ମହାସ୍ନାନ ପରେ ଅଣସର ପିଣ୍ଡିରେ ଅଛନ୍ତି ମହାପ୍ରଭୁ; ଚାଲିଛି ଆୟୁର୍ବେଦର ଗୁପ୍ତ ଉପଚାର

ଦେବସ୍ନାନ ପୂର୍ଣ୍ଣୀମା ନୀତି ଯେଭଳି ଶୃଙ୍ଖଳିତ ଓ ନିର୍ଘଣ୍ଟ ସମୟ ପୂର୍ବରୁ ହାତୀ ବେଶ କରି ଇତିହାସ ସୃଷ୍ଟି ହୋଇଥିବା ବେଳେ ଗତ ବର୍ଷ ଭଳି ଚଳିତ ବର୍ଷ ଅଣସର ୧୫ ଦିନ କରି ଆଉ ଏକ ଇତିହାସ ସୃଷ୍ଟି କରାଯାଇଛି।

ମହାସ୍ନାନ ପରେ ଅଣସର ପିଣ୍ଡିରେ ଅଛନ୍ତି ମହାପ୍ରଭୁ

ମହାସ୍ନାନ ପରେ ଅଣସର ପିଣ୍ଡିରେ ଅଛନ୍ତି ମହାପ୍ରଭୁ

  • Share this:
News18 Odia Digital

ପୁରୀ: ୨୦୨୧ ବର୍ଷ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ସମ୍ପାଦିତ ହୋଇଥିବା ବେଳେ ଚଳିତ ବର୍ଷ ଯେଭଳି ଭକ୍ତମୟ ପରିବେଶରେ ସ୍ନାନ ପୂର୍ଣ୍ଣିମା ହେଲା। ସେହିପରି ଆଗକୁ ଶୃଙ୍ଖଳିତ ରଥଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି ସେବାୟତ। ପୁଣି ସଅଳ ନୀତି କରି ଇତିହାସ ସୃଷ୍ଟି କରିବାକୁ ସେବାୟତ ଓ ପ୍ରଶାସନ ମଧ୍ୟରେ ଚାଲିଛି ଯୋଜନା।

ସେପଟେ ଦେବସ୍ନାନ ପରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡିରେ ଦଇତାପତି ସେବାୟତମାନେ ଗୁପ୍ତ ଉପଚାର କରୁଥିବା ବେଳେ ପଣା ଭୋଗ ଓ ଚକଟା ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ରାଜବୈଦ୍ୟଙ୍କ ପରାମର୍ଶରେ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଚାଲିଛି ମହାପ୍ରଭୁଙ୍କ ମହାଜ୍ୱରର ଉପଚାର। ମହାପ୍ରଭୁଙ୍କୁ ଫଳମୁଳ ଆଦି ପଥି ଭୋଗ କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅଣସର ସମୟରେ ଅନ୍ନ ମହାପ୍ରସାଦ ଭୋଗ ଲାଗି କରାଯିବାର ବିଧି ରହିଛି।

କୋଭିଡ କଟକଣାରେ ଯେଭଳି ଦୁଇ ବର୍ଷ ହେଲା ସେବାୟତମାନେ ରଥଯାତ୍ରା କଲେ ସେଥିପାଇଁ ସେମାନଙ୍କୁ ଧନ୍ୟବାଦ। ପୁଣି ଚଳିତ ବର୍ଷ ସେହିଭଳି ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ସମସ୍ତ ସେବାୟତ ଓ ପୁରୀସହରବାସୀଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ। ତେବେ କୋଭିଡ ଯାଇନି ତେଣୁ ଆମକୁ ସତର୍କତା ଓ ସଚେତନ ରହିବାକୁ ପଡ଼ିବ ବୋଲି ଶେଷ ରଥ ସମୀକ୍ଷା ବୈଠକରେ ଭର୍ଚୁଆଲରେ ଯୋଗ ଦେଇ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

"ନୀତି ନିର୍ଘଣ୍ଟ ଯାହା ବି କରାଯାଉ ତାହା କେବଳ ନୀତିକୁ ଲକ୍ଷ୍ୟ ରଖି କରାଯାଇଛି। ହେଲେ ମହାପ୍ରଭୁଙ୍କର ଇଚ୍ଛା ଅନ୍ୟପଟେ। ସେ ଚାହିଁଲେ ଏଥର ଦେବସ୍ନାନ ନୀତି ସହ ଗଜାନନ ବେଶ ବା ହାତୀବେଶ ଶୃଙ୍ଖଳିତ ଭାବେ କରି ଇତିହାସ ସୃଷ୍ଟି ହୋଇଛି। ପୁଣି ବିଗତ ୫୦୦ ରୁ ୬୦୦ ବର୍ଷ ପରେ ଗତ ବର୍ଷ ଠାରୁ ଅଣସର ନୀତି ଦେବସ୍ନାନ ପୂର୍ଣ୍ଣିମା ଠାରୁ ୧୫ ଦିନ ପର୍ଯ୍ୟନ୍ତ ହୋଇପାରିଛି। ଜୁନ ୨୯ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ରହିଥିବା ବେଳେ ଜୁନ ୩୦ରେ ଉଭା ଯାତ୍ରା ଓ ଜୁଲାଇ ୧ରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସେପଟେ ଅଣସର ପିଣ୍ଡିରେ ଓଦାଲୁଗା ଫିଟାରୁ ସ୍ୱତନ୍ତ୍ର ଅଣସର ନୀତି ଆରମ୍ଭ ହୋଇଥିବା ବେଳେ ନବ ଯୌବନ ଦର୍ଶନ ହେଉଛି ଅଣସରର ଶେଷ ନୀତି,’’ କହିଛନ୍ତି ବରିଷ୍ଠ ସେବାୟତ ତଥା ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

"୧୦୮ ଗରା ସ୍ନାନ ପରେ ମହାଜ୍ୱରରେ ପୀଡ଼ିତ ମହାପ୍ରଭୁ। ସେଥିପାଇଁ ଅଣସର ଘରେ ରାଜବୈଦ୍ୟଙ୍କ ପରାମର୍ଶରେ ଚାଲିଛି ଆୟୁର୍ବେଦ ଉପଚାର। ଅଣସର ତାଟି ଘରେ ଅନ୍ଧାରରେ କେବଳ ଏକ ଦୀପ ଜଳୁଥିବ। ସେହି ଘରେ ସଙ୍ଘରୋଧରେ ରହିଥିବା ବେଳେ ଏକ ବସ୍ତ୍ର ପରିହିତା ହୋଇ ଦଇତାପତି ସେବାୟତମାନେ ଗୋଷ୍ଠୀଗତ ଭାବେ ମହାପ୍ରଭୁଙ୍କର ସେବା କରିଥାନ୍ତି। ଆଉ ମଧ୍ୟାହ୍ନ ଧୂପ ବେଳେ ପ୍ରବେଶ କରିବା ସହ ତା ଭିତରେ ମହାପ୍ରଭୁଙ୍କୁ ଧଳା ଫୁଲ, ବିଭିନ୍ନ ସୁସ୍ୱାଦୁ ଫଳ, ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରିଥାନ୍ତି। ତାଟି ଭିତର ଭୋଗ ବାହାରକୁ ଆସେନାହିଁ। ସେପଟେ ତାଟି ବାହାରେ ଭୋଗ ହେଉଥିବା କ୍ଷୀର ସର ଆଦିକୁ ଭୋଗ କରି ଦଇତାପତି ସେବାୟତମାନେ ଅଣସର ପଣା ଭାବେ ପ୍ରସାଦ ଭକ୍ତଙ୍କୁ ବଣ୍ଟନ କରୁଛନ୍ତି। ତେଣୁ ୧୫ ଦିନ ଧରି ଅଣସର ଘରେ ଗୁପ୍ତ ସେବା ହେଉଥିବା ବେଳେ ତାହା ପ୍ରକାଶ ଯୋଗ୍ୟ ନୁହେଁ,’’ କହିଛନ୍ତି ଯୁବ ଦଇତାପତି ସେବାୟତ ଅନାଥ ଦାସ ମହାପାତ୍ର।

"ଅଣସର ସମୟରେ ରତ୍ନ ବେଦୀରେ ମହାପ୍ରଭୁ ନ ଥିବା ସହ ଅସୁସ୍ଥ ରହି ଅଣସର ପିଣ୍ଡିରେ ଉପଚାର ଚାଲିଥିବାରୁ ଖାଁ ଖାଁ ହୋଇଛି ଶ୍ରୀମନ୍ଦିର। ପ୍ରତିବର୍ଷ ଅଣସର ନୀତି ଚଉଦ ଦିନ ହେଉଥିବା ବେଳେ ଚଳିତ ବର୍ଷ ପନ୍ଦର ଦିନ ହୋଇଛି। ସେପଟେ ବିଧି ପରମ୍ପରା ଅନୁସାରେ ଅଣସରରେ ମହାପ୍ରଭୁ ରହିଥିବାରୁ ବ୍ରହ୍ମଗିରି ନିକଟସ୍ଥ ଅଲାରନାଥଙ୍କ ପିଠରେ ଚର୍ତୁଭୁଜ ନାରାୟଣ ବା ଅଲାରନାଥଙ୍କୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ଭକ୍ତ। ଅଣସର ପିଣ୍ଡିରେ ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଶ୍ରୀଅଙ୍ଗ ସେବକମାନେ ଲାଗି ପଡ଼ିଥିବା ବେଳେ ପଟିଦିଅଁ ପରମ୍ପରା ଅନୁଯାୟୀ ଅଣସର ତାଟିରେ ପଟିଦିଅଁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଦେବୀ ଭୁବନେଶ୍ୱରୀଙ୍କ ସହ ଦଶମୂର୍ତୀ ପୂଜା ଆରମ୍ଭ କରାଯାଇଛି। ଅଣସରନୀତି ମହାପ୍ରଭୁଙ୍କ ଗୁପ୍ତ ସେବା ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ମାତ୍ର ଭକ୍ତମାନେ ପଟିଦିଅଁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି,’’ କହିଛନ୍ତି ଗବେଷକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ।

ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର। କରୁଛନ୍ତି ମାନବୀୟ ଲୀଳା। ଜ୍ୱରରେ ପୀଡ଼ିତ ହୋଇ ଏବେ ଦଇତାପତିମାନେ କରୁଛନ୍ତି ଗୁପ୍ତସେବା। ସ୍ନାନ ପୂଣ୍ଣିମା ଠାରୁ ଶ୍ରୀଜିଉ ଅନାବସରରେ। ରବିବାର ହୋଇଛି ଶ୍ରୀଜିଉମାନଙ୍କର ଶରୀରରେ ଲାଗି ଫୁଲୁରୀ ତେଲ। ସେଥିପାଇଁ ବଡ଼ ଓଡ଼ିଆ ମଠରୁ ପ୍ରତିବର୍ଷ ଅନାବସର ସମୟରେ ଯୋଗାଇଦିଆଯାଏ ଏହି ଫୁଲୁରୀ ତେଲ। ଦଇତାପତି ସେବକମାନେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କର ମହାଜ୍ବରର ଉତ୍ତାପ କମାଇବା ପାଇଁ ଲେପ କରିଥାନ୍ତି ଏହି ଔଷଧୀୟ ତୈଳକୁ। ସ୍ନାନ ପରେ ଅଣସର ଘରେ ପ୍ରଥମ ଦୁଇ ଦିନ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ବା କାଢ଼ିବା ପରେ ତୃତୀୟ ଓ ଚତୁର୍ଥ ଦିବସରେ ଶ୍ରୀଅଙ୍ଗ ଓ ଶ୍ରୀମୁଖ ଫିଟା କରାଯାଇଛି। ଆଉ ଆଜି ପଞ୍ଚମୀରେ ଫୁଲୁରୀ ଲାଗି କରିବେ ଦଇତାପତି ସେବାୟତ। ବର୍ତ୍ତମାନ ମହାପ୍ରଭୁ ଧଳା ବସ୍ତ୍ର ପରିହିତା। ଦଇତାପତିମାନେ ଶ୍ରୀଅଙ୍ଗରୁ ଦରଜ କମାଇବା ପାଇଁ ଅଲଭ୍ୟ ଫୁଲୁରୀ ତେଲରେ ମାଲିସ କରିବା ପରେ ପ୍ରଭୂଙ୍କ ମଜରା ହଟିବ। ରବିବାର ଶ୍ରୀଜିଉମାନଙ୍କର ଅଙ୍ଗରେ ଜ୍ୱରର ଉତ୍ତାପକୁ କମାଇବା ପାଇଁ ଏହି ଶୀତଳ, ସୁଗନ୍ଧଭରା ଫୁଲୁରୀ ତେଲ ଲାଗି କରାଯାଏ। ରାଜା ପ୍ରତାପ ଦେବଙ୍କ ଅମଳରୁ ବଡ଼ ଓଡ଼ିଆ ମଠ ଯୋଗାଇଆସୁଛି ଏହି ଫୁଲୁରୀ ତେଲ ସେବା। ଘଣା ପେଡ଼ା ରାଶି ତେଲରେ କେତକୀ , ଜୁଇ ଜାଇ ମାଳତୀ ବକୁଳ ଆଦି ସୁବାଶିତ ଫୁଲ କୃଷ୍ଣବୋଗ ଧାନ ଓ ବେଣା ଚେର ମିଶାଯାଇ ଏହି ତୈଳ ପ୍ରସ୍ତୁତ କରାଯାଏ। ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀ ଠାରୁ ଏହି ସବୁ ସାମଗ୍ରୀକୁ ଗୋଟିଏ ମାଟି ଘଡିରେ ପୁରାଇ ଗୁପ୍ତ ସ୍ଥାନରେ ପୋତି ରଖାଯାଇଥାଏ। ପ୍ରତି ବର୍ଷ ଜ୍ୟୋଷ୍ଠ ଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ଏହି ଔଷଧୀୟ ତୈଳକୁ ମଠ ମହନ୍ତ ମାଟି ତଳୁ କାଢ଼ି ମଠର ଅନ୍ୟ ଏକ କୋଠରୀରେ ଗୋପନୀୟ ଭାବେ ରଖାଯାଇଛି। ଆଜି ପଞ୍ଚମୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ଡାକରା ଆସିଲେ ମଠାଧୀଶ ଏହି ତୈଳକୁ ବୈଷ୍ଣବଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ପଠାଇବା ପରେ ଦଇତାପତିମାନେ ଏହାକୁ ଶ୍ରୀଅଙ୍ଗରେ ମର୍ଦନ କରିବାର ପରମ୍ପରା ରହିଛି, ବୋଲି କହିଛନ୍ତି ବଡ଼ ଓଡ଼ିଆ ମଠ ମହନ୍ତ ବଂଶୀଧର ଦାଶ ଗୋସ୍ୱାମୀ।

"ଶ୍ରୀମନ୍ଦିର ହେଉଛି ଆୟୁର୍ବେଦ ରସାୟନର ପ୍ରୟୋଗ ଶାଳା। ବିଶେଷଜ୍ଞ ଓ ବୈଦ୍ୟରାଜଙ୍କ ମତରେ ଚିକିତ୍ସାଶାସ୍ତ୍ରରେ ୪ ବେଦ ମଧ୍ୟରେ ଗନ୍ଧର୍ବ ବେଦ ହେଉଛି ନୃତ୍ୟ ସଙ୍ଗୀତ, ସ୍ଥପତ୍ୟ ବେଦ ହେଉଛି କିର୍ତ୍ତୀରାଜି, ଧର୍ନୁବେଦ ହେଉଛି ମାର୍ଶାଲ ଓ ଆୟୁର୍ବେଦ ହେଉଛି ଜୀବନ ବିଜ୍ଞାନ। ଆୟୁର୍ବେଦର ରସାୟନରେ ଦୁଇଟି ଚିକିତ୍ସା ଗୋଟିଏ ହେଉଛି ବାତା ତପିକ ଅର୍ଥାତ ବାହାର ଚିକିତ୍ସା ଓ ଅନ୍ୟଟି କୁଟି ପ୍ରାବେଶ ଅର୍ଥାତ ଏକ ନିବୁଜ ଘର ଭିତରେ। ଯାହାକି ମହାପ୍ରଭୂଙ୍କୁ ଅଣସର ତାଟି ଘରେ ଚିକିତ୍ସା କରାଯାଉଛି। ସେଥିରେ ମହାପ୍ରଭୂ ଧଳାବସ୍ତ୍ର ପରିହିତ ସହ ଧଳା ଫୁଲ ଲାଗି ହୋଇଥିବା ବେଳେ ଏକ ଦୀପରେ ଚାଲିଛି ଆୟୁର୍ବେଦ ଉପଚାର। ଆଉ ମନୁଷ୍ୟ ଯେଭଳି ଆୟୁର୍ବେଦୀୟ ପଞ୍ଚକର୍ମ ଚିକିତ୍ସା ପଦ୍ଧତିରେ ସୁସ୍ଥ ହୁଏ ସେଭଳି ମହାପ୍ରଭୁଙ୍କର ଆୟୁର୍ବେଦ ଉପଚାରରେ ସୁସ୍ଥ ହୋଇ ନବଯୌବନ ପ୍ରାପ୍ତ ହୋଇଥାନ୍ତି। ସେପଟେ ମହାପ୍ରଭୁ ମାନବୀୟ ଲୀଳା କରୁଥିବାରୁ ଘରେ ଯେଭଳି ଜ୍ୱର ହେଲେ ପଣା, ଫଳ ଓ ବୈଦ୍ୟଙ୍କ ପରାମର୍ଶରେ ଆୟୁର୍ବେଦ ଉପଚାର ସେହିଭଳି ମହାପ୍ରଭୁଙ୍କୁ ଦୈନିନ୍ଦନ ପଣା ଭୋଗ ଓ କ୍ଷୀର ସର ଭୋଗ ପରେ ତାହାକୁ ଆମ ଘରମାନଙ୍କରେ ଶ୍ରଦ୍ଧାଳୁଙ୍କୁ ଦେଲେ ସେମାନେ ବି ଆରୋଗ୍ୟ ହୋଇଥାନ୍ତି। ତେଣୁ ଆୟୁର୍ବେଦ ଓ ମହାପ୍ରଭୁଙ୍କର ରହିଛି ଅନନ୍ୟ ସମ୍ପର୍କ ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ।

ଗତ ଦୁଇ ବର୍ଷ ହେଲାଣି କୋଭିଡ ଯୋଗୁଁ ମହାପ୍ରଭୁଙ୍କ ଯାନିଯାତ୍ରାଠୁ ଦୂରେଇ ରହିଛନ୍ତି ଭକ୍ତମାନେ। ଆଉ ଚଳିତ ବର୍ଷ ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତରାୟ ଦୂର ହେବ ଆଉ ମିଳିବ ଚର୍ମଚକ୍ଷୁରେ ଦର୍ଶନର ସାନିଧ୍ୟ।
Published by:Lipina Das
First published: