News18 Odia Digital
ଭୁବନେଶ୍ବର: କୃଷକର ଆୟ ବୃଦ୍ଧି ହେଉଛି କୃଷିକ ଉତ୍ପାଦକ ସଙ୍ଗଠନର ଉଦ୍ଦେଶ୍ୟ । ମଧ୍ୟସ୍ଥି ବ୍ୟବସ୍ଥାର ଉଚ୍ଛେଦ କରି କୃଷକକୁ ତା’ର ଉତ୍ପାଦର ସଠିକ ମୂଲ୍ୟ ପ୍ରଦାନ ସଙ୍ଗଠନର ମୂଳଲକ୍ଷ୍ୟ ହୋଇଥିବାବେଳେ କୃଷକ ଉତ୍ପାଦକ ସଙ୍ଗଠନ ମଧ୍ୟରେ ମଧ୍ୟସ୍ଥି ସୃଷ୍ଟି ହେବା ଆଦୌ ଉଚିତ ନୁହେଁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ନିକଟରେ କହିଥିଲେ ।
ଶନିବାର ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲ୍ରେ ଓଡ଼ିଶା କୃଷକ ଉତ୍ପାଦକ ସଙ୍ଗଠନ ସମାବେଶ -୨୦୨୧ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ଼ଃ. ସାହୁ କହିଥିଲେ, "କୃଷକ ଉତ୍ପାଦକ ସଙ୍ଗଠନର ସଫଳତା ଓ କୃଷକମାନଙ୍କ ଆୟ ବହୁଗୁଣିତ ହେବା ପାଇଁ ବ୍ୟାଙ୍କ ମାଧ୍ୟମରେ ପୁଞ୍ଜିନିବେଶ ସହାୟତା, ବଜାର ସୁବିଧା, ମଧ୍ୟସ୍ଥି ଉଚ୍ଛେଦ, ସରକାରୀ ପ୍ରୋତ୍ସାହନ ଓ ସହାୟତା, ଯୋଗାଯୋଗ, ଫସଲ ବିବିଧିକରଣ ପଦ୍ଧତି ଅବଲମ୍ବନ କରାଯାଉଛି । ଉପର ସ୍ତରର ଲୋକେ ଖାଦ୍ୟ ଦ୍ରବ୍ୟର ବ୍ୟବହାର କଲା ବେଳେ ଏଥିରେ ସମ୍ପୃକ୍ତ ଚାଷୀର କଷ୍ଟକୁ ଅନୁଭବ କଲେ ସେମାନେ ଚାଷୀକୁ ଉଚିତ ସମ୍ମାନ ଦେଇପାରିବେ।’’
କୃଷିକ ଉତ୍ପାଦକ ସଙ୍ଗଠନ (ଏଫ୍ପିଓ) ଓ ହିତାଧକାରୀମାନଙ୍କ ମଧ୍ୟରେ ଏକ ଅନୁକୂଳ ପରିମଣ୍ଡଳ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ମଞ୍ଚ ପ୍ରତିଷ୍ଠା ପାଇଁ ଏହି ସମାବେଶ ଏକ ପଦକ୍ଷେପ । କୃଷିକ ଉତ୍ପାଦକ ସଙ୍ଗଠନ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିବା ସହ ସଙ୍ଗଠନର ଦୃଢ଼ୀକରଣ ପାଇଁ ଏକ କେନ୍ଦ୍ରୀଭୂତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଉଦ୍ୟାନ କୃଷି ନିର୍ଦେଶାଳୟ ଦ୍ୱାରା ଏହି ସମାବେଶ ଆୟୋଜନ କରାଯାଇଛି ।
କୃଷକ ଉତ୍ପାଦକ ସଙ୍ଗଠନ (ମୁଖ୍ୟତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀ) କୃଷି କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ଦିଗରେ ଏକ ବଳିଷ୍ଠ ମାଧ୍ୟମ ହିସାବରେ ଉଭା ହୋଇଛି, ଯାହାକି ପୁଞ୍ଜିନିବେଶ ପାଇଁ ପ୍ରୟାସ, ବୈଷୟିକ ଉପଯୋଗ ଓ ବିପଣନ ଦିଗରେ ସହାୟକ ହେବ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଣୀତ କୃଷ୍ଣକ ଉତ୍ପାଦକ ସଙ୍ଗଠନ ୨୦୧୮ ନୀତି-ଏକ ଅନନ୍ୟ କାର୍ଯ୍ୟକ୍ରମ ଯାହାକି କୃଷକ ଉତ୍ପାଦକ ସଙ୍ଗଠନ ସଂପ୍ରସାରଣ ଓ ଦୃଢ଼ୀକରଣରେ ସହାୟକ ହେବ।
ବର୍ତ୍ତମାନ ସରକାରଙ୍କ ବିଭିନ୍ନ କୃଷି ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ଯୋଜନା ଅନ୍ତର୍ଗତ ୧୦,୦୦୦ କୃଷକ ଉତ୍ପାଦକ ଗୋଷ୍ଠୀର ଗଠନ ଓ ବୃଦ୍ଧି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ କୃଷକ ଉତ୍ପାଦକ ସଙ୍ଗଠନ ଗଠିତ ହୋଇ ସରକାରୀ ସହାୟତା ପାଉଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ନାବାର୍ଡ ଓ କ୍ଷୁଦ୍ରଚାଷୀମାନଙ୍କର କୃଷି ବ୍ୟବସାୟିକ ସଙ୍ଗଠନ ସହ ୪୫୦ରୁ ଅଧିକ କୃଷିକ ଉତ୍ପାଦକ ସଙ୍ଗଠନ ପଞ୍ଜୀକୃତ ହୋଇଛନ୍ତି । କେନ୍ଦ୍ର ଯୋଜନା ଅନ୍ତର୍ଗତ ୧୦,୦୦୦ କୃଷକ ଉତ୍ପାଦକ ସଙ୍ଗଠନର ବିରଚନା ଓ ସଂପ୍ରସାରଣ କାର୍ଯ୍ୟକ୍ରମରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୧ଟି କୃଷକ ଉତ୍ପାଦକ ସଙ୍ଗଠନ ବିବେଚିତ ହୋଇଛି, ଯେଉଁଥିରେକି ନାବାର୍ଡ, ନାଫେଡ୍, କ୍ଷୁଦ୍ରଚାଷୀ କୃଷି ବ୍ୟବସାୟିକ ସଙ୍ଗଠନ, ଜାତୀୟ ସମବାୟ ବିକାଶ ନିଗମ ଓ ଗ୍ରାମ୍ୟ ମୂଲ୍ୟଶୃଙ୍ଖଳ ବିକାଶ ସଂସ୍ଥା ସହ ୧୨୦ଟି କୃଷକ ଉତ୍ପାଦକ ସଙ୍ଗଠନ ପଞ୍ଜୀକୃତ ହୋଇଅଛି ।
ଏହି ସମାବେଶରେ ଓଡ଼ିଶାର ୩୦ ଜିଲ୍ଲାରୁ ଶତାଧିକ କୃଷକ ଉତ୍ପାଦକ ସଙ୍ଗଠନ, ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ୭ଟି ଜିଲ୍ଲାର ୧୦ଟି କୃଷକ ଉତ୍ପାଦକ ସଙ୍ଗଠନ ଦ୍ବାରା ମୂଲ୍ୟଯୁକ୍ତ ଉତ୍ପାଦର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଏହି ସମାବେଶ ପାଇଁ ପ୍ରଶଂସା କରିବା ସହ ତଥା ଉଦ୍ୟାନକୃଷି ନିର୍ଦେଶାଳୟର ୱେବ୍ପୋର୍ଟାଲ http://fpoodisha.nic.in ଲୋକାର୍ପଣ ପାଇଁ ଅଭିନନ୍ଦନ ଜଣାଇଥିଲେ।
ମନ୍ତ୍ରୀ ଡ଼ଃ. ସାହୁଙ୍କ କରକମଳରେ ଉନ୍ମୋଚିତ ଏହି ପୋର୍ଟାଲ ରାଜ୍ୟର ସମସ୍ତ କୃଷକ ଉତ୍ସବଳ ସଙ୍ଗଠନ ପାଇଁ ଏକ ବୈଦ୍ୟୁତିକ ମଞ୍ଚ, ଯାହାକି ଏକକ ବାତାୟନ ସେବା ପ୍ରଦାନ କରିବ । ଭଲ ବଜାର ପ୍ରବେଶୀକରଣକୁ ଦୃଢ଼ୀକରଣ, ଅନ୍ୟ ଯୋଜନା ସହ ମିଶ୍ରଣ ଓ ସେମାନଙ୍କ କାର୍ଯ୍ୟଶୈଳୀର ପରିମାପକ ପାଇଁ ବୈଦ୍ୟୁତିକ ପ୍ରଣାଳୀର ଉପଯୋଗ ସକାଶେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବିଲ୍ ଓ ମିଳିଣ୍ଡା ଗେଟ୍ ସଂସ୍ଥା ସହ ଅନୁବନ୍ଧିତ ହୋଇଛି।
ଏହି ସମାବେଶରେ ତିନୋଟି ବ୍ୟବସାୟିକ ଅଧବେଶନ ଅନୁଷ୍ଠିତ ହୋଇ ବିଶାରଦମାନଙ୍କ ସହ ଆଲୋଚନା ପୂର୍ବକ ଉପୁଜିଥିବା ସମସ୍ୟାର ଉପସ୍ଥାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଶାସନ ସଚିବ ଆର୍, ରଘୁପ୍ରସାଦ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ସି. ଉଦୟ ଭାସ୍କର ପ୍ରମୁଖ ଯୋଗଦେଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଅତିଥିମାନଙ୍କୁ ସ୍ଵାଗତ କରିଥିବାବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ଼ଃ ଏମ୍. ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।