୍ୟକାଳରେ କଟକରେ ଅର୍ଗାନାଇଜଡ୍ ଅପରାଧ ରୋକିବା ଓ ଦଶହରା, ବାଲିଯାତ୍ରା ଏବଂ କ୍ରିକେଟ ମ୍ୟାଚ ଆଦି ଶୃଙ୍ଖଳିତ ଭାବେ କରାଇବାରେ ଅଖିଳେଶ୍ୱର ସିଂଙ୍କ ବଡ଼ ଭୂମିକା ଥିଲା । ବେଲେଶ୍ବର ଡବଲ ମର୍ଡ଼ର କେସ୍ ଅସମାହିତ ରହିବା ତାଙ୍କୁ ଅବଶୋଷ ଦେଇଛି ।

କଟକ ଡିସିପି ଭାବେ ଅପରାଧ ଦମନରେ ଅଭୁଲା ଛାପ ଛାଡ଼ିଛନ୍ତି IPS ଅଧିକାରୀ ଅଖିଳେଶ୍ବର ସିଂ
ବାଲିଯାତ୍ରାରେ ଜଣେ ପ୍ରଶଂସିକାଙ୍କ ପୁଅକୁ ଧରି ପୋଜ୍ ଦେଉଛନ୍ତି ଅଖିଳେଶ୍ୱର ସିଂ ।
  • News18 Odia
  • Last Updated: July 18, 2020, 11:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 odia Digital

କଟକ: ରୌପ୍ୟ ସହର କଟକର ଡିସିପି ଭାବେ ଠିକ୍‌ ତିନି ବର୍ଷ କାର୍ଯ୍ୟ କରିବା ପରେ ଏବେ ଏହି ପଦବୀରୁ ବିଦାୟ ନେଉଛନ୍ତି IPS ଅଧିକାରୀ ଅଖିଳେଶ୍ବର ସିଂ । ଏହି ତିନି ବର୍ଷ ତାଙ୍କ କାର୍ଯ୍ୟ ଦକ୍ଷତାର ଅନେକ ଉତ୍କୃଷ୍ଟ ପ୍ରମାଣ ବହନ କରିଛି । ଗୋଟିଏ ଦୁଇଟି ବିଫଳତାକୁ ବାଦ ଦେଲେ ସହରରେ ଅପରାଧ ଦମନ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ରକ୍ଷା ପର୍ଯ୍ୟନ୍ତ ସବୁ କିଛିକୁ ସୁଚାରୁ ରୂପେ ସମ୍ପାଦନା କରି ସିଂ ସହରବାସୀଙ୍କ ପ୍ରିୟପାତ୍ର ହୋଇପାରିଥିଲେ ।

୨୦୧୬ ମସିହାରେ କଟକ ସହରକୁ ଅପରାଧମୁକ୍ତ କରିବା ଦିଗରେ ଆରମ୍ଭ ହୋଇଥିଲା ଏକ ଅଭିଯାନ । ତତ୍କାଳୀନ ଡିସିପି ସଞ୍ଜିବ ଅରୋଡ଼ା ଏହି ଅଭିଯାନର ମୂଳଦୁଆ ପକାଇଥିଲେ । ଫଳରେ ମାତ୍ର ଛଅ ମାସ ମଧ୍ୟରେ ଡି-ବ୍ରଦର୍ସଙ୍କ ଠାରୁ ଆରମ୍ଭ କରି ଟିଟୋ ପର୍ଯ୍ୟନ୍ତ ଅଧିକାଂଶ ଗ୍ୟାଙ୍ଗ୍‌ ସଫା ହୋଇଯାଇଥିଲେ । ଏହା ପରେ କଟକ ଡିସିପି ଭାବେ ୨୦୧୭ ଜୁଲାଇ ୭ ତାରିଖ ଦିନ ଦାୟିତ୍ବ ଗ୍ରହଣ କରିଥିଲେ ଅଖିଳେଶ୍ବର ସିଂ ।

ସେତେବେଳେ ଡିସିପି ବଦଳୁଥିବାରୁ ଅପରାଧ ଦମନ କାର୍ଯ୍ୟ ବାଟ ହୁଡ଼ିବା ଆଶଙ୍କା ଅନେକଙ୍କ ମନରେ ସୃଷ୍ଟି ହୋଇଥିଲା । ଏପରିକି ଯେଉଁମାନେ ଏହି ଅପରାଧୀଙ୍କ ବିରୁଦ୍ଧରେ ପୋଲିସକୁ ସହଯୋଗ କରିଥିଲେ ଓ କୋର୍ଟରେ ସାକ୍ଷୀ ଦେବା ପାଇଁ ରାଜି ହୋଇଥିଲେ ସେମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ମଧ୍ୟ ହୋଇଥିଲା । କିନ୍ତୁ ‘‘ଅପରାଧୀମାନେ ଅପରାଧ ଛାଡ଼ନ୍ତୁ, ନହେଲେ କଟକ ଛାଡ଼ନ୍ତୁ’’ ଏହି ନୀତିକୁ ଆପଣାଇ କାର୍ଯ୍ୟ ଆରମ୍ଭ କରିଥିଲେ ୨୦୦୯ ମସିହା ବ୍ୟାଚ୍‌ର ଆଇପିଏସ ଅଧିକାରୀ ଅଖିଳେଶ୍ୱର ସିଂ।

କୋଭିଡ ନିୟନ୍ତ୍ରଣ ପାଇଁ ଅନେକ ଥର ସଡ଼କ ଉପରକୁ ଓହ୍ଲାଇଥିଲେ ଅଖିଳେଶ୍ୱର ।


ଦିନ କେଇଟା ମଧ୍ୟରେ ପରିଣାମ ମଧ୍ୟ ସାମନାକୁ ଆସିବାରେ ଲାଗିଥିଲା । ଫଳ ସ୍ବରୂପ ଏ ପର୍ଯ୍ୟନ୍ତ ୨୧ ଜଣ କୁଖ୍ୟାତ ତଥା ପେଶାଦାର ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ଆଉ ୫ ଜଣଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ବୁକ ମଧ୍ୟ କରାଯାଇଛି । କିନ୍ତୁ କିଛି ଦିନ ହେଲା କଟକ କମିଶନରେଟ ପୋଲିସର ସର୍ଭିସ ବନ୍ଧୁକରୁ ଆଉ ପୂର୍ବ ଭଳି ଗୁଳି ଫୁଟି ନ ଥିଲେ ମଧ୍ୟ ପୋଲିସର ଭୟ ଏକ ଅଦୃଶ୍ୟ ଶକ୍ତି ଭଳି ଅପରାଧୀଙ୍କ ପିଛା କରି ଚାଲିଛି ।

‘‘କଟକ ଡିସିପି ଭାବେ ମୋ’ କାର୍ଯ୍ୟକାଳ ବେଶ ଭଲ ରହିଲା । ସବୁ ଅଫିସରମାନଙ୍କୁ ନେଇ ଗୋଟିଏ ଟିମ୍‌ ଭାବରେ ମୁଁ କାମ କରିଛି । ସମସ୍ତଙ୍କ ସହଯୋଗ ବି ରହିଲା । ଅର୍ଗାନାଇଜଡ୍‌ କ୍ରାଇମକୁ ରୋକିବା ଆମ ପାଇଁ ଗୋଟେ ଚାଲେଞ୍ଚ ଥିଲା । ଏଥିରେ ଆମେ ଅନେକାଂଶରେ ସଫଳ ହୋଇଛୁ । ଏହା ଛଡ଼ା ଦଶହରା, ବାଲିଯାତ୍ରା ଓ କ୍ରିକେଟ ମ୍ୟାଚ ସବୁ କିଛି ଶୃଙ୍ଖଳିତ ଭାବେ ଶେଷ ହୋଇଛି । ବେଲେଶ୍ବର ମର୍ଡ଼ର କେସର ସମାଧାନ ହୋଇ ପାରିଲା ନାହିଁ । ସେଥି ପାଇଁ ଟିକେ ଅବଶୋଷ ରହିଛି । ଏଥିରେ ଯେଉଁ ଟିମ ରହିଛି ତା’ର ପୂରା ସହଯୋଗ ମୋ’ ପରବର୍ତ୍ତୀ ଅଧିକାରୀଙ୍କୁ ମିଳିବ,’’ କହିଛନ୍ତି ଅଖିଳେଶ୍ବର ସିଂ ।

ଅପରାଧ ଦମନ ସହିତ ସହରରେ ପ୍ରତି ବର୍ଷ ଆୟୋଜିତ ହେଉଥିବା ଦଶହରା ଓ ବାଲିଯାତ୍ରାରେ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି ଅଖିଳେଶ୍ୱର । ଭିଡ଼ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଟ୍ରାଫିକ ପରିଚାଳନା ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକୁ ନିଖୁଣତାର ସହ ସମ୍ପାଦନା କରିଛନ୍ତି ସେ । ବାରବାଟୀ ଷ୍ଟାଡିୟମରେ କ୍ରିକେଟ ମ୍ୟାଚରେ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଦାୟୀତ୍ବକୁ ମଧ୍ୟ ସୁଚାରୁରୂପେ ତୁଲାଇଥିଲେ ସେ ।

କିନ୍ତୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିବା ବେଲେଶ୍ବର ଡ଼ବଲ ମର୍ଡ଼ର ଘଟଣା ଏବେ ବି କମିଶନରେଟ ପୋଲିସର ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସାତ ମାସ ପାର୍‌ ହେବା ପରେ ବି ସେହି ବୃଦ୍ଧ ଦମ୍ପତ୍ତିଙ୍କୁ କିଏ ହତ୍ୟା କଲା ତା’ର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଏହା ସହ ରହିଛି କଥିତ ସାଇକୋ କିଲର ମାମଲା । ଜୁଲାଇ ମାସରେ ଘଟିଥିବା ଏହି ଘଟଣାରେ ଗୋଟିଏ ସପ୍ତାହରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ପ୍ରସଙ୍ଗରେ ଓଏମପି ଛକରେ ଦୁଇ ଜଣଙ୍କ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ସତ, ହେଲେ ରାଣୀହାଟ ହତ୍ୟାକାଣ୍ଡ ଏବେ ବି ରହସ୍ୟ ମଧ୍ୟରେ ରହିଛି ।

‘‘ବେଲେଶ୍ବର ମର୍ଡ଼ର କେସର ସମାଧାନ ହୋଇ ପାରିଲା ନାହିଁ । ସେଥି ପାଇଁ ଟିକେ ଅବଶୋଷ ରହିଛି ।’’


‘‘ଅଖିଳେଶ୍ବର ସିଂ କଟକ ଡ଼ିସିପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ଠାରୁ ଆମର ଅନେକ ଆଶା ରହିଥିଲା । ସବୁ ଆଶା ପୂରଣ ବି ହୋଇଛି । ସହରର ଯାନିଯାତ୍ରା ଓ ପୂଜା ପାର୍ବଣରେ ତାଙ୍କ ସହଯୋଗ ମିଳିଛି । ଯେତେବେଳେ ବି ଶାନ୍ତି କମିଟିର କୌଣସି ସମସ୍ୟା ଆସିଛି ତାକୁ ସେ ଗୁରୁତର ସହ ନେଇ ପୂରା କରିଛନ୍ତି । ସେ ଶ୍ରୀକ୍ଷେତ୍ର ଯାଉଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ,’’ କହିଛନ୍ତି କଟକ ନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ ।

ଏହା ବି ପଢ଼ନ୍ତୁ: ବେଲେଶ୍ୱର ଡବଲ୍‌ ମର୍ଡ଼ର: କଟକରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବା ଦୁର୍ବୃତ୍ତମାନଙ୍କର ଏକ ମାତ୍ର ଲକ୍ଷ ଥିଲା

ଏହା ବି ପଢ଼ନ୍ତୁ: କିଏ ମାରିଲା ବେଲେଶ୍ବରର ବୃଦ୍ଧ ଦମ୍ପତିଙ୍କୁ? ମାସେ ପରେ ବି ଉତ୍ତର ଖୋଜି ପାଉନାହିଁ ପୋଲିସ!

କୋଭିଡ଼ ମୁକାବିଲା କ୍ଷେତ୍ରରେ ପୋଲିସର ପ୍ରତ୍ୟକ୍ଷ ଭୂମିକା ଓ ଏଥି ପାଇଁ ସହରର ପୂଜା କମିଟି ଓ ସାହି କମିଟିମାନଙ୍କୁ ସ୍ଥାନୀୟ ସ୍ତରରେ କାର୍ଯ୍ୟରେ ଲଗାଇ ଏକ ବୃହତ ଟିମ୍‌ ଗଠନ କରିବାରେ ବି ଅଖିଳେଶ୍ୱରଙ୍କ ସହଯୋଗ ଓ ସଫଳତା ବିଷୟରେ ସହରବାସୀ ପ୍ରଶଂସାରେ ଶତମୁଖ ।
Published by: Anand Shankar Thankur Das
First published: July 18, 2020, 11:28 PM IST
corona virus btn
corona virus btn
Loading