ରାଜ୍ୟ ସଭା ନିର୍ବାଚ଼ନ: ସଞ୍ଜୟ ଦାସବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେବା ପରେ ବିଜେଡିରେ ନୂଆ ସମୀକରଣ

ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଭାବେ ଉପକୂଳ ଓଡ଼ିଶାରୁ ପୂର୍ବତନ ପୋଲିସ୍ ଅଧିକାରୀ ଅରୂପ ପଟ୍ଟନାୟକ ଓ ପଶ୍ଚିମ ଓଡ଼ିଶାରୁ କଳିକେଶ ସିଂଦେଓ ଓ ନଳିନୀ ପ୍ରଧାନଙ୍କ ନାଆଁ ଆଗରେ ରହିଛି । ଏ ଥର ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରି କରି ଏକ ମାଷ୍ଟର ଷ୍ଟ୍ରୋକ ବି ନବୀନ ଖେଳିପାରନ୍ତି ବୋଲି ତାଙ୍କ ନିକଟ ଲୋକେ କହୁଛନ୍ତି ।

ରାଜ୍ୟ ସଭା ନିର୍ବାଚ଼ନ: ସଞ୍ଜୟ ଦାସବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେବା ପରେ ବିଜେଡିରେ ନୂଆ ସମୀକରଣ
ସଞ୍ଜୟ ଦାସବର୍ମା
  • Aglasem
  • Last Updated: March 1, 2020, 9:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ସଭା ରେସ୍‌ରେ ଅଛନ୍ତି ବୋଲି ଚ଼ର୍ଚ୍ଚା ଗରମ ଥିବା ବେଳେ ସେ ଏଥିରୁ ସ୍ୱେଚ୍ଛାରେ ଓହରିଯାଇ ମୁଖ୍ୟ ମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେବାକୁ ରାଜି ହୋଇଛନ୍ତି । ତାଙ୍କ ପରି ଫ୍ରଣ୍ଟରନର୍ ରେସରୁ ଓହରିବା ପରେ ଏବେ ବିଜେଡି କ୍ୟାମ୍ପରେ ନୂଆ ସମୀକରଣକୁ ନେଇ ଚ଼ର୍ଚ୍ଚା ଜୋର୍‌ ଧରିଛି ।

ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସମୟରେ ତାଙ୍କୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲେ ନବୀନ । ହେଲେ ରାଜ୍ୟ ସଭାକୁ ଯିବା ଲାଗି ସେ ମନା କରିଦେଇଥିଲେ । ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ସଞ୍ଜୟଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ନୂଆ ଦାୟିତ୍ବ ମିଳିବା ପରେ ସେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ ସରକାରୀ ଯୋଜନାର ସଫଳ ରୂପାୟନ ଓ ସମନ୍ବୟକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି ।

‘‘ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଯେଉଁ ଗୁରୁ ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ କରିଛନ୍ତି, ସମସ୍ତଙ୍କ ସହଯୋଗରେ ସେ କାର୍ଯ୍ୟକୁ କେମିତି ନିଷ୍ଠାର ସହିତ ଆଗେଇ ନେବି ସେଥିପାଇଁ ସମସ୍ତଙ୍କ ଆଶିର୍ବାଦ କାମନା କରୁଛି । ରାଜ୍ୟ ଯୋଜନା ବୋର୍ଡ଼କୁ ଅଧିକ କ୍ରିୟାଶୀଳ ଓ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚ଼ନା କରିବା । ରାଜ୍ୟ ସଚ଼ିବାଳୟ ଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ୍‌ ସଦର ମହକୁମା ପର୍ଯ୍ୟନ୍ତ ଯେଉଁ ଗ୍ୟାପ୍‌ ରହୁଛି, ସେ ସବୁକୁ ଯୋଜନା ବୋର୍ଡ଼ ଦୂର କରିବ ଓ ଜନ ସାଧାରଣଙ୍କ ଅପେକ୍ଷାକୁ ପୂରା କରିବାକୁ ଚ଼େଷ୍ଟା କରିବ,’’ କହିଛନ୍ତି ଦାସବର୍ମା ।

ଉପକୂଳ ଓଡ଼ିଶାରୁ ରାଜ୍ୟ ସଭାକୁ ସଞ୍ଜୟ ଯିବେ ବୋଲି ବିଜେଡିରେ ସହମତି ହୋଇଆସୁଥିବା ବେଳେ ହଠାତ୍‌ ଏହି ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସଞ୍ଜୟଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଅନ୍ୟ ଦାବିଦାରଙ୍କ ପାଇଁ ରାସ୍ତା ଖୋଲିଛି । ତେବେ ସଞ୍ଜୟଙ୍କ ପରେ ଏବେ ରାଜ୍ୟ ସଭା ରେସରେ ଅଛନ୍ତି ଜଣେ ପୂର୍ବତନ ବରିଷ୍ଠ ପୋଲିସ୍‌ ଅଫିସର୍‌ । ପୁଣି ପଶ୍ଚିମ ଓଡ଼ିଶାରୁ ଜଣେ ଯୁବ ନେତା କିମ୍ବା ଜଣେ ପୂର୍ବତନ ପ୍ରଶାସକ ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳ ସୂତ୍ରରୁ ଜଣା ପଡ଼ିଛି ।

ଏ ଥର ନବୀନ ପଟ୍ଟନାୟକ ଜଣେ ପଛୁଆ ବର୍ଗର ନେତା ଓ ଜଣେ ମହିଳାଙ୍କୁ ବି ରାଜ୍ୟ ସଭା ପଠାଇପାରନ୍ତି ବୋଲି ଦଳରେ ଚ଼ର୍ଚ୍ଚା ଚ଼ାଲିଛି । ତେବେ ଚତୁର୍ଥ ଆସନଟି କିଏ ଜିତିବ ତାହା ଏବେ ବି ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି । ସେ ବିଷୟରେ ବିଜେଡି ଓ ବିଜେପି କେହି ନିଜ କାର୍ଡ଼ ଖୋଲି ନାହାନ୍ତି । ଇତି ମଧ୍ୟରେ କଂଗ୍ରେସ ରେସରୁ ବାହାର ହୋଇଛି ।

ମାର୍ଚ୍ଚ ୨୬ ତାରିଖରେ ଓଡ଼ିଶାର ଚ଼ାରିଟି ରାଜ୍ୟ ସଭା ସିଟ୍‌ ସମେତ ୧୭ଟି ରାଜ୍ୟର ୫୫ ସିଟ୍ ପାଇଁ ନିର୍ବାଚନ ହେବ । ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରିବାକୁ ହେବ । ୧୮ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ।

ସଂଖ୍ୟା ଗଣିତରେ ବିଜେଡ଼ିକୁ ପ୍ରଥମ ତିନିଟି ଆସନ ମିଳିବ । ତେଣୁ ଉପକୂଳ, ପଶ୍ଚିମ ଓ ମହିଳା ବର୍ଗରୁ ଜଣେ ଲେଖାଏଁ ପ୍ରାର୍ଥୀ ଦେଇ ସମନ୍ୱୟ ବନେଇ ରଖିପାରେ ବିଜେଡ଼ି । ଚ଼ତୁର୍ଥ ଆସନ ପାଇଁ ନବୀନ ନିବାସର ହୋଇଥିବା କଥିତ ‘ଲଞ୍ଚ୍‌ ଡ଼ିପ୍ଳୋମାସି’ ଉପରେ ସମସ୍ତଙ୍କ ନଜର ରହିଛି । ସଞ୍ଜୟଙ୍କ ପରେ ରାଜ୍ୟ ସଭାକୁ ନେଇ ଚ଼ର୍ଚ୍ଚା ବଢ଼ିଥିବା ବେଳେ ପ୍ରତିଶ୍ରୁତି ପାଇଥିବା ନେତାଙ୍କ ଆଶା ବି ବଢ଼ିଛି ।

ଉପକୂଳ ଓଡ଼ିଶାରୁ ପୂର୍ବତନ ପୋଲିସ୍‌ ଅଧିକାରୀ ଅରୂପ ପଟ୍ଟନାୟକ ଓ ପଶ୍ଚିମ ଓଡ଼ିଶାରୁ କଳିକେଶ ସିଂଦେଓ ଓ ନଳିନୀ ପ୍ରଧାନଙ୍କ ନାଆଁ ଆଗରେ ରହିଛି । ଏ ଥର ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରି କରି ଏକ ମାଷ୍ଟର ଷ୍ଟ୍ରୋକ ବି ନବୀନ ଖେଳିପାରନ୍ତି ବୋଲି ତାଙ୍କ ନିକଟ ଲୋକେ କହୁଛନ୍ତି ।

‘‘ନବୀନ ନିବାସରେ ହୋଇଥିବା ଲଞ୍ଚ ଡ଼ିପ୍ଳୋମାସିରେ ଅନୁସାରେ ଚ଼ତୁର୍ଥ ଆସନ ପାଇଁ ବୁଝାମଣା ହେବାର ଶକ୍ତ ସମ୍ଭାବନା ରହିଛି । ଉଭୟ ଦଳ ସହିତ ଭଲ ସମ୍ପର୍କ ଥିବା କୌଣସି ଜଣଏ ନେତାଙ୍କୁ ମିଳିପାରେ ସୁଯୋଗ,’’ କହିଛନ୍ତି ଜଣେ ବିଜେପି ନେତା । ତେବେ ନବୀନଙ୍କ ପାଇଁ ଚ଼ର୍ଚ୍ଚା ଓ ବାସ୍ତବତାରେ ଅନେକ ଫରକ ସର୍ବଦା ରହୁଥିବା କାରଣରୁ ରାଜ୍ୟର ସ୍ୱାର୍ଥ ସହିତ ଜଡ଼ିତ କିଛି ପ୍ରତିଷ୍ଠିତ ବ୍ୟକ୍ତି ବି ଡାର୍କ ହର୍ସ ଭାବେ ଉଭା ହୋଇପାରନ୍ତି ବୋଲି କହିଛନ୍ତି ସୂତ୍ରମାନେ ।

ଏବେ ସମସ୍ତଙ୍କ ନଜର ରହିଛି ବିଜେପି ଉପରେ । ବିଧାନ ସଭାରେ ୨୩ ସିଟ୍‌ ଥିବା ବିଜେପି ପାଇଁ ଆହୁରି ସାତଟି ଆସନ ଆବଶ୍ୟକ ଥିବା ବେଳେ ଏ ପର୍ଯ୍ୟନ୍ତ କେନ୍ଦ୍ରରୁ ମିଳି ନାହିଁ ଗ୍ରୀନ୍‌ ସିଗନାଲ୍‌ । ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଦଳ ପ୍ରାର୍ଥୀ ଦେବ କି ନାହିଁ ସେ ବିଷୟରେ ସଂସଦୀୟ ବୋଡ଼ର୍ରୁ ନିଷ୍ପତ୍ତି ଆସିବା ପରେ ରଣକୌଶଳ ତିଆରି ହେବ ।
First published: March 1, 2020, 9:50 PM IST
corona virus btn
corona virus btn
Loading