News18 Odia Digtial
କଟକ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରିବାକୁ ଯାଇ କଟକରେ ହିସାଂକାଣ୍ଡ ଭିଆଇଥିବା ତଥା ଅଟକ ଥିବା ଆଶାୟୀ ପ୍ରାର୍ଥୀ ବା ଆନ୍ଦୋଳନକାରୀଙ୍କୁ ଛାଡ଼ିଲା ପୋଲିସ।
ଗଣ୍ଡଗୋଳ ପରେ ପୋଲିସ କବଜାରେ ଥିବା ୬୦୦ରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ପୋଲିସ ଛାଡ଼ିଛି। ଏହା ସହ ଭବିଷ୍ୟତରେ ଆଇନକୁ ହାତକୁ ନ ନେବା ପାଇଁ ସେମାନଙ୍କୁ ତାଗିଦ ମଧ୍ୟ କରିଛି କମିଶନରେଟ ପୋଲିସ।
କେବଳ ସେତିକି ନୁହେଁ ବରଂ ଆଗାମୀ ଦିନରେ ଏହି ଭଳି ଆନ୍ଦୋଳନ ଆଶଙ୍କା କରି କଟକ କମିଶନରେଟ ପୋଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ ସହରରେ ଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟାଳୟ, ରେଳଷ୍ଟେସନ ଓ ବସଷ୍ଟାଣ୍ଡ ଭଳି ସର୍ବସାଧାରଣ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି। ଏହାରି ଭିତରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସେନା ନିଯୁକ୍ତି କାର୍ଯ୍ୟାଳୟ ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଶୁକ୍ରବାର ଦିନ କ୍ୟାଣ୍ଟନମେଣ୍ଟ ରୋଡ ଠାରେ ଥିବା ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମୟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ପ୍ରାୟ ଦେଢ ହଜାର ଆଶାୟୀ ପ୍ରାର୍ଥୀ। କେହି କିଛି ବୁଝିବା ଆଗରୁ ନେତୃତ୍ବ ବୀହିନ ଏହି ଭିଡ଼ କ୍ୟାଣ୍ଟନମେଣ୍ଟ ରୋଡ଼ ଠାରୁ ଆରମ୍ଭ କରି ଚଣ୍ଡି ଛକ, କନିକା ଛକ, ବିଜୁପଟ୍ଟନାୟକ ଛକ, ତୁଳଶୀପୁର ଓ ବାଲିଯାତ୍ରା ପଡ଼ିଆ ନିକଟ ଗଡଗଡ଼ିଆ ଛକ ପର୍ଯ୍ୟନ୍ତ ଯେଉଁ ଆଡ଼େ ଗଲା ସେଠାରେ ଭଙ୍ଗାରୁଜା କରିଥିଲେ।
ବନ୍ୟା ଭଳି ମାଡ଼ି ଚାଲିଥିବା ଏହି ଯୁବକ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ଉଦ୍ୟମ ଫେଲ୍ ମାରିବା ପରେ ଶେଷରେ ଲାଠିଚାର୍ଜ କରିଥିଲା ପୋଲିସ। ଆନ୍ଦୋଳନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୋଲିସ। ପୋଲିସର ଲାଠିମାଡ ପରେ ସେମାନଙ୍କ ମେଳି ଭାଙ୍ଗିଥିଲା ଓ ଆନ୍ଦୋଳନ ମଧ୍ୟ ବନ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଆନ୍ଦୋଳନକାରୀଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲା ପୋଲିସ। କିନ୍ତୁ ଏତେ ସବୁ ପରେ ମଧ୍ୟ ଆନ୍ଦୋଳନକାରୀମାନେ ନିଜ ଦୋଷ ମାନିବାକୁ ନାରାଜ ଥିଲେ।
"୪ ବର୍ଷ ହେଲା ମୁଁ ସେନାରେ ଭର୍ତ୍ତି ହେବା ପାଇଁ ପରିଶ୍ରମ କରୁଛି। କିନ୍ତୁ ଏହି ଅଗ୍ନିପଥ ଯୋଜନା ମୋର ସବୁ ଆଶାକୁ ପାଣିରେ ଭସାଇ ଦେଲା। ସେନାରେ ଠିକାରେ ନିଯୁକ୍ତି ପାଇ ୪ ବର୍ଷରେ ଛଟେଇ ହୋଇ ମୁଁ କରିବି କଣ?,’’ କହିଥିଲେ ଅଟକ ଥିବା ଜଣେ ଆନ୍ଦୋଳନକାରୀ।
ଆଶାୟୀ ପ୍ରାର୍ଥୀମାନଙ୍କ ଏକ ଦଳ ଶୁକ୍ରବାର ଦିନ କଟକ କ୍ୟାଣ୍ଟନମେଣ୍ଟ ରୋଡ଼ ଠାରେ ଥିବା ସେନା ନିଯୁକ୍ତି କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବାର କାର୍ଯ୍ୟକ୍ରମ ଥିଲା। ଏନେଇ ପୋଲିସ ପାଖରେ ଆଗୁଆ ସୂଚନା ଥିବାରୁ ପୋଲିସ ଏଥିପାଇଁ ପ୍ରସ୍ତୁତ ମଧ୍ୟ ଥିଲା। କିନ୍ତୁ ପୋଲିସର ଆକଳନ ଠାରୁ ଢେର ଅଧିକ ଆଶାୟୀ ପ୍ରାର୍ଥୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୋଲିସ ସହ ଉଚ୍ଚବାଚ ପରେ ହଜାର ହଜାର ଯୁବକମାନଙ୍କ ଏହି ଭିଡ଼ ହଠାତ ଉଗ୍ର ହୋଇ ଉଠିଥିଲା। ତେବେ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ସହ ତାଗିଦ କରି ଛାଡ଼ି ଦିଆଯାଇଛି। ଏବଂ ସେମାନଙ୍କ ଦ୍ବାରା କ୍ଷୟକ୍ଷତିର ଆକଳନ କରାଯାଉଥିବା କହିଛନ୍ତି କଟକ ଡିସିପି।
"ଆମ ପାଖରେ ପୂର୍ବରୁ ଖବର ଥିଲା ସେଥିପାଇଁ ଆମେ ୫ ପ୍ଲାଟୁନ ଫୋର୍ସ ମୁୟତନ କରିଥିଲୁ। କିନ୍ତୁ ଆନ୍ଦୋଳନକାରୀମାନେ ପଛକୁ ଫେରି ଯାଇ କିଛି ସ୍ଥାନରେ ହଂସାକାଣ୍ଡ କରିଛନ୍ତି। ଆମେ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସି ପାରିଛି," କହିଥିଲେ କଟକ ଡିସିପି ପିନାକ ମିଶ୍ର,କଟକ ଡିସିପି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।